Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସଂସଦରେ ପ୍ରବଳ ମୂଷା, କିଣାହେବେ ବିଲେଇ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସଂସଦରେ ପ୍ରବଳ ମୂଷା, କିଣାହେବେ ବିଲେଇ

Key Points

  • ସଂସଦ ପାଇଁ କିଣାଯିବ ମୂଷା 
  • ଖର୍ଚ୍ଚ ହେବ ୧୨ ଲକ୍ଷ ଟଙ୍କା

ଅର୍ଗସ ବ୍ୟୁରୋ : ସଂସଦ ପାଇଁ କିଣାଯିବ ବିଲେଇ । ସେଇଥି ଲାଗି ପୁଣି ଖର୍ଚ୍ଚ ହେବ ୧୨ ଲକ୍ଷ ଟଙ୍କା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ହେଲେ ସଂସଦ ଲାଗି କାହିଁକି ବିଲେଇ କିଣାଯିବ ତାହାକୁ ନେଇ ସମସ୍ତଙ୍କ ମନରେ ଉଙ୍କି ମାରୁଛି ପ୍ରଶ୍ନ । କଥା ହେଲା, ପାକିସ୍ତାନର ସଂସଦରେ ପ୍ରବଳ ମାତ୍ରାରେ ମୂଷା ଉପଦ୍ରବ କରୁଛନ୍ତି । ତେଣୁ ସେମାନଙ୍କୁ କାବୁ କରିବା ସରକାରଙ୍କ ପାଇଁ କାଠିକର ପାଠ ହେବା ପରେ ବିଲେଇ କିଣି ମୂଷା ଘଉଡାଇବାକୁ ଉଦ୍ୟମ ହେଉଥିବା ଜଣାପଡିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ପାକିସ୍ତାନକୁ ସତେ ଯେମିତି ଶନିଦଶା ପଡ଼ିଲାଣି । କାରଣ ଦେଶରେ ଯେଉଁପରି ଭାବରେ ଅସ୍ଥିରତା ଦେଖାଦେଇଛି ତାହାରି ମଧ୍ୟରେ ସଂସଦରେ ମୂଷାମାନେ ବି ଦାଉ ସାଧିଲେଣି । ସଂଖ୍ୟା ସେମାନଙ୍କର ଏତେ ମାତ୍ରାରେ ବଢିଲାଣି ଯେ ଗୃହର କାର୍ଯ୍ୟ ବି ସୁରୁଖୁରୁରେ ହେଉନାହିଁ । ସେଇଥି ଲାଗି ତ ମୂଷା ଧରିବାକୁ ବିଲେଇ କିଣିବାକୁ ପାକ୍‌ ସରକାର ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, ଗୃହରେ ଅନେକ ଗୁରୁତ୍ଵପୂର୍ଣ୍ଣ ଫାଇଲକୁ କାଟି ନଷ୍ଟ କରିଦେଲେଣି ମୂଷା । ତେଣୁ ବେଳ ଥାଉ ଥାଉ ଯଦି ମୂଷା ଧରିନଯିବ ତାହାଲେ ଆଗାମୀ ଦିନରେ ଗୃହ କାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବ । ସେଇଥି ଲାଗି ତ ଏହା ପାଇଁ ୧୨ ଲକ୍ଷ ଟଙ୍କାର ବଜେଟ୍‌ ବି ବ୍ୟୟବରାଦ ହୋଇଛି ।

ପାକିସ୍ତାନର କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି ବା ସିଡିଏ ସରକାରୀ ଫାଇଲଗୁଡିକର ସୁରକ୍ଷା ପାଇଁ ବିଲେଇମାନଙ୍କୁ ରଖିବାକୁ ନିଷ୍ପତ୍ତି ନେଇଛି । କୁହାଯାଉଛି କି, ମୂଷାମାନେ କେବଳ ଡକ୍ୟୁମେଣ୍ଟ୍ ନଷ୍ଟ କରୁନାହାଁନ୍ତି ବରଂ କମ୍ପ୍ୟୁଟର ତାରକୁ ମଧ୍ୟ କାଟି ଦେଉଛନ୍ତି । ଏହା ବ୍ୟତୀତ ସଂସଦରେ ମଇଳା ଏବଂ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ଯାହାଦ୍ଵାରା ଅନେକ ସାଂସଦ ସଂସଦକୁ ଆସିବାକୁ ଇଚ୍ଛା ବି କରୁନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଧାରଣତଃ ଘରେ ବି ମୂଷା ହୁଅନ୍ତି । ଅଫିସ୍‌ରେ ବି ମୂଷା ହେଉଛନ୍ତି । ତେବେ ମୂଷା ଅଧିକ ହେଲେ ତାହାକୁ ଧରିବାକୁ କି ମୂଷା ମରା ଔଷଧ ଦିଏ ତ ଆଉ କିଏ ଜନ୍ତା ପକାଇ ମୂଷା ଧରେ । କିନ୍ତୁ ପାକିସ୍ତାନର ସଂସଦରେ ଏତେ ମାତ୍ରାରେ ମୂଷା ହୋଇଛନ୍ତି ଯେ ଏ ଉପାୟ କୌଣସି ଫଳପ୍ରଦ ହେଉନାହିଁ । ତେଣୁ ମୂଷା ଲାଗି ସଂସଦର ଅଧିକାରୀମାନେ ବିଭିନ୍ନ ପଦକ୍ଷେପ ନେଇଛନ୍ତି...ଯେମିତିକି ମୂଷା ଜାଲ ବିଛାଇବା ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରିବା । ହେଲେ ରେଜଲ୍ଟ ନମିଳିବାରୁ ଶେଷରେ ବିଲେଇ ରଖିବାକୁ ବ୍ୟବସ୍ଥା ହୋଇଥିବା କୁହାଯାଉଛି ।
 

Sponsored
Pakistan parliament | Argus News