ଆଜି ମରିସସର 57ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ଯୋଗଦେବେ ପିଏମ ମୋଦି

ଆଜି ମରିସସର 57ତମ ରାଷ୍ଟ୍ରୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପିଏମ ମୋଦି । ଏହା ସହିତ, ଭାରତୀୟ ନୌସେନା ଜାହାଜ ସହିତ ଭାରତୀୟ ପ୍ରତିରକ୍ଷା ବାହିନୀର ଏକ ଦଳ ମଧ୍ୟ ଉତ୍ସବରେ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମରିସସ ଗସ୍ତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହେବ ବୋଲି ଆଶା କରାଯାଉଛି। ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମରିସସର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହେବାର ଆଶା କରାଯାଉଛି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମରିସସ ସରକାର ନିଜର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଗ୍ରାଣ୍ଡ କମାଣ୍ଡର ଅଫ ଦ ଅର୍ଡର ଅଫ ଦ ଷ୍ଟାର ଆଣ୍ଡ କି ଅଫ ଦ ଇଣ୍ଡିଆନ ଓସେନ’ରେ ସମ୍ମାନିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରତିଷ୍ଠିତ ସମ୍ମାନ ପାଇବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ଦେଶ ଦ୍ଵାରା ପ୍ରଦାନ କରାଯାଇଥିବା ଏହା ହେଉଛି ୨୧ତମ ଅନ୍ତର୍ଜାତୀୟ ସମ୍ମାନ । ଏହି ସମ୍ମାନକୁ ସ୍ଵୀକାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମୁଁ ଏହାକୁ ବିନମ୍ରତାର ସହ ସ୍ଵୀକାର କରୁଛି। ଏହି ସମ୍ମାନ ଭାରତ ଓ ମରିସସ ମଧ୍ୟରେ ଗଭୀର ସଂପର୍କର ସମ୍ମାନକୁ ପ୍ରତିଫଳିତ କରୁଛି। ଏହା ସେହି ଭାରତୀୟଙ୍କ ସମ୍ମାନ, ଯେଉଁମାନେ ପିଢି ପରେ ପିଢି ଏହି ଧରିତ୍ରୀର ସେବା କରି ଏହାକୁ ନୂତନ ଶିଖରରେ ପହଞ୍ଚାଇଛନ୍ତି। ମୁଁ ମରିସସର ଜନତା ଓ ସରକାରଙ୍କୁ ହୃଦୟର ସହ କୃତଜ୍ଞତା ଜଣାଉଛି।