୧୮ ମାସର ଯୁଦ୍ଧ: ଗାଜାରେ ୫୦ ହଜାରରୁ ଅଧିକ ଫିଲିସ୍ତିନୀଙ୍କ ଜୀବନ ନେଲାଣି ଇସ୍ରାଏଲ୍

ହମାସକୁ ମୂଳପୋଛ କରିବା ଲକ୍ଷ୍ୟରେ ୧୮ ମାସ ହେଲା ଲଢ଼ୁଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । କିନ୍ତୁ ଗାଜା ଯୁଦ୍ଧରେ ଯବନିକା ପଡ଼ୁନି । ଯୁଦ୍ଧ ଥମୁ ନଥିବା ବେଳେ ଏଥିରେ ଗଲାଣି ହଜାର ହଜାର ଫିଲିସ୍ତିନୀଙ୍କ ଜୀବନ । ଯୁଦ୍ଧର ତଥ୍ୟ କହୁଛି, ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ଜଣେ ଇସ୍ରାଏଲ୍ ନାଗରିକଙ୍କ ମୃତ୍ୟୁର ବଦ୍ଲା ନେବାକୁ ଯାଇ ୪୨ ଶହ ଫିଲିସ୍ତିନୀଙ୍କ ଜୀବନ ନେଉଛନ୍ତି । ଆଉ ଏହା ହେଉଛି ସରକାରୀ ତଥ୍ୟ । ଆଉ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ଗଣନା କରିବା ମୁସ୍କିଲ୍ ।
ସଦ୍ୟ ତଥ୍ୟ ଅନୁସାରେ, ଗାଜାରେ ଦେଢ଼ ବର୍ଷର ଯୁଦ୍ଧରେ ମହିଳା-ଶିଶୁଙ୍କୁ ମିଶାଇ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୨ ମାସର ଆଂଶିକ ଯୁଦ୍ଧ ବିରତି ପରେ ମଙ୍ଗଳବାର ଇସ୍ରାଏଲ୍, ହମାସ୍ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଥିଲା । ଆଉ ଏହା ପରେ ପୁଣି ଥରେ ଗାଜାର ଲୋକ ପଳାୟନ କରିବା ଲାଗି ବାଧ୍ୟ ହୋଇଛନ୍ତି ।
ଉତ୍ତର, ଦକ୍ଷିଣ ଓ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲ୍ ସେନା ରବିବାର ସକାଳେ ବି ଭୀଷଣ ବୋମାବର୍ଷା କରିଛି । ଆଉ ଏହି ଆକ୍ରମଣ ଯୁଦ୍ଧ ବିରତି ଆକ୍ରମଣର ଠିକ୍ ପୂର୍ବ ଆକ୍ରମଣ ଭଳି ଥିଲା । ଅସ୍ତ୍ରବିରତିର ଠିକ୍ ପୂର୍ବରୁ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ରଫାହ ସହ ଖାନ ୟୁନିସ୍ରେ ବଡ଼ ଧରଣର ଆକ୍ରମଣ କରିଥିଲା । ଯେଉଁଥିରେ ୩୦ ଜଣ ଫିଲିସ୍ତିନୀ ନାଗରିକ ପ୍ରାଣ ହରାଇଥିଲେ ।
📱 Get Argus News App
✨
୨୦୨୩ ଅକ୍ଟୋବର ୭ରେ ଗାଜାରୁ ହମାସ, ଇସ୍ରାଏଲ୍ ଉପରେ ହଜାର ହଜାର ରକେଟ୍ ମାଡ଼ କରିଥିଲା । ହମାସ୍ର ରକେଟ୍ ତେଲ ଅଭିଭରେ ପଡ଼ିଥିଲା । ଆଉ ଏହି ଆକ୍ରମଣରେ ଇସ୍ରାଏଲ୍ର ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୧୨୦୦ ଲୋକଙ୍କ ଜୀବନ ଯାଇଥିବା ସେତେବେଳେ କହିଥିଲା ଇସ୍ରାଏଲ୍ । ଆଉ ହମାସ୍ ୩୦୦ ଜଣଙ୍କୁ ପଣବନ୍ଦୀ କରି ନେଇଥିଲା । ସେଥିରୁ କିଛି ପଣବନ୍ଦୀଙ୍କୁ ହମାସ୍ ହତ୍ୟା କରିଥିବା ବେଳେ ଆଉ କିଛି ଏବେ ବି ହମାସ୍ କବଜାରେ ଅଛନ୍ତି ।