ନେପାଳ ରଜବଂଶର ରକ୍ତିମ ଅଧ୍ୟାୟ , ଜାଣନ୍ତୁ କେମିତି ଶେଷ ହୋଇଥିଲା ପୁରା ପରିବାର...

ରାଜପରିବାର । ଦିନେ ଏକ ଭୂ-ଖଣ୍ଡକୁ ଶାସନ କରୁଥିଲା ଏ ବଂଶ । ହେଲେ ବାପା-ମାଆ, ଭାଇ-ଭଉଣୀ । ଜଣ ଜଣଙ୍କରି ସମସ୍ତଙ୍କୁ ମର୍ଡର କରିଦେଲେ ରାଜକୁମାର । ଶେଷରେ ନିଜେକୁ ନିଜେ । ହତ୍ୟାର କାରଣ କୌଣସି ଥ୍ରୀଲର ଠାରୁ ବି କମ୍ ନୁହେଁ । ମୃତ୍ୟୁର ରହସ୍ୟ ଟାଇଟେନିକ ଜାହାଜ ଠାରୁ ବି ରୋମାଞ୍ଚ । ହତ୍ୟାକାରୀର ଉଦ୍ଦେଶ୍ୟ ଖୋଜିବା ବାରି ମୁସ୍କିଲ୍ । ପ୍ରେମିକାକୁ ନପାଇବାରୁ ହତ୍ୟା, ନା ବଂଶ ନିପାତର ଷଡ଼ଯନ୍ତ୍ର ? ଅଭିଶାପର ଅଗ୍ନୀରୁ ଧ୍ୱସଂ ହୋଇଯାଇଥିବା ଅଭିଶପ୍ତ କାହାଣୀ ବୋଲି କେହି କେହି ଭାବି ନିଅନ୍ତି । ନେପାଳ ରଜବଂଶର ରକ୍ତିମ ଅଧ୍ୟାୟ । ରାତି ପାହିବା ପୂର୍ବରୁ କେମିତି ଗୋଟେ ବଂଶ ହୋଇଗଲା ନିପାତ ।
ଘଟଣା ୨୦୦୧ ମସିହା ଜୁନ ୧ର । ସେଦିନ ଥିଲା ନେପାଳ ରାଜ ପରିବାରର ପାର୍ଟିର ଆୟୋଜନ । ଯେଉଁଥିରେ ସେତେବେଳର ରାଜା ବୀରେନ୍ଦ୍ର ବିର ବିକ୍ରମ ଶାହ , ପତ୍ନୀ ଐଶ୍ବର୍ଯ୍ୟା ଶାହଙ୍କ ସହ ପୁରା ପରିବାର ପାର୍ଟିରେ ସାମିଲ ହେବାକୁ ଆସିଥିଲେ । ପାର୍ଟିର ଆୟୋଜନ ପୁରା ସପ୍ତାହ ଆଗରୁ ଚାଲିଥିଲା । ଆଉ ଏହି ଆୟୋଜନର ସମ୍ପୁର୍ଣ୍ଣ ଦାଯିତ୍ବ ନେଇଥିଲେ ବୀରେନ୍ଦ୍ରଙ୍କ ବଡ ପୁଅ ଦୀପେନ୍ଦ୍ର ଶାହ । ସମସ୍ତେ ଜାଣିଥିଲେ ଦୀପେନ୍ଦ୍ର ପାର୍ଟିକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ।
ଜୁନ ୧ ଦିନ ରାଜ ପରିବାରର ସମସ୍ତ ସଦସ୍ୟ ପାଖାପାଖି ୮ଟା ବେଳେ ପାର୍ଟିରେ ପହଞ୍ଚି ଯାଇଥିଲେ । ଆଉ ସମସ୍ତେ ଖୁବ ଏଞ୍ଜୟ କରୁଥିଲେ । କିନ୍ତୁ ଦୀପେନ୍ଦ୍ର ଲଗାତାର ଖୁବ ମଦ୍ୟପାନ କରୁଥିଲେ । ପରିବାରର କୌଣସି ସଦସ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରୁ ନଥିଲେ। କାରଣ ସମସ୍ତେ ଜାଣିଥିଲେ ସେ ଯେତେ ପିଇଲେ ମଧ୍ୟ ନିଜକୁ ସମ୍ଭାଳି ପାରିବେ ।
ହଠାତ ଦୀପେନ୍ଦ୍ର ନିଜକୁ ସମ୍ଭାଳି ପାରି ନଥିଲେ । ଆଉ ସେତେବେଳେ ତାଙ୍କର ସାନ ଭାଇ ନିରଞ୍ଜନ ଏବଂ ଦାଦଙ୍କ ପୁଅ ପାରସ ତାଙ୍କୁ ତାଙ୍କର ରୁମ ଭିତରକୁ ନେଇ ଯାଇଥିଲେ । ଆଉ ଏହାର କିଛି ସମୟ ପରେ ନିଜର ମିଲଟାରୀ ପୋଷାକ ସହ ହାତରେ ଏମପି୫କେ(MP5K) ସବମିଶନ ଗନ୍ ସହ ପଦାକୁ ଆସିଥିଲେ । କେହି କିଛି ବୁଝିବା ଆଗରୁ ଗୁଳି ଚଲାଇଥିଲେ ଦୀପକ । ପ୍ରଥମେ ନିଜ ବାପା ବୀରନ୍ଦ୍ରଙ୍କ ଉପରେ ଗୁଳି ଚଲାଇଥିଲେ । ପରେ ନିଜର ଅନ୍ୟ ପରିବାର ସଦସ୍ୟଙ୍କ ଉପରେ ଗୁଳି ଚଲାଇଥିଲେ । ମାତ୍ର କିଛି ସମୟ ମଧ୍ୟରେ ପରିବାରର ସମସ୍ତ ସଦସ୍ୟଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ସେ ଗାର୍ଡେନଙ୍କୁ ଚାଲି ଯାଇଥିଲେ । ସେଠାରେ ସେ ନିଜ ଉପରେ ମଧ୍ୟ ଗୁଳି ଚଲାଇଥିଲେ ଏବଂ ନିଜକୁ ମାରି ଦେଇଥିଲେ ।
ଶୁଣିବାକୁ ମିଳେ ଦୀପେନ୍ଦ୍ରଙ୍କର ଏହି ହତ୍ୟାକାଣ୍ଡ ପଛର ପ୍ରଥମ କାରଣ ହେଉଛି ତାଙ୍କର ପ୍ରେମ ସମ୍ପର୍କ । ଦୀପେନ୍ଦ୍ର ଯେତେବେଳେ ଲଣ୍ଡନରେ ପଢୁଥିଲେ, ସେତେବେଳେ ତାଙ୍କର ପ୍ରେମ ହୋଇଥିଲା ଦେବଯାନୀ ରାଣାଙ୍କ ସହ । ଦେବଯାନୀ ରାଣା ନେପାଳର ସିନ୍ଧିଆ
ପରିବାରର ଥିଲେ । ଏହି ପରିବାର ଖୁବ ଧନୀ ପରିବାର ଥିଲେ। କିନ୍ତୁ ତାଙ୍କର ଶାହ ପରିବାର ସହ ଆଦୌ ଭଲ ସମ୍ପର୍କ ନଥିଲା । ଉଭୟ ପରିବାର ଆଦୌ ଚାହୁଁ ନଥିଲେ କି ତାଙ୍କର ୨ ଜଣଙ୍କର ବିବାହ ହେଉ । କାରଣ ଏହାଦ୍ବାରା ପୂର୍ବର ଥିବା ଶତ୍ରୁତା ଆହୁରି ବଢିବ । ଏହାପରେ ଯେତେବେଳେ ଉଭୟଙ୍କ କୁଣ୍ଡଳୀ ମିଶା ଯାଇଥିଲା, ସେତେବେଳେ ମଧ୍ୟ ସେମାନେ ଭଲ ସ୍ବାମୀ ସ୍ତ୍ରୀ ହୋଇ ପାରିବେନି ବୋଲି ମନା କରି ଦେଇଥିଲେ ପଣ୍ଡିତ । ଆଉ ପରିବାର ଲୋକେ ଏହାପରେ ବିବାହ କରିବାକୁ ସଫା ସଫା ମନା କରି ଦେଇଥିଲେ । ଯାହାକୁ ନେଇ ଦୀପେନ୍ଦ୍ର ରାଗରେ ପୁରା ପରିବାରକୁ ମାରି ଦେଇଥିବା ଶୁଣିବାକୁ ମିଳେ ।
ଏହାର ଆଉ ଏକ କାରଣ ବି ଚର୍ଚ୍ଚାକୁ ଆସିଛି । ଦୀପେନ୍ଦ୍ର ରାଜା ହେବାକୁ ଚାହୁଁଥିଲେ । କିନ୍ତୁ ନେପାଳର ଲୋକେ ୧୯୯୦ରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଥିଲେ । ସେମାନଙ୍କୁ ରାଜତନ୍ତ୍ର ନୁହେଁ, ଲୋକତନ୍ତ୍ର ଦରକାର ଥିଲା । ସେଥିପାଇଁ ସେମାନେ ଆନ୍ଦୋଳନ କରୁଥିଲେ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ବୀରେନ୍ଦ୍ର ଏକ ପାର୍ଲ୍ୟାମେଣ୍ଟ ତିଆରି କରିଥିଲେ । ଏବଂ ନିଜର ସମସ୍ତ ପାୱାର ତାଙ୍କୁ ଦେଇ ଦେଇଥିଲେ । ଏହାପରେ ସେ ନାମକୁ ମାତ୍ର ରଜା ରହିଲେ, କିନ୍ତୁ ତାଙ୍କର କୌଣସି ପାୱାର ନଥିଲା । ହେଲେ ଦୀପେନ୍ଦ୍ର ଏହା ଚାହୁଁନଥିଲେ । ସେ ରାଜା ହେବାକୁ ଚାହୁଁଥିଲେ, ଏବଂ ଲୋକମାନଙ୍କୁ ନିଜେ ଶାସନ କରିବାକୁ ଚାହୁଁଥିଲେ, ଯାହା ହୁଏତ ଆଗକୁ ସମ୍ଭବ ହୋଇ ପାରିନଥାନ୍ତା । ସେଥିପାଇଁ ସେ ପୁରା ପରିବାରକୁ ମାରି ଦେଇଥିଲେ ।
କିନ୍ତୁ ଆଉ କିଛି ଗୁପ୍ତ ସୂତ୍ରରୁ ଖବର ମିଳିଥିଲା, ନେପାଳରେ ଏପରି ଆନ୍ଦୋଳନ ଚାଲିଥିଲା ବେଳେ ଦିପେନ୍ଦ୍ର ଲଣ୍ଡନରେ ପଢୁଥିଲେ। ଆଉ ସେ ନିଜ ବାପାଙ୍କୁ ସପୋର୍ଟ ମଧ୍ୟ କରୁଥିଲେ । ଏକଥା ସେ ପଢୁଥିବା ଇଟନ କଲେଜର ପ୍ରଫେସରଙ୍କ ପକ୍ଷରୁ ସୂଚନା ମିଳିଥିଲା ।
ଏବେ ଆସିବା ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ, ଯାହା ହେଉଛି ଅଭିଶାପ । ଶାହ ରାଜବଂଶକୁ ଦୀର୍ଘ ୨୫୦ ବର୍ଷ ପୂର୍ବରୁ ମିଳିଥିଲା ଏକ ଅଭିଶାପ । ଶାହ ରାଜବଂଶର ପ୍ରଥମ ରାଜା ପୃଥିବୀ ନାରାୟଣ ଶାହଙ୍କୁ ମିଳିଥିଲା ଏପରି ଅଭିଶାପ ।
ଶୁଣାଯାଏ, ଏହି ରାଜା ଥରେ ଜଙ୍ଗଲରେ ବୁଲୁଥିବା ସମୟରେ ବେଶ ବଦଳାଇ ବୁଲୁଥିବା ଯୋଗୀ ଗୋରଖନାଥଙ୍କ ସହ ତାଙ୍କର ଦେଖା ହୋଇଥିଲା । ଯୋଗୀ ଗୋରଖନାତଙ୍କୁ ନେପାଳର ଲୋକେ ଭଗବାନ ଭାବେ ପୂଜା କରୁଥିଲେ । ହେଲେ ଏହାକୁ ମାନୁ ନଥିଲେ ନାରାୟଣ ଶାହ । ସେ ସେହି ଯୋଗୀଙ୍କୁ ଦକ୍ଷିଣା ରୂପେ ଏକ ପାତ୍ର ଦହି ଦେଇଥିଲେ। ଯୋଗୀ ତାଙ୍କୁ ପିଇବା ପରେ ପୁନଶ୍ଚ ପାଟିରୁ ବାହାର କରି ରାଜାଙ୍କୁ ପିଇବାକୁ ଦେଇଥିଲେ । ରାଜା ଘୁଣାରେ ସେ ପାତ୍ର ଦହିକୁ ଢାଳିଦେଲେ, ଆଉ ସେ ସବୁ ଯୋଗୀଙ୍କ ପାଦ ଉପରେ ପଡିଲା । ସେତେବେଳେ ଯୋଗୀ ତାଙ୍କୁ ରାଗରେ ଅଭିଶାପ ଦେଇଥିଲେ, ତାଙ୍କର ଯେତିକି ଆଙ୍ଗୁଳିରେ ଦହି ପଡିଛି, ସେତିକି ପିଢୀ ତାଙ୍କର ରାଜା ହୋଇ ପାରିବେ । ଆଉ ଶେଷରେ ୧୧ ପିଢୀ ତାଙ୍କର ଶେଷ ରାଜା ହୋଇଥିଲେ । ବୀରେନ୍ଦ୍ରଙ୍କ ମୃତ୍ୟୁ ପରେ ତାଙ୍କର ସାନଭାଇ ଜ୍ଞାନେନ୍ଦ୍ର ହିଁ ଶାହ ବର୍ଷର ଶେଷ ରାଜା ଥିଲେ ।
କୁହାଯାଏ, ଜ୍ଞାନେନ୍ଦ୍ର ଏହି ହତ୍ୟାକାଣ୍ଡ ପଛର ମୂଳ କାରଣ ହୋଇପାରନ୍ତି । ଯେଉଁଦିନ ଏହି ହତ୍ୟାକାଣ୍ଡ ହୋଇଥିଲା, ସେଦିନ ଜ୍ଞାନେନ୍ଦ୍ରଙ୍କ ବ୍ୟତୀତ ଆଉ ସମସ୍ତେ ପାର୍ଟିରେ ଥିଲେ। ଜ୍ଞାନେନ୍ଦ୍ରଙ୍କର ପୁରା ପରିବାର ମଧ୍ୟ ପାର୍ଟିରେ ସାମିଲ ଥିଲେ । କିନ୍ତୁ ହତ୍ୟାକାଣ୍ଡରେ ତାଙ୍କ ସ୍ତ୍ରୀ କିମ୍ବା ତାଙ୍କ ପୁଅର କୌଣସି କ୍ଷତି ହୋଇନଥିଲା । ସେଥିପାଇଁ କୁହାଯାଇ ପାରେ ଶାହ ପରିବାରକୁ ମାରିବା ପଛରେ ଜ୍ଞାନେନ୍ଦ୍ରଙ୍କର ଷଡଯନ୍ତ୍ର ଥିଲା । ସେପଟେ ଜ୍ଞାନେନ୍ଦ୍ର ରାଜା ହେବାପରେ ପାର୍ଲାମେଣ୍ଟ ରଦ୍ଦ କରିବା ସହ ନିଜକୁ ରାଜା ବୋଲି ଘୋଷିତ କରିଥିଲେ । କିନ୍ତୁ ନେପାଳର ଲୋକଙ୍କୁ ପସନ୍ଦ ନଥିଲେ ଜ୍ଞାନେନ୍ଦ୍ର । ସେଥିପାଇଁ ସେମାନେ ରାଜରାସ୍ତାରେ ଜ୍ଞାନେନ୍ଦ୍ରଙ୍କ ବିରୋଦ୍ଧରେ ଆନ୍ଦୋଳନ କରିଥିଲେ। ଜ୍ଞାନେନ୍ଦ୍ରଙ୍କ ଉପରେ ଅନେକ ପ୍ରକାର ଅଭିଯୋଗ କରାଯାଇ ଆନ୍ଦୋଳନ କରାଯାଉଥିବା ବେଳେ ସେ ନିଜେ ରାଜା ପଦରୁ ଇସ୍ତଫା ଦେଇଥିଲେ ।
ନେପାଳର କିଛି ଲୋକଙ୍କ ମୁତାବିକ , ହତ୍ୟାକାଣ୍ଡ ପଛରେ ଦିପେନ୍ଦ୍ରର ହାତ ନଥିଲା । ଜ୍ଞାନେନ୍ଦ୍ର ଏହି ସବୁ ପଛରେ ଷଡଯନ୍ତ୍ର କରିଥିବା କୁହାଯାଉଥିଲା । ଅନ୍ୟ କିଛି ଲୋକଙ୍କ ମତରେ ଦିପେନ୍ଦ୍ର ବାହାରୁ ଶାନ୍ତ ସ୍ବଭାବର ଥିଲେ ମଧ୍ୟ ଭିତରେ ତାଙ୍କର ପ୍ରକୃତି ଟିକେ ଅଲଗା ଥିଲେ । ସେ ଅନେକ ସମୟରେ ନିଶାଦ୍ରବ୍ୟ ପାନ କରୁଥିଲେ, ଅନେକ ସମୟରେ ଷ୍ଟ୍ରେସ , ଡିପ୍ରେସନରେ ରହୁଥିଲା । ତେଣୁ ହୁଏତ ଏ ଘଟଣା ଦୀପେନ୍ଦ୍ର ଦ୍ବାରା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏବଂ କିଛି ଲୋକ ଦିଆଯାଇଥିବା ଅଭିଶାପ ଯୋଗୁ ଶାହ ପରିବାରର ସମସ୍ତେ ଚାଲିଗଲେ ବୋଲି ନିଜର ମତ ଦେଇଛନ୍ତି । କିନ୍ତୁ ଘଟଣା ପଛର ପ୍ରକୃତ କାରଣ ଆଜିବି ରହସ୍ୟ ଘେରରେ ।
ଦୀର୍ଘ ୨୪ ବର୍ଷ ବିତି ଯାଇଥିଲେ ମଧ୍ୟ ଘଟଣାର କୌଣସି ସତ୍ୟାସତ୍ୟ ଏବେ ଯାଏଁ ମିଳିପାରିନି ।