ଖସିଲା ଷ୍ଟକ୍ ମାର୍କେଟ୍, ଏବେ ତେଲ ଦର ବଢ଼ିବା ଆଶଙ୍କା !

Key Points
ଇସ୍ରାଏଲ-ଇରାନ, ଆକ୍ରମଣ ପ୍ରତିଆକ୍ରମଣ, ଘନ ଘନ ମିସାଇଲ ମାଡ, ବୋମା ବର୍ଷଣ ।
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ତିନି ପ୍ରତିଶତ ବଢ଼ି ୭୯ ଡଲାର ପାର କରିଛି ।
ଷ୍ଟକ୍ ମାର୍କେଟ୍ରେ ଇସ୍ରାଏଲ-ଇରାନ ଯୁଦ୍ଧର ବଡ଼ ପ୍ରଭାବ । ଏସିଆର ଷ୍ଟକ ମାର୍କେଟରେ ହ୍ରାସ ପାଇଲା କାରବାର । ଆନ୍ତର୍ଜାତୀୟ ବଜାରରେ ବଢିଲା ଅଶୋଧିତ ତୈଳ ଦର । ଇରାନ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେବାର ଆଶଙ୍କା । ଆମେରିକା କହିଲା, ପୁଣି ଏକ ବଡ଼ ଭୁଲ କରିବାକୁ ଯାଉଛି ଇରାନ ।
ଇସ୍ରାଏଲ-ଇରାନ, ଆକ୍ରମଣ ପ୍ରତିଆକ୍ରମଣ, ଘନ ଘନ ମିସାଇଲ ମାଡ, ବୋମା ବର୍ଷଣ । ଯାହାର ସିଧା ପ୍ରଭାବ ପଡିଛି ବିଶ୍ବ ବଜାର ଉପରେ । ଏଥିରୁ ବର୍ତ୍ତି ନାହିଁ ଏସିଆର ଷ୍ଟକ ମାର୍କେଟ । ଏସିଆର ଷ୍ଟକ ମାର୍କେଟରେ କାରବାର ହ୍ରାସ ପାଇଛି । ନିବେଶକ ମାନେ ଷ୍ଟକ ମାର୍କେଟରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି । ବଢିଛି ତେଲ ଦର । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ତିନି ପ୍ରତିଶତ ବଢ଼ି ୭୯ ଡଲାର ପାର କରିଛି । ଇରାନ ହେଉଛି ବିଶ୍ବର ନବମ ବୃହତ୍ ତେଲ ପ୍ରସ୍ତୁତକାରୀ ଦେଶ । ଏଠାରେ ଦୈନିକ ପ୍ରାୟ ୩.୩ ମିଲିୟନ ବ୍ୟାରେଲ ତେଲ ପ୍ରସ୍ତୁତ ହୁଏ । ଏଥିରୁ ଅଧାରୁ ଅଧିକ ବିଦେଶକୁ ରପ୍ତାନୀ କରାଯାଇଥାଏ । ଯୁଦ୍ଧର ପରିସୀମା ବୃଦ୍ଧି ପାଉଥିବା ବେଳେ ଏହାର ସିଧା ପ୍ରଭାବ ତେଲ ଦର ଉପରେ ପଡିଛି ।
📱 Get Argus News App
✨ସେପଟେ ଇରାନ୍ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଇରାନର ପାର୍ଲାମେଣ୍ଟ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ପାଇଁ ଅନୁମତି ଦେଇସାରିଛି । ତେବେ ଇରାନ ଗଣମାଧ୍ୟମର ସୂଚନା ଅନୁସାରେ, ଏନେଇ ଶେଷ ନିଷ୍ପତ୍ତି ନେବ ସୁପ୍ରିମ ନ୍ୟାସନାଲ ସିକ୍ୟୁରିଟି କାଉନସିଲ । ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ ମାର୍କୋ ରୁବିଓ କହିଛନ୍ତି ଯଦି ଇରାନ ଏପରି କରେ ତେବେ ଏହା ଆଉ ଏକ ଭୁଲ ହେବ । ଏହାକୁ ଅର୍ଥନୈତିକ ଆତ୍ମହତ୍ୟା ବୋଲି କୁହାଯିବ । ହୋର୍ମୁଜ ପ୍ରଣାଳୀ ବନ୍ଦ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଆମ ପାଖରେ ଅନେକ ବାଟ ଖୋଲା ରହିଛି ।
ହୋର୍ମୁଜ ପ୍ରଣାଳୀ ଦେଇ ବିଶ୍ବର ଏକ ପଞ୍ଚମାଂଶ ବା ୨୦ ପ୍ରତିଶତ ତୈଳ ଓ ଗ୍ୟାସ ଯୋଗାଣ ହୋଇଥାଏ । ହୋର୍ମୁଜ ପ୍ରଣାଳୀ ପାରସ୍ୟ ଉପସାଗରକୁ ଆରବ ସାଗର ସହିତ ଯୋଡ଼ିଥାଏ । ସବୁଠୁ ଅଣଚଉଡ଼ା ସ୍ଥାନରେ ଏହି ପ୍ରଣାଳୀର ପ୍ରସ୍ଥ ପ୍ରାୟ ୩୩ କିମି । କିନ୍ତୁ ଜାହାଜ ଚଳାଚଳ ମାର୍ଗର ଚଉଡ଼ା ଅତ୍ୟନ୍ତ କମ୍ । ଯିବା ଆସିବା ମାର୍ଗରେ ଏହାର ଚଉଡ଼ା ମାତ୍ର ୩ କିମି ଲେଖାଏଁ ରହିଛି । ଏହାକୁ ବନ୍ଦ କରିବା ପାଇଁ ଇରାନ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ ଭାରତ ସହିତ ବିଶ୍ବର ଅନ୍ୟାନ୍ୟ ଦେଶଗୁଡ଼ିକୁ ସାଉଦି ଆରବ, ଇରାକ, ସଂଯୁକ୍ତ ଆରବ ଏମିରେଟ୍ସ, କତର, ଇରାନ ଏବଂ କୁଏତ ଆଦି ଦେଶରୁ ତେଲ ଓ ଗ୍ୟାସ ଆସିବା ବହୁମାତ୍ରାରେ ବାଧାପ୍ରାପ୍ତ ହେବ । ତେଣୁ ଭାରତକୁ ବିଶ୍ବର ଅନ୍ୟ ସ୍ଥାନରୁ ଅଶୋଧିତ ତେଲ ଆଣି ଦେଶର ଚାହିଦାକୁ ପୂରଣ କରିବାକୁ ପଡ଼ିବ।