ନେପାଳରେ ରାଜନୈତିକ ସଂକଟ: ଉପପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ Gen-Z

Key Points
ନେପାଳରେ ବଢୁଛି ରାଜନୈତିକ ସଂକଟ
ଖୁବଶୀଘ୍ର ଦେଶ ଛାଡ଼ ପାରନ୍ତି ପିଏମ କେପି ଶର୍ମା ଓଲୀ
ଉପପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଦେଲେ Gen-Z
ସଂଦସ ଭବନ ଆଗରେ ବିଜୟ ଉତ୍ସବ ମନାଇଲେ ବିଦ୍ରୋହୀ
ଅସନ୍ତୋଷ ଓ ଅଶାନ୍ତି ନିଆଁରେ ଜଳୁଛି ନେପାଳ । ହିଂସାତ୍ମକ ବିଦ୍ରୋହରେ ୨ ଦିନ ମଧ୍ୟରେ ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ହୁହୁ ହୋଇ ଜଳୁଛି ନେପାଳ ରାଷ୍ଟ୍ରପତି ଓ ମନ୍ତ୍ରୀଙ୍କ ବାସଭବନ । ବିଦ୍ରୋହୀଙ୍କ କବଜାରେ ରହିଛି ନେପାଳ ସଂସଦ, ରାଷ୍ଟ୍ରପତି ଭବନ । ରାଜଧାନୀ କାଠମାଣ୍ଡୁରେ ଅସୁରକ୍ଷିତ ପ୍ରଧାନମନ୍ତ୍ରୀ କେପି ଓଲୀଙ୍କୁ ଦେଶ ବାହାରକୁ ପଠାଇବାକୁ ଯୋଜନା କରୁଛି ନେପାଳ ସେନା । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଓ ପିଏମ କେପି ଓଲୀଙ୍କ ଇସ୍ତାଫା ପରେ ନେପାଳ ସଂସଦ ଭବ ଆଗରେ ବିଜୟ ଉତ୍ସବ ମନାଉଛନ୍ତି Gen-Z ବିକ୍ଷୋଭକାରୀ । ପଡୋଶୀ ନେପାଳକୁ ଭାରତରୁ ବିମାନ ଉଡାଣ ଅନିର୍ଦ୍ଦିଷ୍ଟ କାଳ ପାଇଁ ରଦ୍ଦ ହୋଇଛି । ଭାରତୀୟ ଦୂତାବାସ ପକ୍ଷରୁ ପ୍ରବାସୀ ଭାରତୀୟଙ୍କ ପାଇଁ ଜାରି ହୋଇଛି ଆଡଭାଇଜରୀ ।
ନେପାଳରେ ଓଲୀ ଶାସନର ଅନ୍ତ ହେବା ସହ କାଠମାଣ୍ଡୁ ମେୟର ବାଲେନ୍ଦ୍ର ଶାହ ଓରଫ ବୋଲେନ ଶାହ କ୍ଷମତା ଅକ୍ତିଆର କରିବା ନେଇ ଚର୍ଚ୍ଚା ଜୋର ଧରିଛି । କମ୍ୟୁନିଷ୍ଟ ପାର୍ଟି ମୁଖ୍ୟାଳୟ ସହ କ୍ଷମତାସୀନ ନେପାଳୀ କଂଗ୍ରେସ ପାର୍ଟି ଅଫିସରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ । ଉପପ୍ରଧାନମନ୍ତ୍ରୀ ବିଷ୍ଣୁପ୍ରସାଦଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । କୀର୍ତ୍ତିପୁର ନଗରପାଳିକା ଭବନ, ନେପାଳୀ କଂଗ୍ରେସ ଅଧ୍ୟକ୍ଷଙ୍କ ଘର ବି ଜଳିଛି । ଏପଟେ ନେପାଳରେ ଆନ୍ଦୋଳନକୁ ମିଳିଛି ବଡ଼ ରାଜନୈତିକ ସମର୍ଥନ । ଇସ୍ତଫା ଦେଇଛନ୍ତି ନେପାଳ ଗୃହ, କୃଷି ଓ ସ୍ବାସ୍ଥ୍ୟ ମନ୍ତ୍ରୀ। ଆଉ ୨୧ ଜଣ ସାଂସଦ ଇସ୍ତଫା ଦେବାକୁ କରିଛନ୍ତି ଘୋଷଣା ।
ଦୁର୍ନୀତିକୁ ନେଇ ବର୍ଷବର୍ଷ ଧରି କୁହୁଳିଥିବା ଜନ ଅସନ୍ତୋଷ ନେଇଛି ଭୟଙ୍କର ରୂପ । ଜନତାଙ୍କ ଦାବିକୁ ଅଣଦେଖା କରି ବିଦ୍ରୋହର ସ୍ବର ଚାପିବାକୁ ବିଫଳ ହୋଇଛି ଓଲୀ ସରକାର । ଦେଶରେ ୨୮ ସୋସିଆଲ ମିଡିଆ ଉପରେ କଟକଣା ଘୋଷଣା ପରେ ଉଗ୍ର ରୂପ ଧାରଣ କରିଥିଲା ଅଶାନ୍ତି । ମାତ୍ର ୨ ଦିନ ମଧ୍ୟରେ Gen-Z ବିଦ୍ରୋହୀ ସରକାରଙ୍କୁ ନାକେଦମ କରିଛନ୍ତି ।
ସେପଟେ CCS ବୈଠକରେ ନେପାଳ ହିଂସା ଉପରେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧକ୍ଷତାରେ ସୁରକ୍ଷା ସମ୍ୱନ୍ଧିତ କ୍ୟାବିନେଟ୍ କମିଟି ବୈଠକରେ ନେପାଳ ହିଂସା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି । ମୋଦୀ ନେପାଳ ହିଂସାକୁ ହୃଦୟବିଦାରକ ବୋଲି କହିଛନ୍ତି । ପଡୋଶୀ ଦେଶରେ ସ୍ଥିରତା, ଶାନ୍ତି ଓ ସମୃଦ୍ଧି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହିମାଚଳ ପ୍ରଦେଶ ଓ ପଞ୍ଜାବ ଗସ୍ତରୁ ଫେରିବା ପରେ କ୍ୟାବିନେଟ୍ ସୁରକ୍ଷା କମିଟି ବୈଠକରେ ନେପାଳ ଘଟଣାକ୍ରମକୁ ନେଇ ବିସ୍ତୃତରେ ଆଲୋଚନା ହୋଇଛି । ଅନେକ ପିଲାଙ୍କ ଏଥିରେ ଜୀବନ ଯାଇଥିବା ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଶାନ୍ତି ବ୍ୟବସ୍ଥା ବଜାୟ ରଖିବା ପାଇଁ ମୁଁ ମୋର ନେପାଳର ସମସ୍ତ ଭାଇ-ଭଉଣୀଙ୍କୁ ନିବେଦନ କରୁଛି ବୋଲି କହିଛନ୍ତି ମୋଦି ।