ଆତଙ୍କବାଦର କେନ୍ଦ୍ରସ୍ଥଳ ହେଉଛି ପାକିସ୍ତାନ

Key Points
ପାକିସ୍ତାନର ଅଭିଯୋଗ ଉପରେ ଭାରତର କଡା ଜବାବ
ଆତଙ୍କବାଦର କେନ୍ଦ୍ରସ୍ଥଳ ହେଉଛି ପାକିସ୍ତାନ
ବିଫଳତା ପାଇଁ ଅନ୍ୟକୁ ଅଙ୍ଗୁଳି ଦେଖାଇବା ବନ୍ଦକର
ନିଜ ଦେଶର ଆଭ୍ୟନ୍ତରୀଣ ସମସ୍ୟା ପାଇଁ ଉତ୍ତରଦାୟିତ୍ବ ନିଅ
ପାକିସ୍ତାନକୁ ଏଭଳି ଶାଣିତ ଆକ୍ରମଣ କରିଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର
ଜାଫର ଏକ୍ସପ୍ରେସ ଅପହରଣ ଘଟଣାକୁ ନେଇ ଭାରତ ଉପରେ ଦୋଷ ଠେଲିଲା ପାକିସ୍ତାନ । ଅଭିଯୋଗ ଉପରେ କଡ଼ା ଭାଷାରେ ଜବାବ ଦେଇଛି ଭାରତ । ଏହି ମାମଲାରେ ଭାରତର ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିବା ପରେ ଭାରତ କହିଛି ଆତଙ୍କବାଦର କେନ୍ଦ୍ରସ୍ଥଳ କେଉଁଠି ତାହା ସାରା ବିଶ୍ବ ଜାଣିଛି । ଭାରତର ସମର୍ଥିତ ଆତଙ୍କବାଦ ଅଭିଯୋଗକୁ ଦୃଢ଼ ଖଣ୍ଡନ କରିଛନ୍ତି ଭାରତ ସରକାର । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟଶ୍ବାଲ କହିଛନ୍ତି, ପାକିସ୍ତାନର ଅଭିଯୋଗ ଭିତ୍ତିହୀନ। ନିଜ ଦେଶର ଆଭ୍ୟନ୍ତରୀଣ ସମସ୍ୟା ଏବଂ ନିଜର ବିଫଳତା ପାଇଁ ଅନ୍ୟ ଆଡ଼କୁ ଆଙ୍ଗୁଳି ଉଠାଇବା ବଦଳରେ ପାକିସ୍ତାନ ନିଜ ଦୋଷ ଦେଖିବା ଉଚିତ । ଆତଙ୍କବାଦ, ମୁଦ୍ରାସ୍ଫୀତି ଓ ଦେଶର ଆଭ୍ୟନ୍ତରୀଣ ସମସ୍ୟାରେ ଜୁଝି ହେଉଥିବା ପାକିସ୍ତାନ ଏବେ ନିଜରଦୋଷ ଲୁଚାଇବାକୁ ଅନ୍ୟ ଉପରେ ଦୋଷ ଠେଲୁଛି । ଏପରିକି ବଲୁଚ୍ ସ୍ବାଧୀନତା ଆନ୍ଦୋଳନ ପାଇଁ ଭାରତ ପ୍ରୋତ୍ସାହନ ଦେଉଛି ବୋଲି ପାକ୍ ଅଭିଯୋଗ କରିଛି ।
ଆତଙ୍କବାଦୀଙ୍କ ପେଣ୍ଠସ୍ଳଳୀ କୁହାଯାଉଥିବା କ୍ବେଟା ଅଂଚଳରୁ ଯାତ୍ରା ଆରମ୍ଭ କରିଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରି ନିଆଯାଇଥିଲା । ବଲୁଚ୍ ଲିବରେସନ ଆର୍ମି ପକ୍ଷରୁ ଟ୍ରେନ୍ ଯାତ୍ରୀମାନଙ୍କୁ ମୁଣ୍ଡଜାମିନ ରଖି ବିଭିନ୍ନ ଦାବି ରଖିଥିଲେ । ଟ୍ରେନକୁ ଟାର୍ଗେଟ କରି ପ୍ରଥମେ ଟ୍ରାକରେ ବିସ୍ଫୋରଣ କରାଯାଇଥିଲା। ବୁଧବାର ବିଏଲଏ ପକ୍ଷରୁ ଟ୍ରେନ ଅପହରଣର ଭିଡିଓ ଜାରି କରାଯାଇଥିଲା । ବିଏଲଏ ସଦସ୍ୟମାନେ ପାହାଡ ଉପରେ ବସି ଯାତ୍ରୀଙ୍କ ଉପରେ ଗୁଳିମାଡ଼ କରୁଥିବା ଦେଖିବାକୁ ମିଳିତିଲା । ଟ୍ରେନରେ ଶତାଧିକ ଯାତ୍ରୀଙ୍କ ସହ ବହୁ ସଂଖ୍ୟାରେ ପାକିସ୍ତାନୀ ସେନାର ଯବାନ ମଧ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ 21 ଜଣଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ବାକି ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ କରିଥିଲା ପାକିସ୍ତାନୀ ସେନା। ପ୍ରାୟ 24 ଘଣ୍ଟା ଧରି ଚାଲିଥିଲା ଅପରେସନ। ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ ପାକିସ୍ତାନୀ ଯବାନ। ପୂର୍ବରୁ ବଲୁଚ ବିଦ୍ରୋହୀ ଗୋଷ୍ଠୀଙ୍କୁ ଭାରତ ସମର୍ଥନ ଦେଉଥିବା ପୂର୍ବରୁ ମଧ୍ୟ ଅଭିଯୋଗ କରିଆସିଛି ପାକିସ୍ତାନ। ଏଥର ପାକିସ୍ତାନ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତ ସହ ଟ୍ରେନ୍ ହାଇଜାକ୍ ମାମଲାରେ ଆଫଗାନିସ୍ତାନର ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ କରିଛି।
ପାକିସ୍ତାନରେ ଜାଫର ଏକ୍ସପ୍ରେସ ହାଇଜାକ୍ ଘଟଣା ପରେ ପୁଣି ଚର୍ଚ୍ଚାକୁ ଆସିଛି ବଲୁଚିସ୍ତାନ । ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ବଲୁଚିସ୍ତାନ ପାକିସ୍ତାନର ସବୁଠୁ ସମୃଦ୍ଧ ଅଞ୍ଚଳ । ବଲୁଚିସ୍ତାନରେ ବଲୁଚ, ପସ୍ତୁନ ସହ ଅନ୍ୟ ଛୋଟ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି। ବଲୁଚ ସମୁଦାୟର ନିଜସ୍ବ ଭାଷା, ସଂସ୍କୃତି ଓ ପରିଚୟ ରହିଥିବାରୁ ପାକିସ୍ତାନଠାରୁ ଅଲଗା ହେବାକୁ ଦୀର୍ଘବର୍ଷ ଧରି ବିଦ୍ରୋହ ଜାରି ରହିଛି ।