45 ବର୍ଷ ପରେ ଭାରତ ପ୍ରଧାନମନ୍ତ୍ରୀଙ୍କ ପୋଲାଣ୍ଡ ଗସ୍ତ

ଅର୍ଗସ ବ୍ୟୁରୋ: ପୋଲାଣ୍ଡ ରାଷ୍ଟ୍ରପତି ଆଣ୍ଡ୍ରେଜ ସେବାଷ୍ଟିଆନ ଡୁଡାଙ୍କ ସହ ପିଏମ ମୋଦିଙ୍କ ଦ୍ବିପାକ୍ଷିକ ଆଲୋଚନା । ସାମରିକ, ବାଣିଜ୍ୟିକ ସହଭାଗିତା ସହ ପାରସ୍ପରିକ ସହଯୋଗ ଉପରେ ଗୁରୁତ୍ବ ଦେଇଛନ୍ତି ଉଭୟ ରାଷ୍ଟ୍ରନେତା । ଭାରତ-ପୋଲାଣ୍ଡ ସାମାଜିକ ସୁରକ୍ଷା ଚୁକ୍ତିରେ ସହମତି ପ୍ରକାଶ ସହ ଭାରତରେ ନିବେଶ ଚାହୁଥିବା ପୋଲାଣ୍ଡ କମ୍ପାନୀକୁ ସ୍ବାଗତ କରିଛନ୍ତି ପିଏମ ମୋଦି । ଆସନ୍ତାକାଲି ୟୁକ୍ରେନ ଗସ୍ତ ପୂର୍ବରୁ ଯୁଦ୍ଧଭୂମି, କୌଣସି ସମସ୍ୟାର ସମାଧାନ ସ୍ଥଳ ନୁହେଁ ବୋଲି କହି ବିଶ୍ବକୁ ଶାନ୍ତି ସନ୍ଦେଶ ଦେଇଛନ୍ତି ପିଏମ ମୋଦି ।
ଗସ୍ତର ଦ୍ବିତୀୟ ଦିନରେ ଗୁରୁବାର ଅପରାହ୍ନରେ ପୋଲାଣ୍ଡ ପିଏମ ଡୋନାଲ୍ଡ ଟସ୍କଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ମୋଦି । ଉଭୟ ଦେଶ ମଧ୍ୟରେ କୁଟନୈତିକ ସଂପର୍କକୁ 70 ବର୍ଷ ପୂରଣ ହୋଇଛି । 2001ରେ ଗୁଜରାଟ ଭୂକମ୍ପ ସମୟରେ ଭାରତକୁ ସାହାଯ୍ୟ ଏବଂ 2022ରେ ରୁଷିଆ-ୟୁକ୍ରେନ ଯୁଦ୍ଧ ସମୟରେ ୟୁକ୍ରେନରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର ସମୟରେ ଅକୁଣ୍ଠ ସହଯୋଗର ହାତ ବଢ଼ାଇଥିଲା ପୋଲାଣ୍ଡ । ଏଥିପାଇଁ ପୋଲାଣ୍ଡ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପିଏମ ମୋଦି । ପୋଲାଣ୍ଡ ରାଜଧାନୀ ୱାରସାରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ବିଜନେସ ଲିଡର୍ସ ଓ ସୋସିଆଲ ମିଡିଆ ଇନଫ୍ଲୁଏସର୍ସଙ୍କ ସହ ଆଲୋଚନା କରି ସମାଜ ପାଇଁ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତି ।
ପୋଲାଣ୍ଡରୁ ଆସନ୍ତାକାଲି ୟୁକ୍ରେନ ଅଭିମୁଖେ ଯାତ୍ରା କରିବେ ପିଏମ ମୋଦି । ବିଶେଷ ଟ୍ରେନ ରେଲ ଫୋର୍ସ ୱାନ ଜରିଆରେ ପୋଲାଣ୍ଡରୁ କିଭରେ ପହଞ୍ଚିବେ । ରୁଷିଆ ଓ ୟୁକ୍ରେନ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୁକ୍ରେନ ଗସ୍ତକୁ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ପୂର୍ବରୁ ମୋଦି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ 3 ଥର ଆଲୋଚନା କରିଥିଲେ ବି ଏହି ସାକ୍ଷାତ ୟୁକ୍ରେନରେ ହୋଇନଥିଲା । ପ୍ରଥମଥର ପାଇଁ ପିଏମ ମୋଦି ୟୁକ୍ରେନରେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବାକୁ ଯାଉଛନ୍ତି ।
📱 Get Argus News App
✨ପ୍ରଧାନମନ୍ତ୍ରୀ ମୋଦି ବୁଧବାର ପୋଲାଣ୍ଡରେ ପହଞ୍ଚିବା ପରେ ପ୍ରଥମେ ନୱାନଗରର ଜାମ ସାହବ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସେଠାରୁ କୋହ୍ଲାପୁର ସ୍ମାରକ ସ୍ଥଳ ମଧ୍ୟ ପରିଦର୍ଶନ କରିଥିଲେ । ମାନବତାର ଜୟଗାନ ସହ ସ୍ମାରକକୁ ନ୍ୟାୟ ଓ ଶାନ୍ତପୂର୍ଣ୍ଣ ସମାଜର ମୂଳଦୁଆ କହି ସମ୍ମାନ ଜଣାଇଥିଲେ ମୋଦି । 1940 ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ 6 ହଜାରରୁ ଅଧିକ ମହିଳା ଓ ଶିଶୁ ଜାମନଗର ଏବଂ କୋହ୍ଲାପୁରରେ ଶରଣାର୍ଥୀ ଭାବେ ରହିଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର: