ନାସାକ ଦୁଇ ବଡ଼ ସଫଳତା ! ଚନ୍ଦ୍ରରେ ଓହ୍ଲାଇଲା ବ୍ଲୁ-ଘୋଷ୍ଟ, ନୋକିଆ କରିବ ମୋବାଇଲ ଟାଓ୍ୱାର

ନାସାକ ଦୁଇ ଦୁଇଟି ବଡ଼ ସଫଳତା । ଗୋଟିଏ ପଟେ ନାସାର 'ବ୍ଲୁ ଘୋଷ୍ଟ' ଚନ୍ଦ୍ରପୃଷ୍ଟରେ ସଫଳତା ପୂର୍ବକ ଅବତରଣ କରିଥିବା ବେଳେ ଅନ୍ୟପଟେ ଚନ୍ଦ୍ରରେ ମୋବାଇଲ ମିଶନ ବି ସଫଳ ହେବାକୁ ଯାଉଛି ।
ନାସାର 'ବ୍ଲୁ ଘୋଷ୍ଟ' ମିଶନକୁ ବଡ଼ ସଫଳତା। ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି ବ୍ଲୁ ଘୋଷ୍ଟ ମହାକାଶଯାନ। ପୃଥୀବି ଚାରିପଟେ ମାସେ ବୁଲିବା ପରେ ଚନ୍ଦ୍ରରେ ପହଞ୍ଚଛି ନାସା ପକ୍ଷରୁ ଘରୋଇ ସଂସ୍ଥା ଫାୟାରଫ୍ଲାଇ ଏରୋସ୍ପେସ୍ର ‘ବ୍ଲୁ ଘୋଷ୍ଟ ଲୁନାର୍ ଲ୍ୟାଣ୍ଡର୍। ଆଜି ଏହା ଚନ୍ଦ୍ରରେ ସଫଳ ଅବତରଣ କରି ଇତିହାସ ରଚିଛି। ଏହି ଅଭିଯାନ ଚନ୍ଦ୍ର ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହା ନାସାର ବ୍ୟାପକ ଆର୍ଟେମିସ୍ କାର୍ଯ୍ୟକ୍ରମର ଏକ ଅଂଶ, ଯାହାର ଲକ୍ଷ୍ୟ ଚନ୍ଦ୍ରରେ ଏକ ନିରନ୍ତର ମାନବ ଉପସ୍ଥିତି ପ୍ରତିଷ୍ଠା କରିବ। ବ୍ଲୁ ଘୋଷ୍ଟ ଚନ୍ଦ୍ରର ଏକ ବିଶାଳ ସମତଳ ଭୂମି ‘ମେର୍ କ୍ରିସିୟମ ଅଭିମୁଖେ ଯାତ୍ରା କରିଥିଲା ଏବଂ ଆଜି ଲକ୍ଷ୍ୟ ପୂରଣରେ ସଫଳ ହୋଇଛି।
ବ୍ଲୁ ଘୋଷ୍ଟ ଲ୍ୟାଣ୍ଡରରେ ନାସାର ବିଭିନ୍ନ ବୈଜ୍ଞାନିକ ଓ ବୈଷୟିକ ପେଲୋଡ୍ ରହିଛି। ଚନ୍ଦ୍ରପୃଷ୍ଠ ଏବଂ ମହାକାଶ ପରିବେଶର ବିଭିନ୍ନ ଦିଗ ଯଥା ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଶରୁ ଉତ୍ତାପ ପ୍ରବାହ ସହିତ ଚନ୍ଦ୍ରର ଚୁମ୍ବକୀୟ ଏବଂ ବୈଦ୍ୟୁତିକ କ୍ଷେତ୍ରର ଅନୁସନ୍ଧାନ କରିବା ପାଇଁ ଏହି ପେଲୋଡ୍ ଡିଜାଇନ୍ କରାଯାଇଛି।
ଅନ୍ୟପଟେ ପୃଥିବୀ ଭଳି ଏଣିକି ଚନ୍ଦ୍ରରେ ମଧ୍ୟ ମୋବାଇଲରେ ଯୋଗାଯୋଗ କରିହେବ, ଏପରିକି ହାଇଡେଫିନେସନ୍ ଭିଡିଓ ମଧ୍ୟ ଷ୍ଟ୍ରିମ କରିହେବ। ଏନେଇ ନାସା ତରଫରୁ ଏକ ମିଶନ ଆରମ୍ଭ ହୋଇଛି। ମୋବାଇଲ ସେବା ଯୋଗାଣକାରୀ କମ୍ପାନୀ ନୋକିଆ ସହଯୋଗରେ ଏହା ସମ୍ଭବ ହେବାକୁ ଯାଉଛି। ଯେଉଁଥିପାଇଁ ନାସା ଏହାର ମହାକାଶ ଯାନ ଆଥିନା ଲ୍ୟାଣ୍ଡରକୁ ଫେବ୍ରୁୟାରୀ ୨୬ରେ ଲଞ୍ଚ କରିଛି। ଯାହା ଚନ୍ଦ୍ରରେ ମୋବାଇଲ୍ ପ୍ରଯୁକ୍ତିବିଦ୍ୟା ସ୍ଥାପନ କରିବ । ଏହା ନାସାର IM-2 ମିଶନର ଏକ ଅଂଶ।
ପୃଥିବୀରେ ଯେଉଁ ବୈଷୟିକ ଜ୍ଞାନକୌଶଳ ବଳରେ ଫୋନ ଯୋଗାଯୋଗ ସମ୍ଭବ ହୋଇଛି ଚନ୍ଦ୍ରପୃଷ୍ଠରେ ମଧ୍ୟ ସେହି ଜ୍ଞାନକୌଶଳକୁ ପ୍ରୟୋଗ କରିବାଗାକୁ ଯାଉଛି ନାସା। ନୋକିଆ LSCS ବା ଲୁନାର ସରଫେସ୍ କମ୍ୟୁନିକେସନ ସିଷ୍ଟମକୁ ବିକଶିତ କରିଛି। ଯାହା ପୃଥିବୀରେ ବ୍ୟବହୃତ ସେଲୁଲାର ଟେକନୋଲୋଜି ବ୍ୟବହାର କରି ଚନ୍ଦ୍ର ପୃଷ୍ଠରେ ଯୋଗାଯୋଗ ସ୍ଥାପନ କରିବ।
ଏହି ସିଷ୍ଟମ ଜରିଆରେ ଜହ୍ନରେ HD ଭିଡ଼ିଓ ଷ୍ଚ୍ରିମିଂ, କମାଣ୍ଡ-ଏଣ୍ଡ-କଣ୍ଟ୍ରୋଲ୍ ଯୋଗାଯୋଗ ଏବଂ ଡାଟା ବିନିମୟ ସମ୍ଭବ ହୋଇପାରିବ। ଏହି ସ୍ୱତନ୍ତ୍ର ସିଷ୍ଟମକୁ ଏପରି ଡିଜାଇନ୍ କରାଯାଇଛି ଯେ, ଏହା ମହାକାଶର କଠୋର ପରିସ୍ଥିତି, ଯେପରିକି ଅତ୍ୟଧିକ ତାପମାତ୍ରା ଏବଂ ବିକିରଣକୁ ସହ୍ୟ କରିପାରିବ। ନୋକିଆ କହିଛି, "ଭବିଷ୍ୟତର ମହାକାଶଚାରୀଙ୍କ ସ୍ପେସସୁଟ୍ ସହିତ ମଧ୍ୟ ସଂଯୁକ୍ତ କରିବାକୁ ଚାହୁଁଛୁ।" ଏହାର ଅର୍ଥ ହେଉଛି ଭବିଷ୍ୟତରେ ଚନ୍ଦ୍ରରେ ମଧ୍ୟ ଭଏସ୍ କଲ୍ ଏବଂ ମେସେଜିଂ ସମ୍ଭବ ହୋଇପାରିବ ।