Videos
|
International

Mysterious Radio Signal / ମହାକାଶରୁ ମିଳିଲା ରହସ୍ୟମୟ ରେଡିଓ ସିଗନାଲ୍, ଏଲିଅନଙ୍କଠାରୁ ଆସିଛି କି ସଙ୍କେତ?

Bikash Mohanty
Browse all articles by Bikash Mohanty
·1 hour ago·2 min read
ମହାକାଶରୁ ମିଳିଲା ରହସ୍ୟମୟ ରେଡିଓ ସିଗନାଲ୍, ଏଲିଅନଙ୍କଠାରୁ ଆସିଛି କି ସଙ୍କେତ?
Aliens

Key Points

ପୃଥିବୀକୁ ରେଡିଓ ତରଙ୍ଗ ପଠାଇଲେ ଏଲିଅନ୍‌ !
ଚୀନ୍‌ ବୈଜ୍ଞାନିକଙ୍କ ଦାବି ପରେ ବଢ଼ିଲା ଚର୍ଚ୍ଚା
ମିଳିଲା କି ଏଲିଏନସର ସନ୍ଧାନ? 

ପୃଥିବୀ ବାହାରେ ଜୀବନ ଅଛି କି ନାହିଁ, ଏହାକୁ ନେଇ ବର୍ଷ ବର୍ଷ ଧରି ଗବେଷଣା ଚାଲିଛି। ଏଲିଅନଙ୍କ ଅସ୍ତିତ୍ୱକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ଚୀନ୍‌ର ବୈଜ୍ଞାନିକମାନେ ଏକ ରହସ୍ୟମୟ ରେଡିଓ ସିଗନାଲ୍‌ ଠାବ କରିଥିବା ଦାବି କରିଛନ୍ତି। ଏହି ସିଗନାଲ୍‌ ପୃଥିବୀଠାରୁ ପ୍ରାୟ ୨୩୮ ଆଲୋକବର୍ଷ ଦୂରରେ ଥିବା K2-155 ନକ୍ଷତ୍ରମଣ୍ଡଳ ଦିଗରୁ ଆସିଥିବା କୁହାଯାଉଛି। ଏହାକୁ ନେଇ ମହାକାଶ ବିଜ୍ଞାନ ଜଗତରେ ଉତ୍ସୁକତା ବଢ଼ିଛି।

‘ଦି ଆଷ୍ଟ୍ରୋନୋମିକାଲ୍ ଜର୍ଣ୍ଣାଲ’ରେ ପ୍ରକାଶିତ ଏକ ଗବେଷଣା ଅନୁଯାୟୀ, ଏହି ରେଡିଓ ସିଗନାଲ୍‌ ଅତ୍ୟନ୍ତ ସୂକ୍ଷ୍ମ ଏବଂ ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସିରେ କେନ୍ଦ୍ରୀଭୂତ। ଏହାର ଗଠନ ସାଧାରଣ ମହାକାଶୀୟ ସିଗନାଲ୍‌ଠାରୁ ଭିନ୍ନ ବୋଲି ଗବେଷକମାନେ ଲକ୍ଷ୍ୟ କରିଛନ୍ତି। ତେଣୁ ଏହା କୌଣସି କୃତ୍ରିମ ବା ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ସୃଷ୍ଟି ହୋଇଥାଇପାରେ ବୋଲି ଆଲୋଚନା ହେଉଛି।

କେମିତି ମିଳିଲା ଏହି ସିଗନାଲ୍?

ଚୀନ୍‌ର ପ୍ରସିଦ୍ଧ FAST ରେଡିଓ ଟେଲିସ୍କୋପ୍‌ ଦ୍ୱାରା ୨୦୨୧ ମସିହାରେ ସଂଗୃହୀତ ତଥ୍ୟକୁ ଅଧ୍ୟୟନ କରିବା ସମୟରେ ଏହି ସିଗନାଲ୍‌ର ସନ୍ଧାନ ମିଳିଥିଲା। ଗବେଷକମାନେ ୩୩ଟି ଗ୍ରହମଣ୍ଡଳର ତଥ୍ୟ ଯାଞ୍ଚ କରୁଥିଲେ। ଏହି ସମୟରେ NBS 260108 ନାମକ ଏକ ବିଶେଷ ସିଗନାଲ୍‌ ରେକର୍ଡ ହୋଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଟେଲିସ୍କୋପ୍‌ର ୧୯ଟି ବିମ୍‌ ମଧ୍ୟରୁ କେବଳ K2-155 ନକ୍ଷତ୍ରମଣ୍ଡଳ ଆଡ଼କୁ ଲକ୍ଷ୍ୟ ରଖିଥିବା ବିମ୍‌ରେ ଏହି ସଙ୍କେତ ଧରାପଡ଼ିଥିଲା। ଏହି ନକ୍ଷତ୍ରମଣ୍ଡଳରେ ତିନୋଟି ସୁପର ଆର୍ଥ ରହିଛି। ସୁପର ଆର୍ଥ ହେଉଛି ପୃଥିବୀଠାରୁ ଅଧିକ ଭର ଥିବା, କିନ୍ତୁ ନେପଚ୍ୟୁନ୍‌ଠାରୁ କମ୍‌ ଭର ବିଶିଷ୍ଟ ଗ୍ରହ।

ସିଗନାଲ୍‌କୁ ନେଇ କାହିଁକି ଚର୍ଚ୍ଚା?

ଗବେଷକଙ୍କ ଅନୁଯାୟୀ, ଏହି ସିଗନାଲ୍‌ର ଫ୍ରିକ୍ୱେନ୍ସି ଧୀରେ ଧୀରେ ତଳକୁ ଖସୁଥିବା ଦେଖାଯାଇଛି। ସର୍ଭେ ଚାର୍ଟରେ ଏହା ଏକ ପତଳା ଓ ବଙ୍କା ରେଖା ଭଳି ଦେଖାଯାଉଛି। ଏଭଳି ଗଠନ ଯୋଗୁଁ ଏହାର ଉତ୍ସକୁ ନେଇ ପ୍ରଶ୍ନ ଉଠିଛି।

ତେବେ ଏହି ସିଗନାଲ୍‌ ଏଲିଅନଙ୍କଠାରୁ ଆସିଛି ବୋଲି ଏପର୍ଯ୍ୟନ୍ତ କୌଣସି ଠୋସ୍‌ ପ୍ରମାଣ ମିଳିନାହିଁ। ଏହା ମହାକାଶରୁ ଆସିଥିବା ସଙ୍କେତ ନା ପୃଥିବୀରୁ ସୃଷ୍ଟି ହୋଇଥିବା କୌଣସି ମନୁଷ୍ୟକୃତ ରେଡିଓ ତରଙ୍ଗ, ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଅଧିକ ଗବେଷଣା କରୁଛନ୍ତି। ଏହି ଗବେଷଣାର ଫଳାଫଳ ଆଗାମୀ ଦିନରେ ମହାକାଶରେ ଜୀବନର ସନ୍ଧାନ ସମ୍ପର୍କରେ ନୂଆ ତଥ୍ୟ ଦେଇପାରେ। କିନ୍ତୁ ଏବେ ପାଇଁ ଏହା ଏକ ରହସ୍ୟମୟ ରେଡିଓ ସିଗନାଲ୍‌ ମାତ୍ର।