Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଏହି ଦେଶରେ ଆତଙ୍କବାଦୀ-ବିଚ୍ଛିନ୍ନତାବାଦୀଙ୍କ ପରେ ଏବେ ଡକାୟତ ବି କଲେଣି ରାଜ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏହି ଦେଶରେ ଆତଙ୍କବାଦୀ-ବିଚ୍ଛିନ୍ନତାବାଦୀଙ୍କ ପରେ ଏବେ ଡକାୟତ ବି କଲେଣି ରାଜ !

ଅର୍ଗସ ବ୍ୟୁରୋ: ପାକିସ୍ତାନର ମୁଣ୍ଡ ବିନ୍ଧା କମିବାର ନାଁ ଧରୁନି । ପୂର୍ବରୁ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀଙ୍କ ଦ୍ବାରା ଧ୍ୱସ୍ତ ହୋଇସାରିଥିବା ଏହି ଦେଶ ଏବେ ନୂଆ ସମସ୍ୟାରେ ପଡ଼ିବାକୁ ଯାଉଛି । ଏହି ଦେଶ କେବଳ ଆତଙ୍କବାଦ ନୁହେଁ ଡକାୟତ ମାନଙ୍କ ଦ୍ବାରା ମଧ୍ୟ ଜୁଝୁଛି । ଡକାୟତମାନେ ପାକିସ୍ତାନବାସୀଙ୍କୁ ନାକରେ ପାଣି ପିଆଇ ସାରିଲେଣି । ପାକିସ୍ତାନର ସବୁଠାରୁ ଧନୀ ରାଜ୍ୟ କୁହାଯାଉଥିବା ପଞ୍ଜାବରେ ଡକାୟତମାନେ ସତେ ଯେମିତି ରାଜ କରୁଛନ୍ତି । ଡକାୟତଙ୍କ ଦୌରାତ୍ମ୍ୟରେ ଅତିଷ୍ଟ ହୋଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ଶେଷରେ ୪୦ ଡକାୟତଙ୍କ ଫଟୋ ବାହାର କରାଯାଇଛି । ସେମାନଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରଖାଯାଇଛି । ଖାଲି ସେତିକି ନୁହେଁ ସେମାନଙ୍କ ମୁଣ୍ଡ ପିଛା ୫୦ ଲକ୍ଷ ଓ ୨୫ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରାଯାଇଛି ।

ଡକାୟତଙ୍କ ଏହି ଗ୍ରୁପ ଖୁବ୍‌ ଶକ୍ତିଶାଳୀ । ଏମାନେ ପୋଲିସକୁ ମଧ୍ୟ ଛାଡ଼ନ୍ତି ନାହିଁ । ଯଦି ପୋଲିସ ଏମାନଙ୍କ ରାସ୍ତାରେ ଆସେ ତେବେ ସେମାନେ ରକେଟ ଲଞ୍ଚର ମାଡ଼ କରିବାକୁ ପଛାନ୍ତି ନାହିଁ । ଯେଉଁଥିରେ ଅନେକ ପୋଲିସ ଅଧିକାରୀ ମୃତ୍ୟୁବରଣ ବି କରିସାରିଛନ୍ତି । ଏହି ଡକାୟତ ଗ୍ୟାଙ୍ଗ ପଞ୍ଜାବର ବିତ୍ତଶାଳୀ ଓ ସମୃଦ୍ଧଶାଳୀ ଲୋକଙ୍କୁ ଟାର୍ଗେଟ କରନ୍ତି । ସେମାନଙ୍କୁ ଅପହରଣ କରନ୍ତି । ତା'ପରେ ସେମାନଙ୍କୁ ଛାଡ଼ିବା ବଦଳରେ ମୋଟା ଅଙ୍କର ଟଙ୍କା ମାଗନ୍ତି । ଏମାନେ ଏତେ ଶକ୍ତିଶାଳୀ ଯେ ପାକିସ୍ତାନ ପୋଲିସ, ଗୁଇନ୍ଦା କିମ୍ବା ସେନା ବି ସେମାନଙ୍କୁ ଧରିପାରୁ ନାହିଁ ।

ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଡକାୟତମାନଙ୍କ ମଧ୍ୟରୁ ଅନେକ ନିଜର ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଆରମ୍ଭ କରିଛନ୍ତି। ଜଣେ ଡକାୟତ ଶାହିଦ ବାଲୋଚ୍.. ନିଜ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ମଧ୍ୟ ୟୁଜରଙ୍କୁ ଅନୁରୋଧ କରିଛି । ବାଲୋଚ୍ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି କହିଛି, 'ମୁଁ ମୋ ଫ୍ୟାନମାନଙ୍କ ପ୍ରତି ବହୁତ କୃତଜ୍ଞ, ଯେଉଁମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି ଏବଂ ଅନ୍ୟମାନଙ୍କ ସହ ସେୟାର କରିଛନ୍ତି ଏବଂ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ମୁଁ ଆପଣଙ୍କୁ ପସନ୍ଦ ଆସୁଥିବା ଭିଡିଓ ପୋଷ୍ଟ କରିବି। ସେ ଆହୁରି କୁହିଛି ଯେ ଯେଉଁମାନେ ମୋର ଭିଡିଓ ଦେଖିବା ପାଇଁ ଇଣ୍ଟରନେଟ୍ ପ୍ୟାକେଜ୍ କିଣି ପାରୁ ନାହାନ୍ତି ସେମାନେ ମୋତେ ଜଣାନ୍ତୁ, ମୁଁ ଇଣ୍ଟରନେଟ ପ୍ୟାକେଜ ପକାଇବା ବ୍ୟବସ୍ଥା କରିଦେବି । କିନ୍ତୁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ଦେଖନ୍ତୁ ।'

"କଚାୟ କେ ଦାଖୋ/ଡାକୁ" ନାଁରେ ଏହି ସ୍ଥାନୀୟ ଡକାୟତମାନେ ଜଣାଶୁଣା । ଏମାନେ ପଞ୍ଜାବ, ସିନ୍ଧ ଏବଂ ବେଲୁଚିସ୍ତାନର ସୀମାନ୍ତ ଜିଲ୍ଲାଗୁଡ଼ିକରେ ଖୁବ୍ ସକ୍ରିୟ । ସେମାନେ ପୋଲିସ ଉପରେ ଆକ୍ରମଣ ମଧ୍ୟ କରନ୍ତି । ସ୍ଥାନୀୟ ଧନୀ ଲୋକଙ୍କ ଫସଲ ପୋଡ଼ି ନଷ୍ଟ କରନ୍ତି, ସେମାନଙ୍କୁ ଅପହରଣ କରି ଟଙ୍କା ମାଗନ୍ତି, ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରନ୍ତି ଏବଂ ଗାଁଗୁଡ଼ିକୁ ନିଜ କବ୍‌ଜାକୁ ନିଅନ୍ତି ।

ଏହାକୁ ନେଇ ଏବେ ପଞ୍ଜାବ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଆଉ ସେମାନଙ୍କୁ ଧରିବା ପାଇଁ ଗୋଟି ଚଳାଇଛନ୍ତି । ସେମାନେ ୪୦ ଡକାୟତଙ୍କ ନାମ ଏବଂ ଫଟୋ ପ୍ରକାଶ କରିଛନ୍ତି । ସେମାନଙ୍କ ଉପରେ ପୁରସ୍କାର ଘୋଷଣା କରିଛନ୍ତି। ସେମାନଙ୍କୁ ଯିଏ ଧରିବାରେ ସାହାଯ୍ୟ କରିବ ସେମାନଙ୍କୁ ୫୦ ଲକ୍ଷ ଏବଂ ୨୫ ଲକ୍ଷ ପାକିସ୍ତାନୀ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ଏଭଳି ୨୦ ଜଣ ହାଇ-ପ୍ରୋଫାଇଲ୍ ଡକାୟତଙ୍କ ତାଲିକା ପ୍ରକାଶ କରି ସେମାନଙ୍କ ମୁଣ୍ଡ ପିଛା ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan Announces A Reward Of 50 Lakh For The Arrest Of 40 Dangerous Dacoits | Argus News