Flight Riddle / ୧୧ ଜଣଙ୍କୁ ନେଇ ଯାଉଥିଲା ବିମାନ, ମଝି ଆକାଶରୁ ଗାୟବ ?

Key Points
୧୧ ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ କରୁଥିବା ଇଣ୍ଡୋନେସିଆର ଏକ ଆଞ୍ଚଳିକ ଯାତ୍ରୀବାହୀ ବିମାନ ଆଜି ହଠାତ୍ ମଝି ଆକାଶରେ ନିଖୋଜ ହୋଇଯାଇଛି। ଦକ୍ଷିଣ ସୁଲାୱେସିର ଏକ ପାର୍ବତ୍ୟାଞ୍ଚଳରେ ବିମାନଟି ଉଡ଼ୁଥିବା ବେଳେ ହଠାତ ଟ୍ରାଫିକ କଣ୍ଟ୍ରୋଲ୍ ସହ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଇଣ୍ଡୋନେସିଆ ଏୟାର ଟ୍ରାନ୍ସପୋର୍ଟ ଦ୍ବାରା ପରିଚାଳିତ ଟର୍ବୋପ୍ରପ୍ ଏଟିଆର୍ ୪୨-୫୦୦ ଯୋଗ୍ୟକାର୍ତାରୁ ଦକ୍ଷିଣ ସୁଲାୱେସିର ରାଜଧାନୀକୁ ଯାଉଥିବାବେଳେ ଏହା ମଝି ଆକାଶରୁ କୁଆଡ଼େ ନିଖୋଜ ହୋଇଯାଇଛି।
ପରିବହନ ମନ୍ତ୍ରାଳୟ ମୁଖପାତ୍ର ଏନଦା ପୁର୍ନମା ସାରି କହିଛନ୍ତି, ବିମାନଟିକୁ ଶେଷ ଥର ପାଇଁ ଶନିବାର ଅପରାହ୍ନ ୧.୧୭ରେ ମାରୋସ ଜିଲ୍ଲାର ଲିଙ୍ଗ-ଲିଙ୍ଗ ଅଞ୍ଚଳରେ ଟ୍ରାକ୍ କରାଯାଇଥିଲା। ବୁଲୁସାରାଉଙ୍ଗ ଜାତୀୟ ଉଦ୍ୟାନ ନିକଟରେ ଥିବା ଏକ ପାର୍ବତ୍ୟାଞ୍ଚଳରେ ଆଜି ଏହି ବିମାନ ନିଖୋଜ ହୋଇଛି। ବାୟୁସେନା ହେଲିକପ୍ଟର, ଡ୍ରୋନ୍ ଏବଂ ଗ୍ରାଉଣ୍ଡ ୟୁନିଟ୍ ଦ୍ବାରା ଏବେ ଏହି ବିମାନକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି।
ଇଣ୍ଡୋନେସିଆ ସନ୍ଧାନ ଓ ଉଦ୍ଧାର ଏଜେନ୍ସୀ ବାସାର୍ଣ୍ଣାସ କହିଛି ଯେ ଏୟାରନେଭ ଇଣ୍ଡୋନେସିଆରୁ ପ୍ରାପ୍ତ ନିର୍ଦ୍ଦେଶ ଆଧାରରେ ସନ୍ଦିଗ୍ଧ ସ୍ଥାନକୁ ଟିମ୍ ପଠାଯାଇଛି। ବାସାର୍ଣ୍ଣାସ ମାକ୍କାସର କାର୍ଯ୍ୟାଳୟର ଅପରେସନ ମୁଖ୍ୟ ଆନ୍ଦି ସୁଲତାନ କହିଛନ୍ତି ଯେ ଏୟାରନେଭରୁ ମିଳିଥିବା ସୂଚନା ଅନୁସାରେ ଆମେ ମାରୋସ ରିଜେନ୍ସୀର ଲିୟାଙ୍ଗ ଲିୟାଙ୍ଗ କ୍ଷେତ୍ରକୁ ଲୋକ ପଠାଇଛୁ। ପ୍ରାରମ୍ଭିକ ସୂଚନା ଅନୁସାରେ ବିମାନଟି ୟୋଗ୍ୟକର୍ତ୍ତାରୁ ମକାସାର ଯାଉଥିଲା।
ବିମାନର ସନ୍ଧାନରେ ୨୫ ଜଣିଆ ଟିମ୍ କୁ ୩ଟି ଭାଗରେ ମିଳିତ ସନ୍ଧାନ ଅଭିଯାନ ନିମନ୍ତେ ନିୟୋଜିତ କରାଯାଇଛି। ସେହିପରି ମାରୋସ ପୋଲିସ ମୁଖ୍ୟ ଡଗଲସ ମହେନ୍ଦ୍ର ଜୟ ମଧ୍ୟ ବିମାନ ନିଖୋଜ ସମ୍ପର୍କରେ ପୁଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପ୍ରଶାସନ ଏବେ ଏବେ ଏହା ପୁଷ୍ଟି କରିଛି। ଏହି ବିମାନ ଏଟିଆର ୪୨-୫୦୦ ଇଣ୍ଡୋନେସିୟା ସରକାରଙ୍କ ମତ୍ସ୍ୟ ସମ୍ପଦ ଓ ସାମୁ୍ଦ୍ରିକ ସେବା ବିଭାଗର ହୋଇଥିବା ବେଳେ ଇଣ୍ଡୋନେସିୟା ଏୟାର ଦ୍ୱାରା ସଞ୍ଚାଳିତ ହେଉଥିଲା। ବିମାନରେ ମୋଟ ୧୧ ଜଣ ଯାତ୍ରୀ ଅଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୦୨୫ରେ ଇଣ୍ଡୋନେସିୟା କେନ୍ଦ୍ରୀୟ ପାପୁଆ ପ୍ରାନ୍ତରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନର ଧ୍ୱଂସାବଶେଷ ଏକ ଗଭୀର ଖାଇରୁ ମିଳିଥିଲା।
📱 Get Argus News App
✨Related Topics
Explore more stories