ଟ୍ରମ୍ପ୍ ପ୍ରଶାସନର ଟାରିଫର ଶକ୍ତ ଜବାବ ଦେବାକୁ ପ୍ରସ୍ତୁତ ମୋଦି ସରକାର

Key Points
ଟ୍ରମ୍ପଙ୍କ ଟାରିଫ୍ ଓ୍ବାରର ଜବାବ ଦେବାକୁ ପ୍ରସ୍ତୁତ ଭାରତ
ମଧ୍ୟରାତ୍ରରୁ ଭାରତ ଉପରେ ୫୦% ଟାରିଫ୍ ଲଗାଇବ ଆମେରିକା
ଟ୍ରମ୍ପଙ୍କୁ ମୁକାବିଲା ପାଇଁ ଭାରତର ସ୍ବତନ୍ତ୍ର ରଣନୀତି
ଡଲାରର ଏକଚାଟିଆ ମନମାନି ଉପରେ ଲାଗିବ ରୋକ
ଚୀନ୍, ରୁଷିଆ ଓ ଜାପାନ ସହ ସମ୍ପର୍କ ହେଉଛି ମଜଭୁତ
ନିଜ ପ୍ରଭାବ ଦେଖାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ମନମାନି । ମଧ୍ୟରାତ୍ରରୁ ଭାରତ ଉପରେ ଲାଗୁ ହେବ ୫୦ ପ୍ରତିଶତ ଟାରିଫ୍ । ଆମେରିକାର ଟାରିଫ୍ ଓ୍ବାରକୁ ମୁକାବିଲା କରିବାକୁ ଭାରତର ସ୍ବତନ୍ତ୍ର ରଣନୀତି । ଟ୍ରମ୍ପ୍ ପ୍ରଶାସନର ଟାରିଫର ଶକ୍ତ ଜବାବ ଦେବାକୁ ପ୍ରସ୍ତୁତ ମୋଦି ସରକାର । ଭାରତ ବାର୍ଷିକ ପ୍ରାୟ ୪୩୪ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ବିଦେଶକୁ ରପ୍ତାନୀ କରିଥାଏ । ସେଥିରୁ ପ୍ରାୟ ୮୭ ବିଲିୟନ ଡଲାର ଆମେରିକାକୁ ପଠାଯାଇଥାଏ । ବିଶେଷ କରି ଫାର୍ମାସିଟ୍ୟୁକାଲସ୍, ଟେଲିକମ୍ ସାମଗ୍ରୀ ଓ ଦାମୀ ଷ୍ଟୋନ ପଠାଇବାରେ ଭାରତର ରେକର୍ଡ ରହିଛି । ଆମେରିକାର ଟାରିଫ୍ ବୃଦ୍ଧି ପରେ ଏଗୁଡିକ ପ୍ରଭାବିତ ହୋଇପାରେ ।
ଏଥିସହ ଟେକ୍ସଟାଇଲ ଓ ପୋଷାକ, ଅଳଙ୍କାର, ଚମଡା ଓ ଯୋତା, ସାମୁଦ୍ରିକ ସାମଗ୍ରୀ, ଆସବାବପତ୍ର, କାଗଜ ଓ କାଠ ନିର୍ମିତ ସାମଗ୍ରୀ, କେମିକାଲସ, ଅଟୋମୋବାଇଲସ ଓ ଅଟୋ ପାର୍ଟସ, ଲୁହା,ଷ୍ଟିଲ, ଆଲୁମିନିୟମ, କୃଷି ଦ୍ରବ୍ୟ, କାଚ, ପଥର, ରବର ଓ ଦୁଗ୍ଦଜାତ ସାମଗ୍ରୀ ଉପରେ ଏହାର ସିଧାସଳଖ ପ୍ରଭାବ ପଡିବାର ଆଶଙ୍କା ରହିଛି । କିନ୍ତୁ କୌଣସି ପରିସ୍ଥିତିରେ ଭାରତୀୟଙ୍କ ସ୍ବାର୍ଥ ସହ ସାଲିସ କରାଯିବ ନାହିଁ ବୋଲି ପୂର୍ବରୁ ରୋକ ଠୋକ୍ ଶୁଣାଇ ଦେଇଥିଲେ ପ୍ରଧାନମନ୍ତ୍ରୀ । ଭାରତ ଉପରେ କୌଣସି ଚାପ କାମ କରିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ । କ୍ଷୁଦ୍ରଚାଷୀ, ଲଘୁ ଉଦ୍ୟୋଗୀ ଓ ଛୋଟ ଦୋକାନୀମାନଙ୍କ ସ୍ବାର୍ଥ ସହ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ।
📱 Get Argus News App
✨ଟ୍ରମ୍ପଙ୍କ ଟାରିଫ ଓ୍ବାରର ମୁକାବିଲା କରିବାକୁ ଭାରତ ବିଶ୍ବର ଅନ୍ୟ ସୁପର ପାଓ୍ବାରଙ୍କ ସହ ସମ୍ପର୍କ ଯୋଡିବାକୁ ଚେଷ୍ଟା କରୁଛି । ଏଥିପାଇଁ ଏସସିଓ ବୈଠକରେ ଯୋଗ ଦେବେ ପିଏମ୍ ମୋଦି । ଏଥିରେ ରୁଷିଆ ରାଷ୍ଟ୍ରପତି ଭ୍ଲଦିମିର ପୁତିନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିବେ । ଏଥିସହ ଆସନ୍ତା ୨୯ରେ ଜାପାନ ସହ ଦ୍ବିପାକ୍ଷିକ ସମ୍ପର୍କବୃଦ୍ଧି ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ସେପଟେ ଜର୍ମାନୀ କହିଛି ଟାରିଫ୍ ମୁକ୍ତ ବାଣିଜ୍ୟ ପାଇଁ ବଡ ପ୍ରତିବନ୍ଧକ । ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଟାରିଫ୍ ସର୍ବନିମ୍ନ ରହିବା ଦରକାର ବୋଲି ଜର୍ମାନୀର ରାଷ୍ଟ୍ରଦୂତ କହିଛନ୍ତି ।