ଚୀନ୍ ସ୍କୁଲରେ ବ୍ୟାପୁଛି ରହସ୍ୟଜନକ ନିମୋନିଆ

ଅର୍ଗସ ବ୍ୟୁରୋ: ଚୀନ୍ର ସ୍କୁଲ୍ଗୁଡ଼ିକରେ ଏବେ ବ୍ୟାପି ଚାଲିଛି ରହସ୍ୟଜନକ ନିମୋନିଆ। ଏଭଳି ଡାକ୍ତରଖାନା ସବୁ ଏଥିରେ ଆକ୍ରାନ୍ତ ପିଲାମାନଙ୍କଦ୍ବାରା ଭରପୂର ହୋଇଯାଉଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ତାଇୱାନ୍ର ଏକ ଟିଭି ରିପୋର୍ଟ କରିଛି ଯେ, ବେଜିଙ୍ଗ୍ ଓ ଲିଆଓନିଙ୍ଗ୍ରେ ଥିବା ଡାକ୍ତରଖାନାକୁ ନିମୋନିଆ ଦ୍ବାରା ଆକ୍ରାନ୍ତ ହୋଇଥିବା ଅସଂଖ୍ୟ ପିଲା ଆସୁଛନ୍ତି।
ବେଜିଙ୍ଗ୍ର ଜଣେ ନାଗରିକ କହିଛନ୍ତି, ଅନେକ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ କାଶୁ ନାହାନ୍ତି କି, ସେମାନଙ୍କଠରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ଖାଲି ଭୀଷଣ ଜର ଆସୁଛି। ଫୁସ୍ଫୁସ୍ ଭିତରେ ଫଳିଗଲା ପରି ପରୀକ୍ଷାରୁ ଜଣାପଡ଼ିଛି।
ଇନ୍ଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଯାଉଥିବା ଏହି ରୋଗ ସଂକ୍ରମଣ, ବିଶେଷକରି ପିଲାମାନଙ୍କଠାରେ ଅଧିକ ଦେଖାଯାଉଥିବାରୁ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ଚୀନ୍କୁ ଏ ବିଷୟରେ ଅଧିକ ତଥ୍ୟ ମାଗିଛି।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ‘ନ୍ୟାସ୍ନାଲ୍ ହେଲ୍ଥ୍ କମିସନ୍’ରୁ ଆସିଥିବା ଚୀନ୍ ସରକାରୀ କର୍ତ୍ତୃପକ୍ଷମାନେ ନଭେମ୍ବର ୧୨ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଦେଶରେ ଏହି ଶ୍ବାସପ୍ରଶ୍ବାସଜନିତ ରୋଗ ସଂକ୍ରମଣ ବୃଦ୍ଧି ପାଉଥିବା କଥା ସୂଚନା ଦେଇଥିଲେ। କୋଭିଡ୍-୧୯ କଟକଣା ଉଠାଯାଇ ଦିଆଯିବାରୁ ଏହା ବ୍ୟାପିଥିବା କଥା ସେମାନେ କହିଥିଲେ। ସଂକ୍ରମଣ ହାର ହ୍ରାସ କରିବା ପାଇଁ କିଛି କଟକଣା ମାନି ଚଳିବା ଲାଗି ସେମାନେ ଦେଶବାସୀଙ୍କୁ କହିଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର