Operation Sindoor ପରେ ବିଚଳିତ ଆତଙ୍କବାଦୀ ସଂଗଠନ ଜୈଶ

Key Points
ଆତଙ୍କୀ ସଂଗଠନ ଜୈଶ କ୍ଵାଡକପ୍ଟର ଓ ଆଧୁନିକ ଡ୍ରୋନ୍ ହାସଲ କରିପାରେ । ସୁରକ୍ଷା ଏଜେନ୍ସି ଅନୁସାରେ, ଯଦି ଜୈଶକୁ ଏହି ଜ୍ଞାନକୌଶଳ ମିଳିଯାଏ ତ ସୀମା ସେପଟୁ ହେଉଥିବା ଆତଙ୍କବାଦୀ ଆକ୍ରମଣ ବିପଦ ଆହୁରି ଅନେକ ଗୁଣ ବଢ଼ିଯିବ ।
ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ଏଜେନ୍ସି ISI, ଭାରତ ବିରୋଧରେ ଏକ ନୂଆ ଷଡ଼ଯନ୍ତ୍ର ରଚୁଛି । ସୂତ୍ର ଅନୁସାରେ, ISI ଏବେ ଆତଙ୍କବାଦୀ ସଂଗଠନକୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ବଦଳରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରଯୁକ୍ତିବିଦ୍ୟାର ଲାଭ ଯେଭଳି ଉଠାଇ ପାରିବେ ସେ ନେଇ କାମ କରୁଛି ।
ଏ ଦିଗରେ ଆଗରେ ରହିଛି ଜୈଶ-ଏ-ମହମ୍ମଦ । ଆତଙ୍କୀ ସଂଗଠନ ଜୈଶ କ୍ଵାଡକପ୍ଟର ଓ ଆଧୁନିକ ଡ୍ରୋନ୍ ହାସଲ କରିପାରେ । ସୁରକ୍ଷା ଏଜେନ୍ସି ଅନୁସାରେ, ଯଦି ଜୈଶକୁ ଏହି ଜ୍ଞାନକୌଶଳ ମିଳିଯାଏ ତ ସୀମା ସେପଟୁ ହେଉଥିବା ଆତଙ୍କବାଦୀ ଆକ୍ରମଣ ବିପଦ ଆହୁରି ଅନେକ ଗୁଣ ବଢ଼ିଯିବ ।
ଏହାଛଡ଼ା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବେ ଆର୍ଥିକ ଭାବେ ମଜଭୁତ ହେବା ଲାଗି ଡିଜିଟାଲ୍ ଦୁନିଆ ଜ୍ଞାନକୌଶଳ ଆପଣାଇଛି । ଜୈଶକୁ ପ୍ରତିବର୍ଷ ୮୦୦ରୁ ୯୦୦ ମିଲିଅନ ପାକିସ୍ତାନୀ ଟଙ୍କା ଫାଣ୍ଠି ମିଳିଛି । ଆଉ ସେହି ଫଣ୍ଡିଂର ବଡ଼ ଅଂଶ ଆସିଛି ଗଲ୍ଫ ଦେଶରୁ । ସୂତ୍ର ଅନୁସାରେ, ଏହି ଫଣ୍ଡିଂ ଏବେ ଡିଜିଟାଲ ୱାଲେଟ୍ ଆକାରରେ ଏବଂ ୫୦ ପ୍ରତିଶତରୁ ଅଧିକ ଫଣ୍ଡି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ଖର୍ଚ୍ଚ କରାଯାଉଛି ।
ତେହରିକ-ଏ-ତାଲିବାନ ପାକିସ୍ତାନ (TTP) ସହ ଜୈଶର ସମ୍ପର୍କ ଖୁବ୍ ଘନିଷ୍ଠ । ପୂର୍ବରୁ ଟିଟିପି ଡ୍ରୋନ୍ ଜରିଆରେ ଆକ୍ରମଣ କରିସାରିଥିବା ବେଳେ ଏବେ ଏହି କୌଶଳ ଜୈଶକୁ ବି ମିଳିପାରେ । ଅପରେସନ୍ ସିନ୍ଦୂରରେ ଜୈଶର ଠିକଣା ଧ୍ଵଂସ ହୋଇଯିବା ପରେ ମସୁଦ ଅଜହର ଭୋକ ବିକଳରେ ତାଟିଆ କାମୁଡ଼ୁଛି । ପାକିସ୍ତାନର ବହାବଳରପୁରରେ ଜୈଶ ମୁଖ୍ୟାଳୟ ପୁଣିଥରେ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ଲସ୍କର-ଏ ତୋଏବା, ଜୈଶ ଓ ହିଜବୁଲ ପରି ଆତଙ୍କବାଦୀ ସଂଗଠନ ଧ୍ଵଂସବିଧ୍ଵଂସ ମୁଖ୍ୟାଳୟ ଓ ଲଞ୍ଚ ପ୍ୟାଡକୁ ପୁଣି ଥରେ ନିର୍ମାଣ ପାଇଁ ଚାନ୍ଦା ମାଗୁଛନ୍ତି ।
📱 Get Argus News App
✨
ତେବେ ଗୁଇନ୍ଦା ସୂତ୍ର ଅନୁସାରେ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଡ୍ରୋନ୍ ଜ୍ଞାନକୌଶଳ ଆତଙ୍କୀ ସଂଗଠନ ପାଇବା ସେମାନଙ୍କୁ ଆହୁରି ଶକ୍ତିଶାଳୀ କରିବ । ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇବା ଆହୁରି ସହଜ ହୋଇଯିବ । ସୀମା ସେପଟୁ ଆକ୍ରମଣ ଆହୁରି ତୀବ୍ର ହୋଇପାରେ ଏବଂ ସୁରକ୍ଷା ଏଜେନ୍ସି ଲାଗି ସାଜିପାରେ ଆଉ ଏକ ଆହ୍ଵାନ ।