Videos
|
International

Ladakh Earthquake / ଲଦାଖରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ୫.୫

Rashmita Mishra
Browse all articles by Rashmita Mishra
·37 mins ago·2 min read
ଲଦାଖରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ୫.୫
Ladakh Earthquake

Key Points

ଲଦାଖରେ ଶକ୍ତିଶାଳୀ ଭୂମିକମ୍ପ ରିକ୍ଟର ସ୍କେଲରେ ୫.୫ ।
ସକାଳୁ ଥରିଲା ଲେହ ୫.୫ ତୀବ୍ରତାର ଭୂମିକମ୍ପ ।
ଲଦାଖରେ ଭୂମିକମ୍ପ ଝଟକା ଏପର୍ଯ୍ୟନ୍ତ ବଡ଼ କ୍ଷୟକ୍ଷତି ନାହିଁ ।

ଲଦାଖର ଲେହ ଅଞ୍ଚଳରେ ଗୁରୁବାର ସକାଳେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ତଥ୍ୟ ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ ହୋଇଛି । ସକାଳ ପ୍ରାୟ ୬ଟା ୫ ମିନିଟ୍ ୧୫ ସେକେଣ୍ଡରେ ଏହି ଭୂକମ୍ପ ଘଟିଥିବା ବେଳେ ଏହାର ଉତ୍ପତ୍ତିସ୍ଥଳ ଭୂପୃଷ୍ଠରୁ ମାତ୍ର ୧୦ କିଲୋମିଟର ଗଭୀରରେ ଥିଲା ।

NCS ଅନୁସାରେ, ଭୂକମ୍ପର କେନ୍ଦ୍ରବିନ୍ଦୁ ୩୬.୮୮୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୪.୪୦୨ ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା । ଏହି ସ୍ଥାନ ଲେହ ଅଞ୍ଚଳରେ ଅବସ୍ଥିତ ଏବଂ କାର୍ଗିଲଠାରୁ ପ୍ରାୟ ୩୦୨ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମ ଦିଗରେ ରହିଛି ।

ଭୂକମ୍ପର ଝଟକା ଲେହ ଏବଂ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିବା ଖବର ମିଳିଛି । ତେବେ ପ୍ରାଥମିକ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ବଡ଼ଧରଣର ସମ୍ପତ୍ତି କ୍ଷୟକ୍ଷତିର ଖବର ସାମ୍ନାକୁ ଆସିନାହିଁ । ସ୍ଥାନୀୟ ପ୍ରଶାସନ ଏବଂ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ଲଦାଖ ହିମାଳୟ ଅଞ୍ଚଳର ଏକ ଭୂକମ୍ପପ୍ରବଣ କ୍ଷେତ୍ର ହୋଇଥିବାରୁ ଏଠାରେ ସମୟ ସମୟରେ ଭୂକମ୍ପ ଅନୁଭୂତ ହୋଇଥାଏ । ଆଜିର ଭୂକମ୍ପର ଗଭୀରତା କମ୍ ଥିବାରୁ ଝଟକା ଅଧିକ ଅନୁଭୂତ ହୋଇଥିବା ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ସ୍ଥିତି ସାଧାରଣ ଥିବା ଏବଂ କୌଣସି ବଡ଼ କ୍ଷୟକ୍ଷତି ରିପୋର୍ଟ ହୋଇନଥିବା ଜଣାପଡ଼ିଛି ।
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ମାପ କରାଯାଏ । ୭.୦ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂମିକମ୍ପକୁ ସାଧାରଣତଃ ବିପଦପୂର୍ଣ୍ଣ ଭାବରେ ବର୍ଗୀକୃତ କରାଯାଏ, ଯେତେବେଳେ ୨.୦ କିମ୍ବା ତା’ଠାରୁ କମ୍ ତୀବ୍ରତାର ଭୂମିକମ୍ପକୁ ସୂକ୍ଷ୍ମ-ଭୂମିକମ୍ପ ଭାବରେ ବିବେଚନା କରାଯାଏ, ଯାହାକୁ ଅଧିକାଂଶ ଲୋକ ଅନୁଭବ ମଧ୍ୟ କରିପାରିବେ ନାହିଁ ।

ଅନ୍ୟପକ୍ଷରେ, ୪.୫ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ଭୂମିକମ୍ପ କୋଠା ଏବଂ ଘରଗୁଡ଼ିକୁ କ୍ଷତି ପହଞ୍ଚାଇବାର ସମ୍ଭାବନା ଥାଏ । ପୂର୍ବରୁ ସୋମବାର ରାତିରେ ମହାରାଷ୍ଟ୍ରର ପାଲଘରରେ ଗୋଟିଏ ଘଣ୍ଟା ମଧ୍ୟରେ ଦୁଇଟି ଭୂମିକମ୍ପ ଅନୁଭୂତ ହୋଇଥିଲା । ଉଭୟ ଭୂମିକମ୍ପର ତୀବ୍ରତା ୩.୪ ଥିଲା । 

ସେପଟେ ଗୋଟାଏ ଦିନ ପୂର୍ବରୁ କଲମ୍ବିଆରେ ପ୍ରକୃତିର ଭୟଙ୍କର ତାଣ୍ଡବ । ୭.୪ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଲା କଲମ୍ବିଆ । ଏହି ଭୂକମ୍ପ ଝଟକା ଫଳରେ ମୃତ୍ୟୁସଂଖ୍ୟା ୧୧୧ରେ ପହଞ୍ଚିଛି । ଭୂକମ୍ପର ଝଟ୍‌କାରେ ଶହ ଶହ ଘର ଓ କୋଠା କ୍ଷତିଗ୍ରସ୍ତ ହୋଇଛି, ଅନେକ ଘର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଭଗ୍ନାବଶେଷ ତଳେ ଏବେ ବି ଅନେକ ଲୋକ ଫସିଥିବା ଆଶଙ୍କା କରାଯାଉଛି, ଯାହାଫଳରେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ଭୂକମ୍ପ ପରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ଜୋରଦାର କରାଯାଇଛି । ପଶ୍ଚିମ କଲମ୍ବିଆର କାଲି, କ୍ୱିବ୍ଡୋ, ପେରେଇରା ଏବଂ ଏହାର ଆଖପାଖ ଅଞ୍ଚଳରେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜୁଛନ୍ତି । ଅନେକ ଲୋକ ଏବେ ମଧ୍ୟ ମାଟି ତଳେ ଫସିଥିବା ଆଶଙ୍କା ରହିଛି । ଭୂକମ୍ପରେ ପ୍ରାୟ ୧,୬୦୦ଟି କୋଠା କ୍ଷତିଗ୍ରସ୍ତ କିମ୍ବା ଭୁଶୁଡ଼ି ପଡ଼ିଥିବା ଖବର ମିଳିଛି । ଅନେକ ପରିବାର ନିଜ ଘରର ଭଗ୍ନାବଶେଷ ମଧ୍ୟରେ ନିଖୋଜ ପରିଜନଙ୍କୁ ଖୋଜୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: