Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Silent Killer: ପ୍ରତିବର୍ଷ ମରୁଛନ୍ତି ୫,୨୫୮ ଶିଶୁ.. ଯଥାଶିଘ୍ର ସୁଧାରିବାକୁ ପଡ଼ିବ ସ୍ଥିତି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Silent Killer: ପ୍ରତିବର୍ଷ ମରୁଛନ୍ତି ୫,୨୫୮ ଶିଶୁ.. ଯଥାଶିଘ୍ର ସୁଧାରିବାକୁ ପଡ଼ିବ ସ୍ଥିତି

ବାଂଲାଦେଶରେ ମାତିଛି ସାଇଲେଣ୍ଟ କିଲର । ଗୋଟିଏ କି ଯୋଡ଼ିଏ ନୁହେଁ, ଲକ୍ଷେ ଲୋକଙ୍କ ଜୀବନ ନେଲାଣି ଏହି ସାଇଲେଣ୍ଟ କିଲର । ଯାହାକି ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ହେଲେ ବାହାରୁନି ସମାଧାନର ବାଟ । କ'ଣ କରିବେ ସରକାର । ଦିଶୁନି ବୁଦ୍ଧି ବାଟ...

ଛାତ୍ର ଆନ୍ଦୋଳନ ପାଇଁ ପଡ଼ୋଶୀ ଦେଶ ବାଂଲାଦେଶରେ ଗତ କିଛି ମାସ ମଧ୍ୟରେ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଛି, ଯାହାକି ସାରା ବିଶ୍ବରେ ଚର୍ଚ୍ଚା ହେଉଛି । ଦେଶରେ ଲାଗି ରହିଥିବା ଅସ୍ଥିରତା ପାଇଁ ଆର୍ଥିକ ସ୍ଥିତି ରସାତଳେ କହିଲେ ଚଳେ । ଲୋକେ ମୁଠାଏ ଦାନା ପାଇଁ ଦହଗଞ୍ଜ ହେଉଛନ୍ତି ।

ହେଲେ ଏବେ ବାଂଲାଦେଶରେ ନୂଆ ସମସ୍ୟା ଦେଖାଦେଇଛି, ଯେଉଁଥିପାଇଁ ହଜାର ହଜାର ଲୋକ ମୃତ୍ୟୁ ମୁହଁକୁ ଠେଲି ହୋଇଯାଇଛନ୍ତି.. ଆଉ ସରକାର ବି ଚିନ୍ତାରେ ପଡ଼ିଛନ୍ତି । ବାଂଲାଦେଶରେ ବାୟୁ ପ୍ରଦୂଷଣ ଏକ ନୂଆ ସଙ୍କଟ ରୂପେ ଉଭା ହୋଇଛି । ବାୟୁ ପ୍ରଦୂଷଣ ହେତୁ ଗତ ବର୍ଷ ୧,୦୨,୪୫୬ ଜଣଙ୍କର ମୃତ୍ୟୁ ହୋଇଥିବା ଏକ ରିପୋର୍ଟରେ ଦାବି କରାଯାଇଛି।

ବିଷାକ୍ତ ବାୟୁକୁ ସେଠାରେ `ସାଇଲେଣ୍ଟ କିଲର' ସହ ତୁଳନା କରାଯାଉଛି । ବାଂଲାଦେଶର ସେଣ୍ଟର ଫର ରିସର୍ଚ୍ଚ ଏନର୍ଜି ଆଣ୍ଡ କ୍ଲିନ୍ ଏୟାରର ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ବାଂଲାଦେଶ ଦୁନିଆର ସବୁଠାରୁ ପ୍ରଦୂଷିତ ଦେଶ ଭାବରେ ପରିଗଣିତ ହୋଇଥିଲା । ଦେଶରେ ବାୟୁ ପ୍ରଦୂଷଣ କମ ହେଲେ ତଥା ବାୟୁ ଗୁଣବତ୍ତା ଉନ୍ନତ ହେଲେ ମୃତ୍ୟୁ ସଂଖ୍ୟା ୧୯ ପ୍ରତିଶତ ହ୍ରାସ ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

WHO ନିର୍ଦ୍ଦେଶାବଳୀ ପାଳନ କରାଗଲେ, ପ୍ରତିବର୍ଷ ୮୧,୨୮୨ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ । କେବଳ ଏତିକି ନୁହେଁ, ଏହା ଲୋକଙ୍କ ଜୀବନକାଳ ୨୧ ପ୍ରତିଶତ ବୃଦ୍ଧି କରିପାରିବ । ବାଂଲାଦେଶରେ ବାୟୁ ପ୍ରଦୂଷଣ ହେତୁ ହୃଦଘାତ, ଫୁସଫୁସ ରୋଗ ଏବଂ ଫୁସଫୁସ କର୍କଟ ଭଳି ରୋଗ ବୃଦ୍ଧି ପାଉଛି । ଏହା ଛୋଟ ପିଲାମାନଙ୍କୁ ଅଧିକ ପ୍ରଭାବିତ କରୁଛି । ପ୍ରଦୂଷଣ ପାଇଁ ପ୍ରତିବର୍ଷ ୫,୨୫୮ ପିଲାଙ୍କର ଜୀବନ ଚାଲିଯାଉଛି ।

ବାୟୁ ପ୍ରଦୂଷଣ ହେତୁ ଲୋକେ ଆସ୍ଥମା ପରି ରୋଗର ଶିକାର ହେଉଛନ୍ତି । ସମୟ ପୂର୍ବରୁ ପିଲାଙ୍କର ପ୍ରସବ ହୋଇଯାଉଛି । କେବଳ ଏତିକି ନୁହେଁ, ଲୋକଙ୍କର ସହ୍ୟ କରିବାର କ୍ଷମତା ମଧ୍ୟ ହ୍ରାସ ପାଉଛି । ପରିଣତ ବୟସର ଲୋକମାନେ ରୋଗରେ ଘାଣ୍ଟି ହେଉଛନ୍ତି । ଲୋକମାନେ ଏପରି ରୋଗର ଶିକାର ହେଉଛନ୍ତି, ଯାହାର କୌଣସି ଚିକିତ୍ସା ନାହିଁ ।

ଡାକ୍ତରୀ ରିପୋର୍ଟ ଅନୁସାରେ ସେଠାରେ ପ୍ରତିବର୍ଷ ହଜାର ହଜାର ଶିଶୁ... ସମୟ ପୂର୍ବରୁ ଜନ୍ମ ହୁଅନ୍ତି । ସେମାନଙ୍କର ଓଜନ କମ୍ ରହିଥାଏ ଓ ଅନେକ ପିଲା ଜନ୍ମ ହେବା ମାତ୍ରେ ମରିଯାଆନ୍ତି । ଗରିବ ପରିବାରରେ ଏହି ସମସ୍ୟା ସର୍ବାଧିକ ଦେଖିବାକୁ ମିଳୁଛି । ଏହାସହ ବାୟୁ ପ୍ରଦୂଷଣ ହେତୁ ଦେଶର ଅର୍ଥନୀତି ପ୍ରଭାବିତ ହେଉଥିବା ବେଳେ ପ୍ରତିବର୍ଷ କୋଟି କୋଟି ଟଙ୍କାର କ୍ଷତି ହେଉଛି ।

ରିପୋର୍ଟ ଅନୁସାରେ ବର୍ତ୍ତମାନ ଢାକା ସହରର ବାୟୁ ପ୍ରଦୂଷଣ କେବଳ ଶାରୀରିକ ନୁହେଁ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଉଛି । ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ ୨୦୨୪ ର ରିପୋର୍ଟରେ ଦର୍ଶାଯାଇଛି, ବାୟୁ ପ୍ରଦୂଷଣ ହେତୁ ଲୋକଙ୍କ ଆୟୁ ୪.୮ ବର୍ଷ ହ୍ରାସ ପାଇଛି। କାରଖାନାରୁ ନିର୍ଗତ ହେଉଥିବା ଧୂଆଁ, ଘରୁ ବାହାରୁଥିବା ମଇଳା, ଏହି ପ୍ରଦୂଷଣ ବୃଦ୍ଧି ପାଇଁ ଦାୟୀ ବୋଲି କୁହାଯାଇଛି ।

ଆଗକୁ ଯଦି ଏପରି ଚାଲେ.. ତେବେ ଆଗମୀ ଦିନରେ ଏହା ଆହୁରି ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରାଯାଛଛି । ତେଣୁ ତରନ୍ତ ଏହି ପ୍ରଦୁଷଣ ରୋକିବା ପାଇଁ ସରକାର ଏବଂ ପ୍ରଶାସନକୁ ଏକ ବଡ଼ ପଦକ୍ଷେପ ନେବାକୁ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Silent killer of Bangladesh claims 102456 lives, worst than missile attack | Argus News