Earthquake: ଆଫଗାନିସ୍ତାନର ଭୟଙ୍କର ଭୂମିକମ୍ପରେ ୮୦୦ରୁ ଅଧିକ ମୃତ

Key Points
ଅଢ଼େଇ ହଜାର ଆହତ, ଧ୍ବଂସସ୍ତୁପ ତଳେ ପୋତି ହୋଇରହିଛନ୍ତି ଅନେକ ।
ରେସକ୍ୟୁ ଅପରେସନକୁ ଜୋରଦାର ।
ଜାତିସଂଘ ପକ୍ଷରୁ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇଛି ।
ଆଫଗାନିସ୍ତାନର ଭୟଙ୍କର ଭୂମିକମ୍ପରେ ୮୦୦ରୁ ଅଧିକ ଜୀବନ ଗଲାଣି । ଏବେ ବି ଅନେକଙ୍କ ପତ୍ତା ମିଳୁନି । ଧ୍ବଂସସ୍ତୁପ ତଳେ ଅନେକ ପୋତି ହୋଇ ଯାଇଛନ୍ତି । ଭୟଙ୍କର ଭୂମିକମ୍ପରେ ଅଢେଇ ହଜାରରୁ ଅଧିକ ଆହତ ହୋଇଛନ୍ତି । ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଛି । ଭୂମିକମ୍ପ ପ୍ରଭାବିତ ଆଫଗାନିସ୍ତାନକୁ ଜାତିସଂଘ ଜରୁରୀକାଳୀନ ସହାୟତା ଯୋଗାଇ ଦେଇଛି ।
ଭୟଙ୍କର ଭୂକମ୍ପରେ ହୋଇଥିବା ପ୍ରାଣହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ କଠିନ ସମୟରେ ଆମେ ସେମାନଙ୍କ ସହ ଅଛୁ ବୋଲି ସୋସିଆଲ ମିଡିଆ X ରେ ଲେଖିଛନ୍ତି ପିଏମ୍ । ଏହାସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ମାନବୀୟ ସହାୟତା ଏବଂ ରିଲିଫ୍ ଯୋଗାଇବାକୁ ଭାରତ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମୋଦି ।
ରବିବାର ରାତି ପ୍ରାୟ ୧୨ଟା ୪୭ରେ ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଥିଲା ଆଫଗାନିସ୍ତାନର ଉତ୍ତର-ପୂର୍ବ ଭାଗ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଜଲାଲାବାଦଠାରୁ ୨୭ କିଲୋମିଟର ଉତ୍ତର-ପୂର୍ବରେ ୮ କିଲୋମିଟର ଗଭୀରରେ ରହିଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଗତ ସପ୍ତାହରେ ମଧ୍ୟ ଭୂକମ୍ପରେ ଥରିଥିଲା ଆଫଗାନିସ୍ତାନ ।