Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭାରତର ବାଟ ରୋକି ବର୍ବାଦ ହୋଇଗଲା ପାକିସ୍ତାନ

Ritu Das
Browse all articles by Ritu Das
·11 months ago·3 min read
ଭାରତର ବାଟ ରୋକି ବର୍ବାଦ ହୋଇଗଲା ପାକିସ୍ତାନ

Key Points

ଭାରତ ସହିତ ମୁହାଁମୁହିଁ ହେବା ନୀତି ଏବେ ପାକିସ୍ତାନ ଉପରେ ଭାରି ପଡୁଛି। ଭାରତୀୟ ବିମାନ ଗୁଡିକ ପାଇଁ ନିଜ ବାୟୁସୀମା ବା ଏରୋ ସ୍ପେସ୍ ବନ୍ଦ କରିବା ନିଷ୍ପତ୍ତି ଯୋଗୁଁ ପାକିସ୍ତାନକୁ ପ୍ରଚୁର ପରିମାଣର ଆର୍ଥିକ କ୍ଷତି ସହିବାକୁ ପଡୁଛି।

ଭାରତ ସହିତ ମୁହାଁମୁହିଁ ହେବା ନୀତି ଏବେ ପାକିସ୍ତାନ ଉପରେ ଭାରି ପଡୁଛି। ଭାରତୀୟ ବିମାନ ଗୁଡିକ ପାଇଁ ନିଜ ବାୟୁସୀମା ବା ଏରୋ ସ୍ପେସ୍ ବନ୍ଦ କରିବା ନିଷ୍ପତ୍ତି ଯୋଗୁଁ ପାକିସ୍ତାନକୁ ପ୍ରଚୁର ପରିମାଣର ଆର୍ଥିକ କ୍ଷତି ସହିବାକୁ ପଡୁଛି। ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀମାନେ ଆକ୍ରମଣ କରି ଧର୍ମ ପଚାରି ପଚାରି ପର୍ଯ୍ୟଟକମାନଙ୍କୁ ହତ୍ୟା କରିବା ପରେ ଭାରତ ସରକାର ତୁରନ୍ତ ପାକିସ୍ତାନ ବିରୋଧରେ ପଦକ୍ଷେପ ନେବା ଆରମ୍ଭ କରିଥିଲେ। ପ୍ରଥମ ବଡ ପଦକ୍ଷେପ ସ୍ବରୂପ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଦେଇଥିଲା। ଏହାର ଜବାବରେ ପାକିସ୍ତାନ ମଧ୍ୟ ଭାରତୀୟ ବିମାନ ଗୁଡିକ ପାଇଁ ନିଜ ବାୟୁସୀମାକୁ ବନ୍ଦ କରିଦେଇଥିଲା। ହେଲେ ଭାରତ ସହ ଯେସାକୁ ତେସା ନୀତି ଆପଣେଇବା ଦ୍ବାରା ଏହା ପାକିସ୍ତାନ ପାଇଁ ମହଙ୍ଗା ପଡିଛି । ପ୍ରଥମରୁ ହିଁ ଆର୍ଥିକ ସଂକଟ ସହ ସଙ୍ଘର୍ଷ କରୁଥିବା ପାକିସ୍ତାନ ଉପରେ ଏହି ଆର୍ଥିକ କ୍ଷତି ବେଡି ଉପରେ କୋରଡା ଭଳି ହୋଇଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ତାଙ୍କ ଦେଶର ସଂସଦରେ ଏୟାର ଟ୍ରାଫିକ ଆୟ ହ୍ରାସ ନେଇ ସୂଚନା ଦିଆଯାଇଛି। ଏହି ସୂଚନା ଅନୁସାରେ, ୨୪ ଏପ୍ରିଲ, ୨୦୨୫ରୁ ଭାରତୀୟ ବିମାନଗୁଡିକ ପାଇଁ ପାକିସ୍ତାନ ନିଜ ବାୟୁସୀମାକୁ ବନ୍ଦ କରିଦେଇଛି। ଏହା ଯୋଗୁ ଦୈନିକ ୧୦୦ରୁ ୧୫୦ ଭାରତୀୟ ବିମାନ ପ୍ରଭାବିତ ହେଉଛନ୍ତି।


ପାକିସ୍ତାନ ଏରୋସ୍ପେସ୍ ଦେଇ ଯାତ୍ରା କରୁଥିବା ବିମାନ ସଂଖ୍ୟାରେ ପାଖାପାଖି ୨୦% ହ୍ରାସ ହୋଇଛି। ଫଳରେ ଏୟାର ଟ୍ରାଫିକରୁ ହେଉଥିବା ରାଜସ୍ୱ ଆୟ ବହୁମାତ୍ରାରେ ପ୍ରଭାବିତ ହେଉଛି। ମାତ୍ର ୨ ମାସରେ ପାକିସ୍ତାନ ୧୪.୩୯ ମିଲିୟନ ଡଲାରର କ୍ଷତି ସହିଛି। ଭାରତୀୟ ମୁଦ୍ରାରେ ଏହି ଆର୍ଥିକ କ୍ଷତିର ମୂଲ୍ୟ ପ୍ରାୟ ୧୨୬ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏପ୍ରିଲ ୨୪ ରୁ ଜୁନ୍ ୩୦ ମଧ୍ୟରେ ପାକିସ୍ତାନ ଏହି କ୍ଷତି ସହିଛି । ତେବେ ଏତେ ସବୁ ସତ୍ତ୍ବେ ପାକିସ୍ତାନର ମୁହଁ ଫୁଟାଣି କିନ୍ତୁ ବନ୍ଦ ହୋଇନାହିଁ। କାରଣ ପାକିସ୍ତାନର ସଂସଦରେ ଏକଥା ମଧ୍ୟ କୁହାଯାଇଛି ଯେ ଭାରତକୁ ଏୟାରସ୍ପେସ ବନ୍ଦ କରିବା ଯୋଗୁଁ ପାକିସ୍ତାନକୁ ଯଦିଓ ବହୁତ କ୍ଷତି ସହିବାକୁ ପଡିଛି, କିନ୍ତୁ ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଆୟ ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି କି କ୍ଷତି ସତ୍ତ୍ୱେ, ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମୋଟ ରାଜସ୍ବ ବୃଦ୍ଧି ପାଇଛି। ୨୦୧୯ରେ ରାଜସ୍ବ ପରିମାଣ ୫୦୮,୦୦୦ ଡଲାର ଥିଲା । ୨୦୨୫ରେ ଏହା ବୃଦ୍ଧି ପାଇ ୭୬୦,୦୦୦ ଡଲାର ହୋଇଛି। ୨୦୧୯ରେ ପାକିସ୍ତାନ ଉପର ଦେଇ ଯାଉଥିବା ବିମାନଗୁଡ଼ିକରୁ ପ୍ରତିଦିନ ୪.୨୪ କୋଟି ଟଙ୍କା ରୋଜଗାର ହେଉଥିଲା। ଯାହା ୨୦୨୫ରେ ୬.୩୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହି କାରଣରୁ ପାକିସ୍ତାନ ଆକାଶ ମାର୍ଗ ବନ୍ଦ କରିବା ପରେ ମଧ୍ୟ କ୍ଷତି ସହିନାହିଁ ବୋଲି କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭାରତର ସରକାରୀ ଓ ଘରୋଇ ପଟ୍ଟାରେ ଥିବା ବିମାନ ଲାଗି ଉଡାଣ ଅନୁମତି ରଦ୍ଦ କରିଦିଆଯାଇଥିଲା। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରାଣାଳୟର କହିବା କଥା ହେଉଛି ଏୟାରସ୍ପେସ୍ ବନ୍ଦ କରିବା ନିଷ୍ପତ୍ତି ସଂଘୀୟ ସରକାରଙ୍କର ଯାହାକୁ ନୋଟିସ୍ ଟୁ ଏୟାର ମେନ ବା ନୋଟାମ ମାଧ୍ୟମରେ ଲାଗୁ କରାଯାଇଥାଏ। ତେବେ ମନ୍ତ୍ରଣାଳୟ ଏକଥାକୁ ସ୍ୱୀକାର କରିଛି ଯେ ଯଦିଓ ଏଥି ପାଇଁ ଆର୍ଥିକ କ୍ଷତି ହେଉଛି ତଥାପି ପାକିସ୍ତାନର ସାର୍ବଭୌମତ୍ବ ଓ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହାର ଆବଶ୍ୟକତା ରହିଛି। ତେବେ ଏହା ପ୍ରଥମ ଥର ନୁହେଁ, ବରଂ ପୂର୍ବରୁ ମଧ୍ୟ ପାକିସ୍ତାନ ଅନେକ ଥର ଭାରତ ପାଇଁ ତାର ବାୟୁସୀମା ବନ୍ଦ କରିଛି। ୨୦୧୯ରେ ମଧ୍ୟ ପାକିସ୍ତାନ ତାର ଆକାଶ ମାର୍ଗ ବନ୍ଦ କରିଥିଲା। ସେହି ସମୟରେ ପାକିସ୍ତାନକୁ ୫୪ ନିୟୁତ ଡଲାର କ୍ଷତି ସହିବାକୁ ପଡିଥିଲା। ସେହି ସମୟରେ ଭାରତ-ପାକିସ୍ତାନ ସୀମାରେ ପ୍ରବଳ ଉତ୍ତେଜନା ଯୋଗୁଁ ପାକିସ୍ତାନ ତାର ଆକାଶ ମାର୍ଗ ବନ୍ଦ କରିଦେଇଥିଲା। ତେବେ ବର୍ତ୍ତମାନ ପାକିସ୍ତାନ ତାର ବାୟୁସୀମାକୁ ସମସ୍ତ ଅନ୍ତର୍ଜାତୀୟ ଉଡାଣ ନିମନ୍ତେ ଖୋଲା ରଖିଛି। କିନ୍ତୁ ଭାରତୀୟ ଏୟାରଲାଇନ୍ସ ଲାଗି ଏହା ଏବେବି ବନ୍ଦ ରହିଛି। ଏହି କଟକଣାକୁ ପାକିସ୍ତାନ ଏହା ମଧ୍ୟରେ ଆଉ ଦୁଇ ଥର ସମ୍ପ୍ରସାରଣ କରିଛି। ଏବେ ଏହା ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଜାରି ହୋଇଛି। ଅନ୍ୟପଟେ ଭାରତ ମଧ୍ୟ ପାକିସ୍ତାନୀ ବିମାନଙ୍କ ଲାଗି ନିଜ ଏୟାରସ୍ପେସ୍ ବନ୍ଦ ରଖିଛି। ତେବେ ଦୁଇ ଦେଶଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏସିଆ ମହାଦେଶରେ ବିମାନ ଯାତ୍ରାକୁ ଦୀର୍ଘ ଓ ମହଙ୍ଗା କରିବା ସହିତ ଦୁଇ ଦେଶଙ୍କ ରାଜସ୍ୱ ହାନୀ ମଧ୍ୟ ହେଉଛି।

Sponsored
pakistan-was-ruined-by-blocking-indias-path | Argus News