40ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଜେଦ୍ଦାରେ ମୋଦି

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଉଦୀ ଆରବରେ ସ୍ବତନ୍ତ୍ର ସ୍ବାଗତ କରାଯାଇଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ବିଶେଷ ବିମାନ ‘ଏୟାର ଇଣ୍ଡିଆ ୱାନ’ ସାଉଦି ଆରବର ବାୟୁସୀମାରେ ପ୍ରବେଶ କରିବା ମାତ୍ରେ ରୟାଲ ସାଉଦୀ ଏୟାର ଫୋର୍ସର ଏଫ-୧୫ଟି ଯୁଦ୍ଧ ବିମାନ ଏହାକୁ ଜେଦ୍ଦା ବିମାନବନ୍ଦର ପର୍ଯ୍ୟନ୍ତ ଏସ୍କର୍ଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ସାଉଦୀ ଆରବର କ୍ରାଉନ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ସଲମାନଙ୍କ ନିମନ୍ତ୍ରଣରେ ଦୁଇ ଦିନିଆ ରାଜ୍ୟ ଗସ୍ତରେ ଜେଦ୍ଦା ପହଞ୍ଚିଛନ୍ତି। ଏହା ତାଙ୍କର ତୃତୀୟ ସାଉଦୀ ଗସ୍ତ ଏବଂ ଜେଦ୍ଦାକୁ ପ୍ରଥମ ଗସ୍ତ ଅଟେ, ଯାହା ଗତ ୪୦ ବର୍ଷରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜେଦ୍ଦା ଗସ୍ତ ହୋଇଛି।
ଜେଦ୍ଦା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ସମ୍ମାନ ସହ ମକ୍କାର ଡେପୁଟି ଗଭର୍ନର ଏଚଆରଏଚ ପ୍ରିନ୍ସ ସାଉଦ ବିନ ମିଶାଲ ବିନ ଅବଦୁଲାଜିଜ ଅଲ ସାଉଦଙ୍କ ଦ୍ୱାରା ସ୍ବାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଜେଦ୍ଦାରେ ପ୍ରବାସୀ ଭାରତୀୟଙ୍କ ସହ ମିଶିଥିଲେ। ଏ ଅବସରରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ପାରମ୍ପରିକ ନୃତ୍ୟ ଓ ‘ସାରେ ଜହାଁ ସେ ଅଚ୍ଛା’ ଗୀତ ଗାଇଥିଲେ।
ସାଉଦୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଭାରତ-ସାଉଦୀ ଆରବ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ କାଉନସିଲର ଦ୍ୱିତୀୟ ନେତା ସମ୍ମିଳନୀରେ ମିଳିତ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ, ରକ୍ଷା, ଶକ୍ତି, ବାଣିଜ୍ୟ, ବିନିଯୋଗ ଏବଂ ସାଂସ୍କୃତିକ ସହଯୋଗିତାକୁ ଆହୁରି ମଜବୁତ କରିବା ପାଇଁ ଅନ୍ୟୂନ ୬ଟି ବୁଝାମଣା ପତ୍ର ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ଏଥି ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ହଜ କୋଟା ବୃଦ୍ଧି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର: