୯ ମାସ ୧୪ ଦିନ ପରେ ପୃଥିବୀକୁ ଫେରିଲେ ସୁନୀତା ୱିଲିୟମ୍ସ, ଫ୍ଲୋରିଡା ଉପକୂଳରେ ଓହ୍ଲାଇଲେ

ପୃଥିବୀକୁ ଫେରିଲେ ସୁନୀତା । ମହାକାଶରୁ ପୃଥିବୀପୃଷ୍ଠକୁ ଫେରିଛନ୍ତି ସୁନୀତା ୱିଲିୟମ୍ସ । ବିଶ୍ଵବାସୀଙ୍କୁ ଚକିତ କରି ମହାକାଶରୁ ଫେରିଛନ୍ତି ସୁନୀତା ୱିଲିୟମ୍ସ ଓ ବୁଚ ୱିଲମୋର ଏବଂ କ୍ରୁ-୯ ସଦସ୍ୟ ମହାକାଶଚାରୀ ନିକ ହେଗ ଓ ଆଲେକଜାଣ୍ଡର ଗୋର୍ବୁନୋଭ । ସଫଳତାର ବଡ଼ ମାଇଲଖୁଣ୍ଟ ଅତିକ୍ରମ କରିଛି ନାସା ଓ ସ୍ପେଶ୍ ଏକ୍ସର ମିଳିତ ଅଭିଯାନ ।
ମହାକାଶରେ ୯ ମାସ ୧୪ ଦିନ ବିତାଇବା ପରେ ସୁନୀତା ପୃଥିବୀକୁ ଫେରିଛନ୍ତି । ଡ୍ରାଗନ୍ ସ୍ପେସକ୍ରାଫ୍ଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳେ ତାପମାତ୍ରା ଅଧିକ ହୋଇ ଯାଇଥିଲା । ତାପମାତ୍ରା ୧୬୫୦ ଡିଗ୍ରୀ ସେଲସିୟସ୍ରୁ ଅଧିକ ହେବାରୁ ୭ ମିନିଟ୍ ପର୍ଯ୍ୟନ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ।
Splashdown confirmed! #Crew9 is now back on Earth in their @SpaceX Dragon spacecraft. pic.twitter.com/G5tVyqFbAu
📱 Get Argus News App
✨ସୁନୀତା ଆଣ୍ଡ ଟିମ୍କୁ ମହାକାଶରୁ ନେଇ ଆସିଛି ଡ୍ରାଗନ୍ କ୍ୟାପସୁଲ୍ । ଯୋଜନା ଅନୁସାରେ, ଭୋର ୩ଟା ୨୭ ମିନିଟରେ ଆମେରିକାର ଫ୍ଲୋରିଡା ସମୁଦ୍ରରେ ଲ୍ୟାଣ୍ଡ କରିଥିଲେ ମହାକାଶଚାରୀ । ପୂର୍ବରୁ ପହଞ୍ଚିବା ସମୟ ଧାର୍ଯ୍ୟ କରିଥିଲା ନାସା । କ୍ରୁ-୯ ମିଶନକୁ ପୃଥିବୀକୁ ସୁରକ୍ଷିତ ଭାବରେ ଫେରାଇବା ସୁନିଶ୍ଚିତ କରିବା ପାଇଁ ଗତ ରବିବାର ସ୍ପେସ ଏକ୍ସ ଅଧିକାରୀଙ୍କ ସହ ସାକ୍ଷାତ କରି ଫ୍ଲୋରିଡା ଉପକୂଳରେ ପାଗ ଏବଂ ଲ୍ୟାଣ୍ଡିଂ ସ୍ଥାନ ଯାଞ୍ଚ କରିଥିଲା ନାସା ।
ବୋଇଂ ଓ ନାସାର ମିଳିତ କ୍ରୁ ଫ୍ଲାଇଟ୍ ଟେଷ୍ଟ ମିଶନରେ ସୁନୀତା ଓ ବୁଚ୍ ଯାଇଥିଲେ । ଯେଉଁଥିରେ ସ୍ପେସକ୍ରାଫ୍ଟର ପାଇଲଟ୍ ଥିଲେ ସୁନୀତା । ବୁଚ୍ ୱିଲମୋର ଏହି ମିଶନର କମାଣ୍ଡର ଥିଲେ । ଉଭୟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୮ ଦିନ ରହି ପୃଥିବୀକୁ ଫେରିବାର ଥିଲା ।
୨୦୨୪ ଜୁନ୍ ୫ ତାରିଖ ରାତି ୮ଟା ୨୨ରେ ବୋଇଂର ଷ୍ଟାରଲାଇନର ସ୍ପେସକ୍ରାଫ୍ଟକୁ ଆଟଲସ ଭି ରକେଟ୍ରେ ଉତକ୍ଷେପଣ କରାଯାଇଥିଲା । ଥ୍ରଷ୍ଟରରେ ସମସ୍ୟା ଯୋଗୁଁ ୬ ଜୁନ୍ ରାତି ୯ଟା ୪୫ ପରିବର୍ତ୍ତେ ୧୧ଟା ୩୦ରେ ସ୍ପେସ ଷ୍ଟେସନ ପହଞ୍ଚିଥିଲା । ଏହି ମିଶନର ଉଦ୍ଦେଶ୍ୟ ଥିଲା ମହାକାଶଚାରୀଙ୍କୁ ସ୍ପେସ ଷ୍ଟେସନ ନେଇ ପୁଣି ଫେରିବାର କ୍ଷମତା ପ୍ରଦର୍ଶନ କରିବା । ଆଉ ୮ ଦିନର ରହଣୀ ସମୟରେ ଅନେକ ପରୀକ୍ଷା ନିରୀକ୍ଷା ବି ହେବାର ଥିଲା ।
ସୁନୀତାଙ୍କୁ ଫେରାଇ ଆଣିବାକୁ ନାସା ପକ୍ଷରୁ ଏକାଧିକ ଉଦ୍ୟମ ବିଫଳ ହୋଇଥିଲା । ଶେଷରେ ଏଲନ୍ ମସ୍କଙ୍କ ସ୍ପେସ୍ ଏକ୍ସ ବଢ଼ାଇଥିଲା ସହଯୋଗର ହାତ । ୯ ମାସର ପ୍ରତୀକ୍ଷା ପରେ ସୁନୀତା ଓ ବୁଚ୍ଙ୍କ ସହ ଆଉ ୨ ଜଣ ମଧ୍ୟ ମହାକାଶରୁ ପୃଥିବୀପୃଷ୍ଠକୁ ଫେରିଛନ୍ତି ।