ସୁନା କି ଟଙ୍କା ନୁହେଁ , ୨୨ ଟନ୍ ପନିର ଲୁଟ୍ କଲା ଚୋର

Key Points
- ସୁନା କି ଟଙ୍କା ନୁହେଁ
- ୨୨ ଟନ୍ ପନିର ଲୁଟ୍ କଲା ଚୋର
- ସୋସିଆଲ ମିଡିଆରେ ବଢିଲା ଚର୍ଚ୍ଚା
ଅର୍ଗସ ବ୍ୟୁରୋ: ଆଜିକାଲି ସୁନାର ଦାମ ଯାହା ହେଲାଣି ତାହାକୁ ଲୁଟ୍ କରିବାକୁ ଚୋର ଅନେକ ପ୍ଲାନ କରନ୍ତି । ଖାଲି ପ୍ଲାନ କରୁଛନ୍ତି ତାହା ନୁହେଁ ବରଂ ସୁନା ଲୁଟ୍ କରୁଛନ୍ତ, ବ୍ୟାଙ୍କ ଲୁଟ୍ କରୁଛନ୍ତି । ଏହାସହ ଅନେକ ଘରେ କଳାକନା ବୁଲାଇ ଦେଉଥିବାର ଖବର ନିଇତି ସାମ୍ନାକୁ ଆସୁଛି । ହେଲେ କେବେ ପନିର ଲୁଟ୍ ହେବାର କଥା ଶୁଣିଛନ୍ତି କି ? କଥାଟା ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଥିବ ସେତିକି ଚକିତ ବି ହେଉଥିବେ । କାରଣ କିଲେ କି ଦୁଇ କିଲୋ ନୁହେଁ ବରଂ ୨୨ ଟନ୍ ପନିର ଲୁଟ୍ କରାଯାଇଥିବାର ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ପୂର୍ବରୁ ଗହଣା ନହେଲେ ବ୍ୟାଙ୍କ ଲୁଟ୍ର କଥା ସାମ୍ନାକୁ ଆସୁଥିବ । ହେଲେ ଏବେ ଲଣ୍ଡନରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଚୋରମାନେ ତାଲା ଭାଙ୍ଗି ନାହାଁନ୍ତି କିମ୍ବା ଚୋରି କରିବା ପାଇଁ କୌଣସି ପ୍ରକାର ଲୁଟ୍ କରିନାହାଁନ୍ତି । ଲଣ୍ଡନର ନିଲ୍ ୟାର୍ଡ ଡେରିରେ ଏହି ଘଟଣା ଘଟିଛି, ଯେଉଁଠାରୁ ଚୋର ମୋଟ୍ ୨୨ ହଜାର କିଲୋ ପନିର ଚୋରି କରିଥିଲେ । କଥା ହେଲା ସେମାନେ ଚୋରି କରିବେ ବୋଲି ପନିର ବ୍ୟବସାୟୀ ଆଦୌ ଟେର୍ ପାଇନଥିଲେ । କାରଣ ନିଜକୁ ଦୁଗ୍ଧ ଚାଷୀର ପରିଚୟ ଦେଇ ପନିର ଚୋରି କରିଥିଲେ ଦୁର୍ବୃତ୍ତ । ଏକା ସାଙ୍ଗରେ ଏତେ ମାତ୍ରାରେ ପନିର ଚୋରି କରିଥିବାରୁ ଦୋକାନୀଙ୍କ ଅକଲ ଗୁ଼ଡୁମ ହେଲାଣି ।
ଲଣ୍ଡନରୁ ଯେତିକି ପରିମାଣରେ ପନିର ଚୋରି ହୋଇଛି ତାହାର ମୂଲ୍ୟ କିଛି କମ ନୁହେଁ । ପାଖାପାଖି ୩ ଲକ୍ଷ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ଦାମ ହେଉଛି ୩ କୋଟି ଟଙ୍କା । ଏତେ ମାତ୍ରାରେ ପନିର ଚୋରି ହେବା ପରେ ଦୋକାନୀ ଜଣକ ପୋଲିସକୁ ଜଣାଇଛନ୍ତି । ଖବର ଜଣାପଡ଼ିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଖାଲି ତଦନ୍ତ କରୁଛି ତାହା ନୁହେଁ ବରଂ ସିସିଟିଭି ଆଧାରରେ ତଦନ୍ତ କରିବା ସହିତ ଦୋକାନୀଙ୍କ କହିବା ଅନୁଯାୟୀ ଲୋକଙ୍କୁ ଧରିବାକୁ ଉଦ୍ୟମ କରୁଛି । ତେବେ ଅପେକ୍ଷା ରହିଲା କେତେ ଧରା ପଡୁଛନ୍ତି ପନିର ଚୋର ।