ଆଇଏସଆଇଏସର ମୁଖ୍ୟ ଅବୁ ଖଦିଜା ନିପାତ

ଆମେରିକା ଓ ଇରାକ ସେନାର ଏୟାର ଷ୍ଟ୍ରାଇକରେ ନିପାତ ହୋଇଛି ଆଇଏସଆଇଏସର ସିରିଆ ମୁଖ୍ୟ ଅବୁ ଖଦିଜା । ଆମେରିକାର ଦାବି କରିଛି ମାର୍ଚ୍ଚ ୧୩ ତାରିଖରେ ଆମେରିକୀୟ ସେନା ଇରାକର ଅଲ-ଅନବାର ଅଞ୍ଚଳରେ ଖଦିଜାଙ୍କ କାରକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଇରାକର ପ୍ରଧାନମନ୍ତ୍ରୀ ମୋହମ୍ମଦ ଶିୟା ଅଲ-ସୁଦାନୀଙ୍କ ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି ।
ଇରାକ ଓ ସିରିଆର ଏକ ବଡ଼ ଭୂଭାଗରେ ଆକ୍ଟଭ୍ ଥିବା ଆଇଏସଆଇଏସ ପୁଣି ଥରେ ସଙ୍ଗଠିତ ହେବାର ଚେଷ୍ଟା କରୁଥିଲା । ଅବୁ ବକ୍ର ଅଲ୍ ବଗଦାଦୀ ନିହତ ହେବା ପରେ ଆତଙ୍କୀ ସଂଗଠନକୁ ଆଗକୁ ବଢାଉଥିଲା ଖଦିଜା । ୨୦୨୪ ଆରମ୍ଭରୁ ବର୍ଷ ଅଧାଯାଏ ଇରାକ ଓ ସିରିଆରେ ୧୫୩ ଟି ଆକ୍ରମଣ କରି ଖେଳୁଥିଲା ରକ୍ତର ହୋଲି।
📱 Get Argus News App
✨ଆମେରିକୀୟ ସେନା ଓ ଇରାକ ସେନାର ମିଳିତ ଅପରେସନରେ ହୋଇଥିବା ଏହି ବିମାନ ଆକ୍ରମଣରେ ଖାଦିଜାଙ୍କ ସହ ଆଉ ଜଣେ ଆତଙ୍କୀ ନିହତ ହୋଇଛନ୍ତି। ଆକ୍ରମଣ ପରେ, ଉଭୟ ସେନା ଆକ୍ରମଣ ସ୍ଥାନରେ ପହଞ୍ଚି ଉଭୟ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଉଭୟ ଆତଙ୍କବାଦୀ ଆତ୍ମଘାତୀ ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଘଟଣାକୁ ନେଇ ଆମେରିକୀୟ ସେନାର କେନ୍ଦ୍ରୀୟ କମାଣ୍ଡ ଫୋର୍ସ ଦାବି କରିଛି ଡିଏନଏ ଟେଷ୍ଟ କରି ଆବୁ ଖାଦିଜାଙ୍କ ମୃତ ଦେହ ଚିହ୍ନଟ କରାଯାଇଛି।
ଏହା ପୂର୍ବରୁ ଆବୁ ଖଦିଜା ଯେତେବେଳେ ଧରାପଡ଼ି ଖସି ଯାଇଥିଲା , ସେତେବେଳେ ତାର ଡିଏନଏ ସଂଗ୍ରହ କରାଯାଇଥିଲା। ସେହି ଡିଏନଏ ସହ ଏବେକାର ଡିଏନଏ ମେଳକ ହୋଇଥିବା ଜଣା ପଡ଼ିଛି।
ଅବୁ ଖଦିଜା ମୃତ୍ୟୁକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ପଳାତକଙ୍କୁ ହତ୍ୟା କରାଯାଇଛି। ଆମ ସେନା ତାକୁ ଦୀର୍ଘଦିନ ହେଲା ଖୋଜି ବୁଲୁଥିଲା। ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ-ସୁଦାନି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି: 'ଆବୁ ଖଦିଜା ଇରାକ ଏବଂ ସାରା ଦେଶ ପାଇଁ ବିପଦ।
ଆବୁ ଖାଦିଜା କିଏ ?
ଆବୁ ଖଦିଜାର ମୂଳ ନାମ ହେଉଛି ଅବଦୁଲ୍ଲା ମକ୍କି ମୁସଲିହ ଅଲ-ରିଫା'ଇ ।୨୦୦୯ ମସିହାରେ ସିଏ ଆତଙ୍କବାଦୀ ସଂଗଠନ ଅଲକାଏଦାରେ ଯୋଗ ଦେଇଥିଲା। ଆତଙ୍କୀ କାର୍ଯ୍ୟକଳାପ ପାଇଁ ୨୦୧୧ ମସିହାରେ ଗିରଫ ହୋଇ ଜେଲ୍ ଯାଇଥିଲା। କିଛିଦିନ ମଧ୍ୟରେ କୌଶଳ କରି ସଠାରୁ ସିଏ ଖସି ଯିବାକୁ ସକ୍ଷମ ହୋଇଥିଲା। ପରେ ଯେତେବେଳେ ୨୦୧୪ ରେ ସିରିଆ ଏବଂ ଇରାକରେ ଇସଲାମିକ୍ ଷ୍ଟେଟ୍ ଆଇଏସଆଇଏସ ଗଠନ ହେଲା ଖଦୀଜା ସେଥିରେ ଯୋଗଦେଇଥିଲା। ୨୦୧୯ ମସିହାରେ ଆବୁ ବକର ଅଲ-ବାଗଦାଦିଙ୍କ ହତ୍ୟା ପରେ ଆଇଏସଆଇଏସର ମାଷ୍ଟର ମାଇଣ୍ଡ ସାଜିଥିଲେ। ସଂଗଠନର ରିମୋଟ୍ କଣ୍ଟ୍ରୋଲ୍ ଥିଲା ତାଙ୍କ ପାଖରେ। ସଂଗଠନ ପାଇଁ ପାଣ୍ଠି ଯୋଗାଡ଼ କରିବାରେ ସେ ଥିଲା ମୁଖ୍ୟ କାର୍ପଟଦାର।