Videos
|
International

ହିଂସା ଭିତରେ ଦେଶବାସୀଙ୍କୁ ନ୍ୟାୟ ମାଗିଲେ ହସିନା !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ହିଂସା ଭିତରେ ଦେଶବାସୀଙ୍କୁ ନ୍ୟାୟ ମାଗିଲେ ହସିନା  !

Key Points

  • ଅଶାନ୍ତ ବାଂଲାଦେଶ, ମୁହଁ ଖୋଲିଲେ ହସିନା
  • କହିଲେ, ଦେଶବାସୀ ମତେ ନ୍ୟାୟ ଦିଅନ୍ତୁ

ଅର୍ଗସ ବ୍ୟୁରୋ : ଏବେ ବି ଅଶାନ୍ତ ଅଛି ବାଂଲାଦେଶ । ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଛି, ସଂରକ୍ଷଣକୁ ନେଇ ଏବେ ବି  ପ୍ରତିବାଦ ଦେଖିବାକୁ ମିଳୁଛି । ହେଲେ ଏହାରି ଭିତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଯେଉଁ ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋରଦାର । କାରଣ ସେ କହିଛନ୍ତି, ମୁଁ ଏବେ ଦେଶବାସୀଙ୍କୁ ନ୍ୟାୟ ମାଗୁଛି । ଏହାସହ ଆବାମୀ ଲିଗ୍‌ ବିରୋଧରେ ଏପରି ବିଦ୍ରୋହ ବାଂଲାଦେଶର ପ୍ରତିଷ୍ଠାତା ରାଷ୍ଟ୍ରପତି ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ ଓ ଦେଶ ପାଇଁ ଜୀବନ ଦେଇଥିବା ଅନେକ ସହିଦଙ୍କ ପ୍ରତି ଅପମାନ ବୋଲି ହସିନା କହିଛନ୍ତି । 

ବାଂଲାକୁ ନେଇ ଥମୁନି ଚର୍ଚ୍ଚା । ସଂରକ୍ଷଣ ହିଂସା ଏତେ ଉଗ୍ର ରୂପ ନେଇଥିଲା ଯେ ସେନାର ୪୫ ମିନିଟିଆ ନୋଟିସ ପାଇ ଦେଶ ଛାଡିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ଖାଲି ଦେଶ ଛାଡିଥିଲେ ତାହା ନୁହେଁ ବରଂ ଭାରତରେ ଆଶ୍ରୟ ନେଇଥିଲେ । ପରେ ପରେ ଋଷିଆ, ବ୍ରିଟେନ୍‌ ସହ ୟୁଏଇ ଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏଯାଏଁ ହସିନା କେଉଁଠି ରହିବେ ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଏହାରି ଭିତରେ ପୁଅ,  ସାଜୀବ ୱାଜେଦଙ୍କ ଦ୍ୱାରା ହସିନା ଜାରି କରିଥିବା ପ୍ରଥମ ବିବୃତିରେ କହିଛନ୍ତି, “ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ନେତୃତ୍ୱ ଯୋଗୁ ଆମେ ଗୋଟିଏ ସ୍ୱାଧୀନ ରାଷ୍ଟ୍ର ହୋଇଥିଲୁ। ନିଜସ୍ୱ ପରିଚୟ ପାଇଥିଲୁ ଓ ସ୍ୱାଧୀନ ଦେଶ ହୋଇଥିଲୁ।ହେଲେ ଆଜି ତାଙ୍କୁ ଭୟଙ୍କର ଢଙ୍ଗରେ ଅପମାନିତ କରାଯାଇଛି। ସେମାନେ ଲକ୍ଷାଧିକ ସହିଦଙ୍କ ରକ୍ତକୁ ଅପମାନିତ କରିଛନ୍ତି। ମୁଁ ଦେଶବାସୀଙ୍କ ଠାରୁ ନ୍ୟାୟ ଚାହୁଁଛି।” ଏହାସହ ହସିନା ତାଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଛାଡ଼ିବାକୁ ବାଧ୍ୟ କରିଥିବା ଶକ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି।

ଆବାମୀ ଲିଗ୍‌ର ମୁଖ୍ୟ ହସିନା ବାଂଲାଦେଶର ଲୋକଙ୍କୁ ଅଗଷ୍ଟ ୧୫ ଅର୍ଥାତ୍‌ ଆସନ୍ତାକାଲିକୁ ଜାତୀୟ ଶୋକ ଦିବସ ଭାବରେ ପାଳନ କରିବାକୁ ଅନୁରୋଧ କରିଛନ୍ତି । କାରଣ ଏହି ଦିନ ଶେଖ ମୁଜିବୁର ରହମାନଙ୍କୁ ହତ୍ୟା କରାଯାଇଥିଲା । ତେବେ ହସିନା ଆହୁରି ମଧ୍ୟ କହିଛନ୍ତି, “ମୁଁ ଅଗଷ୍ଟ ୧୫ରୁ ଅତ୍ୟନ୍ତ ନିଷ୍ଠାର ସହ ଜାତୀୟ ଶୋକ ଦିବସ ଭାବେ ପାଳନ କରିବାକୁ ଅନୁରୋଧ କରୁଛି। ବଙ୍ଗବନ୍ଧୁ ଭବନରେ ପୁଷ୍ପମାଲ୍ୟ ଓ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଉଛି।” “ଶିକ୍ଷାର୍ଥୀ, ଶିକ୍ଷକ, ପୁଲିସ୍‌, ସାମ୍ବାଦିକ, ସାଂସ୍କୃତି କର୍ମଚାରୀ ଓ ନିରୀହ ସାଧାରଣ ଲୋକ ଆତଙ୍କବାଦ ଓ ହିଂସା ଯୋଗୁ ଜୀବନ ହରାଉଛନ୍ତି । ଯେଉଁମାନେ ମୋ ଭଳି ନିଜ ପ୍ରିୟଜନଙ୍କୁ ହରାଇ କଷ୍ଟରେ ଅଛନ୍ତି, ସେମାନଙ୍କ ପାଇଁ ଶୋକ ପ୍ରକାଶ କରୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ, ବାଂଲାଦେଶକୁ ୧୫ ବର୍ଷ ଧରି ଶାସନ କରୁଥିବା ଶେଖ ହସିନାଙ୍କ କାର୍ଯ୍ୟକାଳ ଉପରେ ଗତ ୫ ତାରିଖରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା । ହିଂସା ଯୋଗୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ବାଂଲାଦେଶ ଛାଡ଼ି ଭାରତକୁ ଚାଲି ଆସିଥିଲେ । ଏବେ ସେ ଭାରତର ସୁରକ୍ଷିତ ଠିକଣାରେ ରହିଛନ୍ତି । ତେବେ ଆଗାମୀ ଦିନରେ ସେ କେଉଁଠି ରହିବେ ତାହା ଉପରେ ନଜର ।
 

Sheikh Hasina | Argus News