Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଏଠି ସବୁଠୁ ଅଧିକ ମୁସଲମାନ, ହେଲେ ସବୁଠି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏଠି ସବୁଠୁ ଅଧିକ ମୁସଲମାନ, ହେଲେ ସବୁଠି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି

ମୁସଲମାନ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆରେ ସନାତନ ସଂସ୍କୃତିର ଛାପ । ଏହି ଧର୍ମ... ବିଶ୍ୱ ଭାତୃତ୍ବର ଭାବ ଶିଖାଇଥାଏ। ସନାତନ ଧର୍ମ ବିଶ୍ୱର ଏକ ପ୍ରାଚୀନ ଧର୍ମ । ଭାରତରେ ହିନ୍ଦୁ ଦେବାଦେବୀଙ୍କୁ ନେଇ ଅନେକ ଅପମାନଜନକ ମନ୍ତବ୍ୟ ଦେଉଥିବା ବେଳେ ମୁସଲିମ ରାଷ୍ଟ୍ର ହୋଇଥିଲେ ସୁଦ୍ଧା ଇଣ୍ଡୋନେସିଆରେ ହିନ୍ଦୁ ଧର୍ମକୁ ସମ୍ମାନ ଦେବା ସହ ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତି ଏଠାରେ ଅଧିକ ପ୍ରତିଫଳିତ ହୋଇଥାଏ ।


ଏ ଦେଶର ନୋଟରେ ବିଘ୍ନରାଜ ଗଣେଶଙ୍କ ଫଟୋ ଦେଖ‌ିବାକୁ ମିଳେ। କେବଳ ଗଣେଶଙ୍କ ଫଟୋ ନୁହଁ ଇଣ୍ଡୋନେସିଆର ନୋଟରେ ଦେବୀ ପାର୍ବତୀ, ଭଗବାନ ଶ୍ରୀରାମ ଓ ଅନେକ ହିନ୍ଦୁ ଦେବତାଙ୍କ ଫଟୋ ରହି ଆସିଛି। ଦେଶର ପ୍ରମୁଖ ସପିଙ୍ଗ ମଲର ନାମ ରାମାୟଣ ପ୍ଲାଜା। ଏହି ଦେଶର ଅଧିକାଂଶ ମାଲବାହୀ ଏବଂ ଯାତ୍ରୀବାହୀ ଜାଜାହାଜର ନାଁ ମହାଭାରତର ଚରିତ୍ର ଦ୍ରୋପଦୀ, ନକୁଳ, ସହଦେବ, ଯୁଧୃଷ୍ଠିର ଓ ଅର୍ଜୁନଙ୍କ ନାମରେ ନାମିତ ।

କେବଳ ଇଣ୍ଡୋନେସିଆର ନୋଟ୍‌ରେ ନୁହେଁ ଏ ଦେଶର ବିମାନ ସେବାରେ ମଧ୍ୟ ହିନ୍ଦୁତ୍ବର ଛାପ ରହିଛି । ଇଣ୍ଡୋନେସିଆର ଏୟାରଲାଇନ୍ସ ନାମ ଗରୁଡ଼ ଏୟାରଲାଇନ୍ସ । ଏହି ଏୟାରଲାଇନ୍ସର ବିମାନ ଗୁଡ଼ିକରେ ବ୍ୟବହୃତ ଲୋଗୋରେ ଗରୁଡ଼ ଚିହ୍ନ ରହିଛି। ଏହାଛଡ଼ା ଘରୋଇ ବିମାନ ସେବାର ନାଁ ଜଟାୟୁ ଏୟାରଲାଇନ୍ସ। ଏହା ବ୍ୟତୀତ ଇଣ୍ଡୋନେସିଆ ଏୟାରପୋର୍ଟରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ସବୁ ଦେଖିବାକୁ ମିଳେ ।

ଇଣ୍ଡୋନେସିଆର ଗସ୍ତି ନାଗୁର ରାୟ ଇଣ୍ଟରନ୍ୟାସନାଲ ଏଆରପୋର୍ଟରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଶୋଭା ପାଉଛି । ଏହି ଏୟାରପୋର୍ଟ ମଧ୍ୟ ଜଣେ ହିନ୍ଦୁଙ୍କ ନାଁରେ ହିଁ ହୋଇଛି । ଗସ୍ତି ନାଗୁର ରାୟ ଇଣ୍ଡୋନେସିଆରେ ହିଁ ଜନ୍ମ ହୋଇଥିଲେ। ତା’ପରେ ସେନାରେ ଯୋଗଦେଇ କର୍ଣ୍ଣେଲ ହୋଇଥିଲେ । ସେ ହିନ୍ଦୁ ଧର୍ମର ଥିଲେ କିନ୍ତୁ ଇଣ୍ଡୋନେସିଆକୁ ଡଚ୍ ଦଖଲରୁ ମୁକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଇଣ୍ଡୋନେସିଆର ଜଣେ ସାହସୀ ଯୋଦ୍ଧା ଭାବରେ ତାଙ୍କ ନାମ ଦେଶର ଇତିହାସରେ ଲିପିବଦ୍ଧ । ଦେଶରେ ତାଙ୍କ ନାମରେ ଅନେକ ପ୍ରତିମୂର୍ତ୍ତି ଅଛି ଏବଂ ଡାକ ଷ୍ଟାମ୍ପ ମଧ୍ୟ ଜାରି କରାଯାଇଛି।

ଗସ୍ତି ନାଗୁର ରାୟ ଏୟାରପୋର୍ଟରେ ବିରାଜମାନ ଅଛନ୍ତି ଅଗ୍ରପୂଜ୍ୟ ଗଣେଷ ଓ ତାଙ୍କ ବାହାନ ମୂଷିକ । ଏଠାକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର । ସେହିପରି ବାଲି ବିମାନ ବନ୍ଦରରେ ସ୍ଥାପିତ ହୋଇଛି ସୁବାହୁଙ୍କ ପ୍ରତିମୂର୍ତ୍ତି । ରାମାୟଣରେ ସୁବାହୁଙ୍କ ବିଷୟରେ ଉଲ୍ଲେଖ ଅଛି । ସେ ତାଡକା ଏବଂ ସୁଣ୍ଡଙ୍କର ପୁତ୍ର ଥିଲେ। ସେ ମାରିଚଙ୍କ ଭାଇ ଏବଂ ଲଙ୍କାର ରାଜା ରାବଣଙ୍କ ଭଣଜା ଥିଲେ । ସେ ଜଣେ ରାକ୍ଷସ ଥିଲେ । ରାମାୟଣ ଅନୁଯାୟୀ, ବିଶ୍ୱାମିତ୍ରଙ୍କ ଯଜ୍ଞକୁ ସୁରକ୍ଷା ଦେବା ବେଳେ ପ୍ରଭୁ ଶ୍ରୀରାମ ସୁବାହୁଙ୍କୁ ହତ୍ୟା କରିଥିଲେ।

ଏହା ବ୍ୟତୀତ ବାଲି ବିମାନବନ୍ଦରରେ ଭଗବାନ ବିଷ୍ଣୁ ଏବଂ ଗରୁଡ଼ଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଇଣ୍ଡୋନେସିଆରେ ଭଗବାନ ବିଷ୍ଣୁଙ୍କର ବହୁତ ମାନ୍ୟତା । ସେଠାରେ ତାଙ୍କର ଅନେକ ମନ୍ଦିର ଅଛି । ସୂଚନା ଅନୁସାରେ ୧୦-୧୧ ଶତାବ୍ଦୀ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ହିନ୍ଦୁ ସଂଖ୍ୟାଗରିଷ୍ଠ ରାଷ୍ଟ୍ର ଥିଲା ଏବଂ ରାଜାମାନେ ମଧ୍ୟ ହିନ୍ଦୁ ଥିଲେ । କିନ୍ତୁ ସମୟ କ୍ରମେ ଧର୍ମ ପରିବର୍ତ୍ତନ ପରେ ଏହି ଦେଶରେ ମୁସଲମାନଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା । ବର୍ତ୍ତମାନ ଇଣ୍ଡୋନେସିଆ ହେଉଛି ବିଶ୍ୱର ସର୍ବବୃହତ ମୁସଲମାନ ଦେଶ, ଏହାର ଜନସଂଖ୍ୟା ୨୭ କୋଟିରୁ ଅଧିକ । ଏଥିରେ ୮୭.୨ ପ୍ରତିଶତ ଜନସଂଖ୍ୟା ମୁସଲମାନ, ହିନ୍ଦୁମାନେ ମାତ୍ର ୧.୭ ପ୍ରତିଶତ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Largest Number of Muslims are Here, But Everywhere Statues of Hindu Lord | Argus News