ଟ୍ରମ୍ଫଙ୍କ ଚେତାବନୀକୁ ପୁଟିନ୍ଙ୍କ ଖାତିିର ନାହିଁ,

Key Points
ପୁଣି ଅସଫଳ ରୁଷ-ୟୁକ୍ରେନ ଶାନ୍ତି ଆଲୋଚନା ।
ଯୁଦ୍ଧ ବନ୍ଦକୁ ନେଇ ହୋଇପାରିଲାନି ଫୈସଲା ।
ଟ୍ରମ୍ଫଙ୍କ ଚେତାବନୀ ସତ୍ବେ ଅଟଳ ପୁଟିନ୍ ।
ଜାରୀ ରହିବ ଅନ୍ତହୀନ ଯୁଦ୍ଧ !
ପୁଣି ବିଫଳ ହେଲା ଋଷ-ୟୁକ୍ରେନ ଶାନ୍ତି ଆଲୋଚନା। ଫଳରେ ୩ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ବନ୍ଦ କରିବା ନେଇ ହୋଇପାରିଲାନି ନିଷ୍ପତ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ସତ୍ତ୍ବେ ନିଜ ଜିଦରେ ଅଟଳ ରହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍। ଉଭୟପକ୍ଷଙ୍କ ଗୋଟିଏ ସ୍ବର ଦାବି ଓ ସର୍ତ୍ତ ପୂରଣ ନହେବା ଯାଏଁ ଜାରି ରହିବ ଆକ୍ରମଣ।
୩ ବର୍ଷର ଘମାଘୋଟ ଯୁଦ୍ଧ.. ହଜାର ହଜାର ମୃତ.. ପ୍ରଥମେ ବାଇଡେନ୍ ପରେ ଟ୍ରମ୍ପଙ୍କ ମଧ୍ୟସ୍ଥତା । ଶାନ୍ତି ଆଲୋଚନା.. ସିଜ୍ ଫାୟାର ପାଇଁ ଚେଷ୍ଟା ସବୁ ହୋଇଥିଲା ବିଫଳ । ପୁଣି ୨୩ ଜୁଲାଇ ୨୦୨୫ରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ଶାନ୍ତି ବାର୍ତ୍ତା ମାତ୍ର ୪୦ ମିନିଟରେ ଶେଷ ହୋଇଛି, କିନ୍ତୁ କୌଣସି ଯୁଦ୍ଧ ବିରତି ବା ଦୁଇ ଦେଶ ଭିତରେ ଉତ୍ତେଜନା କମ୍ ହେବାର ରାସ୍ତା ଫିଟିନାହିଁ ।
ଗତ ମେ ଏବଂ ଜୁନ ମାସ ପରେ ତୃତୀୟ ପର୍ଯ୍ୟାୟରେ ଶାନ୍ତି ଆଲୋଚନା ହୋଇଛି । ଇସ୍ତାନବୁଲ୍ରେ ୟୁକ୍ରେନର ଜାତୀୟ ସୁରକ୍ଷା ସଚିବ ରୁସ୍ତେମ ଉମେରୋଭ ଏବଂ ରୁଷିଆର ପ୍ରତିନିଧି ଭ୍ଲାଦିମିର ମେଦିନସ୍କୀ ଆଲୋଚନାରେ ପ୍ରତିନିଧୀତ୍ବ କରିଥିଲେ । ଆଲୋଚନା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷ୍କୁ ୩୦ ଦିନର ଯୁଦ୍ଧବିରତି ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ରୁଷ ଏହାକୁ ପ୍ରତ୍ୟାଖ୍ୟାନ କରି କେବଳ କିଛି ସର୍ତକୁ କାର୍ଯ୍ୟକାରୀ କରିବାକୁ ନେଇ ପ୍ରଥମେ ବୈଠକ କରାଯାଉ ବୋଲି କହିଥିଲା।
ବର୍ତ୍ତମାନ ଏହି ଆଲୋଚନାରେ ରୁଷ ପୂର୍ବ ଦାବିଗୁଡ଼ିକୁ ପୁନର୍ବାର ଦୋହରାଇଛି, ଯେଉଁଥିରେ ୟୁକ୍ରେନର ଚାରୋଟି ଅଞ୍ଚଳରେ ପୂର୍ଣ୍ଣ ନିୟନ୍ତ୍ରଣ, ୟୁକ୍ରେନର ନାଟୋ ସଦସ୍ୟତା ଉପରେ ସମ୍ପୂର୍ଣ୍ଣ ନିଷେଧ ଏବଂ ରୁଷ ବିରୁଦ୍ଧରେ ଲାଗୁ ହୋଇଥିବା ପ୍ରତିବନ୍ଧକଗୁଡ଼ିକୁ ଉଠାଇ ନେବା ଆଦି ଅନ୍ତର୍ଭୁକ୍ତ। ଅନ୍ୟପଟେ, ୟୁକ୍ରେନ ରୁଷର ସମସ୍ତ ସୈନ୍ୟଙ୍କ ପ୍ରତ୍ୟାହାର, ଯୁଦ୍ଧାପରାଧୀଙ୍କ ବିରୁଦ୍ଧରେ ମାମଲା ଏବଂ ଅପହୃତ ଶିଶୁଙ୍କ ଫେରସ୍ତ ଦାବି କରିଛି। ବାର୍ତ୍ତା ସମୟରେ ଉଭୟ ପକ୍ଷ ଯୁଦ୍ଧବନ୍ଦୀ ଏବଂ ମୃତ ସୈନିକଙ୍କ ଶବ ଆଦାନପ୍ରଦାନ ପାଇଁ ସହମତ ହୋଇଥିବା ସୂଚନା ମିଳିଛି, କିନ୍ତୁ ଯୁଦ୍ଧ ବିରତିକୁ ନେଇ ଉଭୟ ଏକମତ ହୋଇନାହାନ୍ତି ।
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ବାର୍ତ୍ତାକୁ ଖାଲି ପ୍ରଦର୍ଶନ ବୋଲି ଅଭିହିତ କରି ରୁଷିଆ ବିରୋଧରେ କଠୋର ପ୍ରତିବନ୍ଧକ ଦାବି କରିଛନ୍ତି। କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ, ରୁଷିଆ ଶାନ୍ତି ଚାହେଁ କିନ୍ତୁ ତାହାର ଲକ୍ଷ୍ୟ ପୂରଣ ହେବା ପରେ ହିଁ ଏହା ସମ୍ଭବ। ତେବେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ଉପରେ ୫୦ ଦିନ ଭିତରେ କଠୋର ପ୍ରତିବନ୍ଧକ ଲଗାଇବା ପାଇଁ ପୁଣିଥରେ ଘେୋଷଣା କରିଛନ୍ତି।