ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ଉପରେ ଗୁରୁତ୍ୱ

Key Points
ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ମଧ୍ୟରେ ବୈଠକ
ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ଉପରେ ଗୁରୁତ୍ବ
ଟ୍ରମ୍ପ କହିଲେ ଆଗକୁ ହୋଇପାରେ ତ୍ରିପାକ୍ଷିକ ଆଲୋଚନା
ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି । ବୈଠକରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ସମାପ୍ତ କରିବା ଉପରେ ଆଲୋଚନା ହୋଇଛି । ତେବେ ବୈଠକରେ ଜେଲେନସ୍କି କହିଥିଲେ ଯେ, ଯୁଦ୍ଧ ବନ୍ଦ କରିବା ଜରୁରି । ସେଥିପାଇଁ ସେ ରୁଷ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ। ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପରେ ଜେଲେନସ୍କି କହିଥିଲେ ଯେ ଏହା ଶେଷ ବୈଠକ ନୁହେଁ । ଭବିଷ୍ୟତରେ ମଧ୍ୟ ଏହି ପ୍ରସଙ୍ଗରେ ସକାରାତ୍ମକ ଆଲୋଚନା ହେବ ।
ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ କହିଥିଲେ, "ମୁଁ ପୁଟିନଙ୍କ ସହ କଥା ହେବି । ଆମର ଏକ ତ୍ରିପାକ୍ଷିକ ବୈଠକ ହୋଇପାରେ କିମ୍ବା ନ ହୋଇପାରେ ଏବଂ ଯୁଦ୍ଧ ଜାରି ରହିପାରେ। ମୁଁ ଭାବୁଛି ଯୁଦ୍ଧ ଶେଷ କରିବା ପାଇଁ ଆମ ପାଖରେ ଏକ ଭଲ ସୁଯୋଗ ଅଛି । ଟ୍ରମ୍ପ ଆହୁରି କହିଛନ୍ତି ଯେ ଅନେକ ଦିଗରେ ପ୍ରଗତି ହୋଇଛି । କିଛି ଦିନ ପୂର୍ବେ ଆମେ ରୁଷ ରାଷ୍ଟ୍ରପତିଙ୍କ ସହ ଏକ ଭଲ ସାକ୍ଷାତ କରିଥିଲୁ । ମୁଁ ଭାବୁଛି ଯେ ଏହି ବୈଠକରୁ କିଛି ଫଳାଫଳ ବାହାରିପାରିବ । ଅନେକ ୟୁରୋପୀୟ ନେତା ମଧ୍ୟ ଜେଲେନସ୍କିଙ୍କ ସହ ହ୍ୱାଇଟ୍ ହାଉସରେ ପହଞ୍ଚିଥିଲେ । ନାଟୋ ମହାସଚିବ ମାର୍କ ରୁଟ୍, ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍, ବ୍ରିଟିଶ ପ୍ରଧାନମନ୍ତ୍ରୀ କାର୍ ଷ୍ଟାର୍ମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍, ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ଫନିଲାଣ୍ଡ ରାଷ୍ଟ୍ରପତି ଆଲେକଜାଣ୍ଡାର ଷ୍ଟବ୍ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ।