Videos
|
International

Plane Crash / ରୁଷିଆରେ ବଡ଼ ବିମାନ ଦୁର୍ଘଟଣା: An-12 ସାମରିକ ବିମାନ କ୍ରାସ୍, ୧୯ ଜଣଙ୍କ ମୃ*ତ୍ୟୁ

Rashmita Mishra
Browse all articles by Rashmita Mishra
·28 mins ago·2 min read
ରୁଷିଆରେ ବଡ଼ ବିମାନ ଦୁର୍ଘଟଣା: An-12 ସାମରିକ ବିମାନ କ୍ରାସ୍, ୧୯ ଜଣଙ୍କ ମୃ*ତ୍ୟୁ
Plane Crash

Key Points

ରୁଷ୍‌ରେ ବଡ଼ ବିମାନ ଦୁର୍ଘଟଣା, ୧୯ ମୃ*ତ
କ୍ରାସ୍ ହେଲା ରୁଷ୍ ସେନାର An-12 ବିମାନ
ପଶ୍ଚିମ ସାଇବେରିଆର କେମେରୋଭୋ ଅଞ୍ଚଳରେ ଅଘଟଣ
ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ

ରୁଷିଆରେ ମଙ୍ଗଳବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ପଶ୍ଚିମ ସାଇବେରିଆର କେମେରୋଭୋ ଅଞ୍ଚଳରେ ରୁଷୀୟ ସେନାର ଏକ ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ଘଟଣାକୁ ନିଶ୍ଚିତ କରିଛି । ପ୍ରାଥମିକ ତଦନ୍ତରେ ବିମାନର ଯନ୍ତ୍ରାଂଶରେ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରହିଛି ।

୧୯ ଜଣଙ୍କୁ ନେଇ ଯାଉଥିଲା ବିମାନ
ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବିମାନଟି ଥିଲା An-12 ସାମରିକ ପରିବହନ ବିମାନ । ମଙ୍ଗଳବାର ଏହା କେମେରୋଭୋ ଅଞ୍ଚଳର ୟାଗୁନୋଭୋ ଗାଁ ନିକଟସ୍ଥ ଏକ ଜନଶୂନ୍ୟ ସ୍ଥାନରେ ଖସିପଡ଼ିଥିଲା । ବିମାନରେ କ୍ରୁ ସଦସ୍ୟଙ୍କ ସମେତ ମୋଟ ୧୯ ଜଣ ଯାତ୍ରା କରୁଥିଲେ । ଦୁର୍ଘଟଣାରେ କେହି ଜୀବିତ ରହିନାହାନ୍ତି । ଘଟଣା ପରେ ଦୁର୍ଘଟଣାର କାରଣ ଖୋଜିବା ପାଇଁ ବାୟୁସେନାର ବିଶେଷଜ୍ଞମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ମସ୍କୋଠାରୁ ପ୍ରାୟ ୩ ହଜାର କିଲୋମିଟର ଦୂରରେ ଦୁର୍ଘଟଣା
ପଶ୍ଚିମ ସାଇବେରିଆର କେମେରୋଭୋ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣା ଘଟିଛି । ଏହି ସ୍ଥାନ ରୁଷିଆର ରାଜଧାନୀ ମସ୍କୋଠାରୁ ପ୍ରାୟ ୩ ହଜାର କିଲୋମିଟର ବା ୧,୮୬୦ ମାଇଲ ଦୂରରେ ଅବସ୍ଥିତ । ବିମାନଟି ଏକ ଜନଶୂନ୍ୟ ଅଞ୍ଚଳରେ ଖସିପଡ଼ିଥିବାରୁ ଭୂମିରେ ଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କ ଜୀବନ ଯିବାର ଖବର ମିଳିନାହିଁ ।
ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରାଥମିକ ସୂଚନା ଅନୁସାରେ, ବିମାନର ଯନ୍ତ୍ରାଂଶରେ ବୈଷୟିକ ତ୍ରୁଟି ଏହି ଦୁର୍ଘଟଣାର ସମ୍ଭାବ୍ୟ କାରଣ ହୋଇପାରେ । ତେବେ ଏହାକୁ ଚୂଡ଼ାନ୍ତ କାରଣ ଭାବେ ଗ୍ରହଣ କରାଯାଇନାହିଁ । ତଦନ୍ତକାରୀ ଅଧିକାରୀମାନେ ବିମାନର ବୈଷୟିକ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଦିଗ ଯାଞ୍ଚ କରୁଛନ୍ତି । ଉଡ଼ାଣ ସମୟରେ କେଉଁ ପ୍ରକାର ତ୍ରୁଟି ଦେଖାଦେଇଥିଲା ଏବଂ କ୍ରୁ ସଦସ୍ୟମାନେ ବିମାନକୁ ନିୟନ୍ତ୍ରଣ କରିବାରେ କାହିଁକି ବିଫଳ ହେଲେ, ସେନେଇ ତଦନ୍ତ ଚାଲିଛି ।

ସୋଭିଏତ୍ ଯୁଗରେ ନିର୍ମିତ An-12 ବିମାନ
An-12 ହେଉଛି ସୋଭିଏତ୍ ସଂଘ ସମୟରେ ନିର୍ମିତ ଏକ ସାମରିକ ପରିବହନ ବିମାନ । ଏଥିରେ ଚାରୋଟି ଟର୍ବୋପ୍ରପ୍ ଇଞ୍ଜିନ ରହିଛି । ସୈନିକ, ସାମରିକ ଉପକରଣ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପରିବହନ ପାଇଁ ଏହାକୁ ଡିଜାଇନ୍ କରାଯାଇଥିଲା ।

୧୯୫୦ ଦଶକର ଶେଷ ଭାଗରୁ ଏହି ବିମାନ ସେବାରେ ରହିଆସିଛି । An-12 ବିମାନରେ ସାଧାରଣତଃ ୬ ଜଣିଆ କ୍ରୁ ରହିଥାନ୍ତି । ଏହି ବିମାନର ୧,୦୦୦ରୁ ଅଧିକ ମଡେଲ୍ ନିର୍ମାଣ କରାଯାଇଛି । ଦୀର୍ଘ ବର୍ଷ ଧରି ସେବାରେ ରହିଥିଲେ ମଧ୍ୟ ରୁଷିଆ ସମେତ ବିଶ୍ୱର ଅନେକ ଦେଶରେ ଏବେ ବି ଏହାକୁ ସାମରିକ ପରିବହନ କାର୍ଯ୍ୟରେ ବ୍ୟବହାର କରାଯାଉଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: