Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Nepal Protest: ମନ୍ତ୍ରୀଙ୍କ ଝିଅର ସାମାନ୍ୟ ଭୁଲ ପାଇଁ ଜଳିଲା ପୁରା ଦେଶ

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·4 min read
Nepal Protest: ମନ୍ତ୍ରୀଙ୍କ ଝିଅର ସାମାନ୍ୟ ଭୁଲ ପାଇଁ ଜଳିଲା ପୁରା ଦେଶ

Key Points

ନେପୋକିଡ୍‌ଙ୍କ ଆଲିସାନ ବଙ୍ଗଳା, ଲକ୍ଷାଧିକ ଟଙ୍କାର ହାଣ୍ଡ ବ୍ୟାଗ୍, ଲଗଜରୀ ଲାଇଫ୍‌ ଷ୍ଟାଇଲ୍ ।

ଏମିତି ଖାଲି ଖାଲିରେ ନେପୋକିଡ୍‌ଙ୍କ ବିରୋଧରେ ରାଗିନାହାନ୍ତି ନେପାଳର ଯୁବପିଢ଼ି ।

ପାର୍ଲାମେଣ୍ଟ ଜଳିଲା । ଯୁବ ପିଢ଼ି ରାସ୍ତାକୁ ଆସିଲେ । ଭଙ୍ଗାରୁଜା ହେଲା, ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଲା । ଅନେକଙ୍କ ଜୀବନ ଗଲା । ରାତାରାତି ସରକାର ବଦଳିଗଲା । ଆଜ୍ଞା ହଁ... ଆମେ କହୁଛୁ ସେଇ ନେପାଳର କଥା । Gen-Zକୁ ଯେଉଁମାନେ ଗୁରୁତ୍ୱର ସହ ନେଉନଥିଲେ, ସେମାନେ ଆଜି ସାରା ବିଶ୍ୱରେ ଚର୍ଚ୍ଚିତ ।

ଗୋଟିଏ ପଟେ ନେପାଳ ନେପୋକିଡ୍‌ ମାନଙ୍କ ଲଗ୍‌ଜୁରୀ ଲାଇଫ ଅନ୍ୟପଟେ ଜନତା ବେହାଲ । ବିଦେଶରେ ଅଏସ୍‌ କରୁଥିଲେ ନେପୋକିଡ୍, ଏପଟେ ରୋଜଗାର ନପାଇ ଦେଶ ଛାଡ଼ୁଥିଲେ ଯୁବକ-ଯୁବତୀ । ରାସ୍ତା ଉପରେ ଚିତ୍କାର କରୁଥିଲେ ନେପାଳର ଯୁବ ବର୍ଗ, ସେପଟେ ବିଦେଶରେ ମସ୍ତିରେ ମସଗୁଲ ଥିଲେ ମନ୍ତ୍ରୀଙ୍କ ପିଲା । ତେବେ କିଏ ସେଇ ମନ୍ତ୍ରୀଙ୍କ ପିଲା, ଯାହାକୁ ଦେଖି ଚିହିଁକି ଉଠିଲେ ନେପାଳର Gen-Z ।

ଆଲିସାନ ବଙ୍ଗଳା, ଲକ୍ଷାଧିକ ଟଙ୍କାର ହାଣ୍ଡ ବ୍ୟାଗ୍, ଲଗଜରୀ ଲାଇଫ୍‌ ଷ୍ଟାଇଲ୍ । ଏମିତି ଖାଲି ଖାଲିରେ ନେପୋକିଡ୍‌ଙ୍କ ବିରୋଧରେ ରାଗିନାହାନ୍ତି ନେପାଳର ଯୁବପିଢ଼ି ।

ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସେମାନଙ୍କ ମନରେ ଏତେ କ୍ରୋଧ ଥିଲା ଯେ, ସରକାର ଭାଙ୍ଗିଦେଲେ । ପୁରା ଦେଶକୁ ଦୋହଲାଇ ଦେଲେ । ନେତା ମନ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । ନେପାଳରେ ଏଯାହା ସବୁ ଘଟିଲା ତାହା ସମସ୍ତେ ଦେଖିଲେ । ହେଲେ ଏତେ ରାଗ ପଛରେ ମୁଖ୍ୟ କାରଣ କ'ଣ ? ଏହି ରାଗ ସୋସିଆଲ ମିଡିଆ ବ୍ୟାନ୍‌କୁ ନେଇ ବିଲକୁଲ ବି ନଥିଲା । ଏହି ଲଢ଼େଇ ଥିଲା ନିଜର ହକ୍‌ ପାଇଁ,‍ ନିଜର ଅଧିକାର ପାଇଁ, ନେପୋକିଡ୍‌ଙ୍କୁ ତାଙ୍କର ଔକାତ୍‌ ଦେଖାଇବା ପାଇଁ ।

ନେପାଳରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଏକ ବଡ଼ ଦୂରତା ରହିଛି । ଯେତେବଳେ ନେପାଳରେ ରାଜତନ୍ତ୍ର ଚାଲିଥିଲା, ସେତେବେଳେ ବି ନେତା ମନ୍ତ୍ରୀ ଅଭିନେତା ହିଁ ଲଗ୍‌ଜରୀ ଲାଇଫ୍‌ ବଞ୍ଚୁଥିଲେ । ଯାହାକି ଲୋକତନ୍ତ୍ର ଆସିବା ପରେ ବି ବଦଳିଲା ନାହିଁ । ଧନୀ-ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ଧିରେ ଧିରେ ବଢ଼ିବାକୁ ଲାଗିଲା ।

ସୋସିଆଲ ମିଡିଆ ଆସିବା ପରେ ନେପୋକିଡ୍‌ଙ୍କ ଲାଇଫଷ୍ଟାଇଲ ସାଧାରଣ ଯୁବବର୍ଗଙ୍କ ସାମ୍ନାକୁ ଆସିଲା । ଯେଉଁଠି ସାଧାରଣ ଲୋକଟିଏ ପାଖରେ ରୋଜଗାର ନାହିଁ, ସାମାନ୍ୟ କିଛି ଟଙ୍କା ପାଇଁ ତାକୁ ଦେଶ ଛାଡ଼ିବାକୁ ପଡ଼ୁଛି, ସେଇଠି ନେତା-ମନ୍ତ୍ରୀଙ୍କ ପିଲାମାନେ ବିଦେଶରେ ରହି ମଉଜ ମଜଲିସ୍ କରୁଛନ୍ତି । ଏହି ଘଟଣା ହିଁ.. ଜେନ୍‌-ଜିଙ୍କ ମନରେ ନିଆଁ ଲଗାଇଥିଲା । ଏହାବାଦ୍‌ ଓଲି ସରକାର ସମୟରେ ୩ ଏମିତି ବଡ଼ ଘୋଟଲା ହୋଇଥିଲା, ଯାହାକି ଯୁବକମାନଙ୍କୁ ଅଧିକ କ୍ରୋଧିତ କରିଥିଲା।

ଗୋଟିଏ ପଟେ ନେପାଳ ସରକାର ଯୁବକଙ୍କୁ ରୋଜଗାର ଦେଇପାରୁ ନଥିଲା, ଅନ୍ୟପଟେ ସୋସିଆଲ ମିଡିଆ ମାଧ୍ୟମରେ ଯୁବପିଢ଼ି ଯେଉଁ ସାମାନ୍ୟ କିଛି ରୋଜଗାର କରୁଥିଲା, ତାକୁ ମଧ୍ୟ ଛଡ଼ାଇ ନେଲେ ସରକାର। ଅର୍ଥାତ୍ ସୋସିଆଲ ମିଡିଆ ବ୍ୟାନ କରିଦେଲେ ସରକାର । ଏହାପରେ ହିଁ ସଡ଼କଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ତାଣ୍ଡବ ଆରମ୍ଭ ହେଲା । Gen-Zଙ୍କ ମନରେ ଚିଙ୍ଗାରି ଲାଗିସାରିଥିଲା, କିନ୍ତୁ ସରକାର ଗୁଳି ଚଳାଇ ସେଇ ନିଆଁକୁ ଆହୁରି ତେଜିଲେ । ଏହାପରେ ଯାହା ହେଲା, ପୁରା ବିଶ୍ୱ ଦେଖିଲା ।

ନେପାଳ ସୋସିଆଲ ମିଡିଆରେ #ନେପୋକିଡ୍ସ #ପଲିଟିସିଆନ୍ #ନେପୋବେବି ଟ୍ରେଣ୍ଡ କରିବାକୁ ଲାଗିଲା । ଏଥିରେ ନେପାଳର ଗରିବି ରେଖା ତଳେ ଜୁଝୁଥିବା ଯୁବ ବର୍ଗଙ୍କୁ ଦେଖାଯିବା ସହ ନେପୋକିଡ୍‌ଙ୍କ ଲଗ୍‌ଜୁରୀ ଲାଇଫ୍‌କୁ ମଧ୍ୟ ଦେଖାଯାଇଥିଲା। ସେମାନଙ୍କ ପାଖରେ ଥିବା ଦାମୀ ଗାଡ଼ି, ଦାମୀ ଘର, ଦାମୀ ହାଣ୍ଡବ୍ୟାଗ୍‌ ସାମ୍ନାକୁ ଆସିଲା । ଖାଲି ସେତିକି ନୁହେଁ, ସେଥିରେ ଏକ ନ୍ୟାରେସନ୍ ମଧ୍ୟ ତିଆରି କରାଗଲା । ନେପୋ କିଡ୍‌ କିଛି ନକରି ମଧ୍ୟ କିପରି ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଛନ୍ତି । ସେମାନେ ଯାହା ଚାହୁଁଛନ୍ତି ତାଙ୍କୁ ମିଳୁଛି । କିଏ ମିସ୍ ନେପାଳ ହେଲାଣି ତ କିଏ ଚାମ୍ବର ଅଫ କମର୍ସର ଟାଇଟଲ ଜିତିଛନ୍ତି ।

ଏହି ସବୁ ସାମ୍ନାକୁ ଆସିବା ପରେ Zen-Gଙ୍କ ଅଭିଯୋଗ ଥିଲା ଯେ, ଏମାନେ କେବଳ ବଡ଼ ବଡ଼ିଆଙ୍କ ପିଲା ବୋଲି ତାଙ୍କୁ ସବୁ ମିଳୁଛି । ସାଧାରଣ ଲୋକଙ୍କୁ ଲୁଟ କରି ସେମାନେ ଅଏସ କରୁଛନ୍ତି ।

ତେବେ ଏହି ନେପୋକିଡ୍‌ ମାନଙ୍କ ମଧ୍ୟରେ ସବୁଠାରୁ ପ୍ରଥମ ନାଁ ଆସୁଛି ଶୃଙ୍ଖଳା ଖତିଓ୍ୱାଡ଼ା । ସେ ପୂର୍ବରୁ ମିସ୍ ନେପାଳ ମଧ୍ୟ ରହି ସାରିଛନ୍ତି । କିନ୍ତୁ ସାଧାରଣ ଯୁବ ବର୍ଗଙ୍କ କହିବା କଥା ତାଙ୍କୁ ଏହି ଟାଇଟଲ କେବଳ ତାଙ୍କ ବାପାଙ୍କ ପାଇଁ ମିଳିଛି । କାରଣ ତାଙ୍କ ବାପା ହେଉଛନ୍ତି ନେପାଳର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବୀରୋଦ ଖତିଓ୍ୱାଡ଼ା । ଶୃଙ୍ଖଳା ଲଗ୍‌ଜୁରି ଲାଇଫ୍‌ ବଞ୍ଚନ୍ତି, ବିଦେଶରେ ଛୁଟି କାଟନ୍ତି । ଜେନ୍‌-ଜି ଆନ୍ଦୋଳନ ପରେ ତାଙ୍କର ପ୍ରାୟ ଏକ ଲକ୍ଷ ଫଲୋଅର୍ସ କମିଯାଇଛନ୍ତି ।

ଦ୍ୱିତୀୟ ନେପୋକିଡ୍ ହେଲେ.. ସୌଗତ ଥାପା । ଇଏ ସେଇ ନେପୋ କିଡ୍ ଯିଏ ନିଜ ବାପାଙ୍କ ବଳରେ ଚ୍ୟାମ୍ବର ଅଫ କମର୍ସ ଟାଇଟଲ ଜିତିଛନ୍ତି । ସୌଗତ ହେଉଛନ୍ତି ପୂର୍ବତନ ଆଇନମନ୍ତ୍ରୀ ବିନ୍ଦୁ କୁମାର ଥାପାଙ୍କ ପୁଅ । ଜେନ୍‌-ଜିଙ୍କ କହିବା କଥା, ଇଏ ବିଦେଶରେ ରୁହନ୍ତି.. ବଡ଼ ବଡ଼ ଗାଡ଼ିରେ ବୁଲନ୍ତି.. ସତେ ଯେମିତି ଯୋ କୌଣସି ବଡ଼ ବ୍ୟବସାୟୀଙ୍କ ପୁଅ ।

ଏହାପରେ ଜେନ୍-ଜୀଙ୍କ ନେପୋକିଡ୍‌ ତାଲିକାରେ ରହିଛନ୍ତି ବୀନା ମଗର । ଇଏ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦେହେଲ ପ୍ରଚଣ୍ଡଙ୍କ ବୋହୁ । ସେ ନିଜେ ନେପାଳର ଜଳମନ୍ତ୍ରୀ ମଧ୍ୟ ଥିଲେ। ଏହି ସମୟରେ ତାଙ୍କ ନାଁରେ ଅନେକ ଭ୍ରଷ୍ଟାଚାର ଆରୋପ ଲାଗିଛି । କୁହାଯାଏ ସେ ସରକାରୀ ଅର୍ଥରେ ବିଦେଶ ଗସ୍ତ କରନ୍ତି ।

ଏହାପରେ ଶିବାନା ଶ୍ରେଷ୍ଠା । ଇଏ ହେଉଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ବୋହୁ । ଇଏ ମଧ୍ୟ ସୋସିଆଲ ମିଡିଆରେ ନିଜର ଲାଇଫ୍‌ଷ୍ଟାଇଲ ଦେଖେଇ ସାଧାରଣ ଜନତାଙ୍କୁ ଚିଡ଼ାଉଥିଲେ ।

ଏମିତି କିଛି ଦେଖିବା ପରେ ନେପାଳର ସାଧାରଣ ଜନତା ନେପୋକିଡ୍‌ଙ୍କ ଘରେ ନିଆଁ ଲଗାଇଦେଇଥିଲେ । ସେମାନଙ୍କ ସେଇ ଗୋଟିଏ ଅଭିଯୋଗ... ଏପଟେ ଦେଶର ସାଧାରଣ ଯୁବବର୍ଗ ଗରିବିରେ ଜୁଝୁଥିବା ବେଳେ ଏମାନେ ଲୋକଙ୍କ ଅର୍ଥରେ ଅଏସ କରୁଛନ୍ତି । ଅନ୍ୟପଟେ ଏମାନଙ୍କ କାରଣରୁ ହିଁ ନେପାଳ ଏବେ ଏସିଆର ସବୁଠାରୁ ବଡ଼ ଭ୍ରଷ୍ଟ ଦେଶ ଭାବେ ଗଣାହେଉଛି ।

ଏହି ନେପୋ କିଡ୍‌ଙ୍କ ବାପା ମାନେ ହିଁ ଦେଶର ସାଧାରଣ ଯୁବ ବର୍ଗଙ୍କ ଉପରେ ଗୁଳି ଚଳାଇଥିଲେ । ତାପରେ ନେପାଳରେ ନିଆଁ ହୁ ହୁ ହୋଇ ବଢ଼ିଥିଲା । ଆପଣ ଏହି ନେପୋ କିଡ୍‌ମାନଙ୍କୁ ନେଇ କ'ଣ କହିବେ ? ଆମକୁ କମେଣ୍ଟ ବକ୍ସରେ ଜଣାନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nepal Protest: The whole country was burnt down for a minor mistake of the minister's daughter | Argus News