Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Israel Iran Conflict / ଇସ୍ରାଏଲ ଆକ୍ରମଣରେ ଆକ୍ତାମାକ୍ତା ତେହେରାନ

Rashmita Mishra
Browse all articles by Rashmita Mishra
·4 months ago·3 min read
ଇସ୍ରାଏଲ ଆକ୍ରମଣରେ ଆକ୍ତାମାକ୍ତା ତେହେରାନ
Israel Iran Conflict

Key Points

ମିସାଇଲ ମାଡ଼ରେ ଥରୁଛି ପଶ୍ଚିମ ଏସିଆ
ଇସ୍ରାଏଲ ଆକ୍ରମଣରେ ଆକ୍ତାମାକ୍ତା ତେହେରାନ
ପଡୋଶୀ ଦେଶର ଆମେରିକା ଘାଟିକୁ ଇରାନର ଟାର୍ଗେଟ୍
ଆକ୍ରମଣ କରି କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି

ସପ୍ତାହେରୁ ଅଧିକ ସମୟ ଧରି ଜାରି ରହିଥିବା ମଧ୍ୟପ୍ରାଚ୍ୟର ମହାଯୁଦ୍ଧ ଉଗ୍ରରୂପ ନେଉଛି । ଗୋଟିଏ ପଟେ ଇରାନକୁ ସରେଣ୍ଡର କରିବାକୁ ଆମେରିକା ଚେତାବନୀ ଦେଉଛି, ଅନ୍ୟପଟେ ଧ୍ବଂସର ତାଣ୍ଡବଳୀଳା ଭିତରେ କଡ଼ା ଜବାବ ଦେଉଛି ଇରାନ । ଆଜି ତେହେରାନ ସମେତ ଇରାନର ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ଓ ଆମେରିକା ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି । ସେପଟେ ପଡୋଶୀ ଦେଶରେ ଥିବା ଆମେରିକା ଘାଟିକୁ ଆକ୍ରମଣ କରିବା ପରେ କ୍ଷମା ମାଗିଛନ୍ତି ଇରାନର ରାଷ୍ଟ୍ରପତି ।

ବୋମା ପଡୁଛି, ବଙ୍କର୍ ଉଡୁଛି... ନିଆଁରେ ଝଲସିଉଠୁଛି ସହର । ବଡ଼ ବଡ଼ କୋଠା ମାଟିରେ ମିଶିଲାଣି । ଚାଲିଗଲାଣି ହଜାର ହଜାର ଲୋକଙ୍କ ଜୀବନ । ତଥାପି ମଧ୍ୟ ପ୍ରାଚ୍ୟରେ ଚାଲିଥିବା ମହାସମର ଥମିବାର ନାଁ ନେଉନି। ବରଂ ଦିନ ଗଡ଼ିବା ସହ ଏହା ଆହୁରି ଅଧିକ ବିନାଶକାରୀ ସାବ୍ୟସ୍ତ ହେଉଛି ଆମେରିକା-ଇସ୍ରାଏଲ ଆଉ ଇରାନ ଭିତରେ ଚାଲିଥିବା ଏହି ମହାଯୁଦ୍ଧ।

ସପ୍ତାହେରୁ ଅଧିକ ସମୟ ଧରି ଜାରି ରହିଥିବା ମଧ୍ୟପ୍ରାଚ୍ୟର ମହାଲଢ଼େଇ ସମୟ ଗଡ଼ିବା ସହ ଉଗ୍ରରୂପ ନେଉଛି । ଗୋଟିଏ ପଟେ ଇରାନକୁ ଆଣ୍ଠୁମାଡ଼ିବାକୁ ବାରମ୍ବାର ଆମେରିକା ଚେତାବନୀ ଦେଉଥିବା ବେଳେ ମୁଣ୍ଡ ଟେକି ଯୁଦ୍ଧଂ ଦେହି ଆହ୍ବାନ ଦେଉଛି ଇରାନ । ଯାହାର ସାଂଘାତିକ ପରିଣାମର ପ୍ରମାଣ ଏ ଡ୍ରୋନ୍, ମିସାଇଲ ମାଡ଼ରୁ ଉଠୁଥିବା ନିଆଁ ପିଣ୍ଡୁଳା ଦେଉଛନ୍ତି। ଶନିବାର ତେହେରାନ ସମେତ ଇରାନ ବିଭିନ୍ନ ସାମରିକ ପ୍ରତିଷ୍ଠାନ ଉପରେ ଘନ ଘନ ଆକ୍ରମଣ କରିଛନ୍ତି ଇସ୍ରାଏଲ ଓ ଆମେରିକାର ଯୁଦ୍ଧ ବିମାନ।

ମିସାଇଲ ମାଡ଼ରେ ଜଳି ଉଠିଛି ତେହେରାନର ମୁଖ୍ୟ ବିମାନବନ୍ଦର ଇମାମ ଖୋମେନି ଏୟାରପୋର୍ଟ। ଇରାନର ପରମାଣୁ ହବ୍ କୁହାଯାଉଥିବା ଇସଫାହନାର ମିଲିଟାରୀ ଇନଫ୍ରାଷ୍ଟ୍ରକ୍ଚରକୁ ଟାର୍ଗେଟ୍ କରାଯାଇଛି। ଏଥି ସହ ରାଜଧାନୀ ତେହେରାନରେ ଥିବା ଏକାଧିକ ବଙ୍କରକୁ ଉଡ଼ାଇ ଦେଇଛି ଇସ୍ରାଏଲ। କୁହାଯାଉଛି ସେଣ୍ଟ୍ରାଲ ଇରାନର ମାଟିତଳେ ଥିବା ଏହି ବଙ୍କରକୁ ନିଜ ଅସ୍ତ୍ରଶସ୍ତ୍ରକୁ ସୁରକ୍ଷିତ ରଖିବା ଲାଗି ବ୍ୟବହାର କରୁଥିଲା ଇରାନର ସେନା। ଏମିତିକି ମାଟିତଳେ ମିଶାଇଲ ଟେକ୍ନୋଲୋଜିର ବିକାଶ ଲାଗି ମଧ୍ୟ ଏହି ସାଇଲୋ ବ୍ୟବହାର କରାଯାଉଥିବା ଦାବି ହୋଇଛି ।

ସେପଟେ ବାରମ୍ବାର ବିନା ସର୍ତ୍ତ ସରେଣ୍ଡର ନେଇ ଅଡି ବସିଥିବା ଟ୍ରମ୍ପଙ୍କୁ ପୁଣି ଥରେ ଯବାବ ଦେଇଛି ଇରାନ। କୌଣସି ବି ପରିସ୍ଥିତିରେ ଇରାନ ସରେଣ୍ଡର୍ କରିବନି ବୋଲି ଖୋଲା ଖୋଲି ଚେତାବନୀ ଦେଇଛନ୍ତି ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ। ଏମିତିକି ପଡ଼ୋଶୀଙ୍କ ଉପରେ କରିଥିବା ଆକ୍ରମଣ ଲାଗି କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ଗୋଟିଏ ପଟେ କ୍ଷମା ପ୍ରାର୍ଥନା ତ ଅନ୍ୟ ପଟେ ପୁଣି ପଡ଼ୋଶୀଙ୍କୁ ଘନ ଘନ ଆଟାକ୍। ଦୁବାଇ ବିମାନବନ୍ଦରରେ ଇରାନ ମିସାଇଲ ମାଡ଼ କରିଥିବାର ଦାବି ହୋଇଛି। ଇଣ୍ଟରନେଟରେ ଏହାର ଏକ ଦୃଶ୍ୟ ବି ସାମ୍ନାକୁ ଆସିଛି। ଯାହା ଫଳରେ ଦୁବାଇରୁ ପ୍ରଭାବିତ ହୋଇଛି ବିମାନ ଚଳାଚଳ ।

ସେପଟେ ମଧ୍ୟ ପ୍ରାଚ୍ୟରେ ଏହି ଯୁଦ୍ଧରେ ନିଜକୁ ଜୋରଜବରଦସ୍ତ ସାମିଲ କରିବାକୁ ବାଉଳା ହେଉଛି ପାକିସ୍ତାନ। ପାକ୍ ସେନାମୁଖ୍ୟ ଅସୀମ ମୁନୀରଙ୍କ ସାଉଦି ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ପାକ୍ ସେନାମୁଖ୍ୟ ଆସିଫ ମୁନିର ସାଉଦି ପ୍ରତିରକ୍ଷା ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଏବଂ ସାମରିକ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। କୁହାଯାଉଛି ପାକିସ୍ତାନର ଦୁର୍ବଳ ଆର୍ଥିକ ସ୍ଥିତିରେ ନିବେଶ ଲୋଭ ଦେଖାଇ ବଡ଼ ଚାଲ୍ ଖେଳିଛି ସାଉଦି।

ଯଦି ପାକିସ୍ତାନ ସାଉଦି ପାଇଁ ଇରାନ ବିରୁଦ୍ଧରେ ଯୁଦ୍ଧକୁ ଓହ୍ଲାଏ ତାହାହେଲେ ଏହା ବିଶ୍ବରେ ସମୀକରଣକୁ ପରିବର୍ତ୍ତନ କରିବ। ଗୋଟିଏ ପଟେ ଯୁଦ୍ଧକୁ ଓହ୍ଲାଇବାକୁ ବ୍ୟାକୁଳ ହେଉଛି ପାକିସ୍ତାନ ତ ଅନ୍ୟପଟେ ମହଙ୍ଗା ମାଡ଼ ସାଙ୍ଗକୁ ଗଭୀର ଆର୍ଥିକ ସଂକଟ ଭିତରେ ଘାଣ୍ଟି ଚକଟି ହେଉଛନ୍ତି ପାକିସ୍ତାନବାସୀ। ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ଦର ୩୨୧.୧୭ ଟଙ୍କାରେ ପହଞ୍ଚିଛି। ଡିଜେଲ ଦର ମଧ୍ୟ ବୃଦ୍ଧି ପାଇ ଲିଟର ପିଛା ୩୩୫.୮୬ ଟଙ୍କାରେ ବିକ୍ରି ହେଉଛି। ଶେହବାଜ ସରକାରଙ୍କ ନୂତନ ଘୋଷଣା ଅନୁଯାୟୀ, ପେଟ୍ରୋଲ ଲିଟର ପିଛା ପାକିସ୍ତାନୀ ମୁଦ୍ରାରେ ୫୫ ଟଙ୍କା ବୃଦ୍ଧି କରାଯାଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି-IMFର ସର୍ତ୍ତ ଓ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ। ପାକିସ୍ତାନୀ ଟଙ୍କାର ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବାରୁ ଆମଦାନୀ ଖର୍ଚ୍ଚ ବହୁଗୁଣିତ ହୋଇଛି ।

ମଧ୍ୟ ପ୍ରାଚ୍ୟ ସଂକଟର ପ୍ରଭାବ ପୁରା ବିଶ୍ବ ଅର୍ଥନୀତିରେ ପଡ଼ିବା ଆରମ୍ଭ ହୋଇଗଲାଣି। ତେଣୁ ଯଥା ଶୀଘ୍ର କୂଟନୈତିକ ସ୍ତରରେ ଏହି ବିବାଦର ସମାଧାନ ଲାଗି ଉଭୟ ପକ୍ଷଙ୍କୁ ତାଗିଦ କରିଛନ୍ତି ଜାତିସଂଘ ମହାସଚିବ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Israel Iran Conflict | Tehran Bleeds After Israeli Attack, Tensions Escalate in Iran | Argus News