ଏହି ଗାଁର ଲୋକମାନେ ସାପ ଚାଷ କରନ୍ତି

ସାପଟିଏ ଦେଖିଲେ ଯେ କେହିବି ହେଉ ଡରିଯିବ। ତେଣିକି ସେ ବିଷଧର ସାପ ହେଉକି ନହେଉ। ଆମ ଓଡ଼ିଶା ଲୋକେ ପାଣିଧଣ୍ଡକୁ ଶୁଖିଲାରେ ଦେଖିଲେ ତାକୁ ବାଡେଇ ମାରିଦିଅନ୍ତି। ହେଲେ ଦୁନିଆରେ ଏମିତି କିଛି ଗାଁ ଅଛି ଯେଉଁଠି ଲୋକ ବିଷଧର ସାପ ପାଳନ କରି ନିଜର ଜୀବିକା ନିର୍ବାହ କରନ୍ତି। କଥାଟା ବିଶ୍ବାସ ନହେଲେ ବି ସତ
ଚୀନରେ ସେମିତି ଏକ ଅଞ୍ଚଳ ରହିଛି। ଯେଉଁ ଅଞ୍ଚଳରେ ଲୋକେ କୁକୁଡା ଛେଳି ପାଳନ କରିବା ଭଳି ବିଷଧର ସାପକୁ ଘରେ ପାଳନ କରନ୍ତି। ଚାଇନାର ଜିସିକିଆଓ ବୋଲି ଏକ ଗାଁ ରହିଛି। ଯେଉଁ ଗାଁର ଲୋକେ ସାପ ଚାଷ କରି ପରିବାର ଚଳାନ୍ତି। ଅହିରାଜ, ଋଣା, ବୋଡାସାପ ଭଳି ବିଷଧର ସାପକୁ ଖାଇବାକୁ ଦେଇ ଫାର୍ମରେ କୁକୁଡା ରଖିବା ଭଳି ରଖାଯାଏ। କୁହାଯାଏ ଏଠାରେ ବର୍ଷକୁ ୩୦ ଲକ୍ଷରୁ ଅଧିକ ସାପ ଜନ୍ମ ନିଅନ୍ତି। ଆମ ଦେଶରେ ଯେମିତି ଗାଈ ରଖିଲେ ଘାସ ଚାଷ କରାଯାଏ। ଠିକ୍ ସେମିତି ଏଠାକାର ଲୋକ ବିଷଧର ସାପଙ୍କ ଲାଳନପାଳନ ପାଇଁ ବେଙ୍ଗ, ଅସରପା ଭଳି କୀଟପତଙ୍ଗ ପାଳନ କରନ୍ତି।
📱 Get Argus News App
✨ଆପଣ ହୁଏତ ଭାବୁଥିବେ ଚୀନର ଲୋକମାନେ ଖାଦ୍ୟର ପୂରଣ କରିବାକୁ ସାପ ଚାଷ କରୁଛନ୍ତି। ଆମେ ଯେମିତି ମାଛ, ମାଂସ ଖାଉଛୁ ସେମାନେ ସେମିତି ସାପକୁ ମାରି ଖାଉଥିବେ। ହୁଏତ ଏହା କିଛି ମାତ୍ରାରେ ସତ୍ୟ ହେଇପାରେ। ହେଲେ ବାସ୍ତବରେ ଚୀନର ହଜାରହଜାର ବର୍ଷ ତଳର ପାରମ୍ପରିକ ଚିକିତ୍ସାରେ ସାପ ଏବଂ ତାଙ୍କ ବିଷ ବ୍ୟବହାର ହୋଇଥାଏ।
ବିଶେଷଜ୍ଞଙ୍କ ମତ ଅନୁସାରେ ଚୀନରେ ପାରମ୍ପରିକ ଚିକିତ୍ସା ପଦ୍ଧତି ଆଜିବି ପ୍ରଚଳିତ ଅଛି। ଜଡିବୁଟି ଉପାୟରେ ବିଷଧର ସାପର ବ୍ୟବହାର ହୋଇଥାଏ। ବିଶେଷକରି ସାପ ବିଷଦ୍ବାରା ଚର୍ମରୋଗ ଚିକିତ୍ସା କରାଯାଉଥିବା ବେଳେ କ୍ୟାନସର ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହାର କରାଯାଏ। ୧୯୧୮ ମସିହାରେ ଚୀନରେ ହୋଇଥିବା ସ୍ପାନିସ୍ ଫ୍ଲୁର ଚିକିତ୍ସା ସାପ ତେଲ ଦ୍ବାରା କରାଯାଉଥିଲା। ଔଷଧୀୟ ଆବଶ୍ୟତାକୁ ପୂରଣ କରିବାକୁ ଏଠାକାର ଲୋକ ସାପ ପାଳନ କରନ୍ତି।
ଗାଁର ପାଖାପାଖି ୧୭୦ ପରିବାର ପ୍ରତିବର୍ଷ ୩ ଲକ୍ଷରୁ ଅଧିକ ସାପ ଉତ୍ପାଦନ କରନ୍ତି। ୧୯୮୦ ମସିହାରୁ ଏଠାକାର ଲୋକେ ସାପ ଚାଷ କରି ଆସୁଛନ୍ତି। ଏହି ସାପକୁ ସେମାନେ ଚୀନ ସମେତ, ଆମେରିକା, ଦକ୍ଷିଣ କୋରିଆ, ରୁଷ, ଜର୍ମାନୀର ବଡବଡ ଔଷଧ କମ୍ପାନୀକୁ ବିକ୍ରି କରନ୍ତି।
ଆମ ଜୈବ ବିବିଧତାରେ ସାପଙ୍କର ଆବଶ୍ୟକତା ଅପରିହାର୍ଯ୍ୟ। ସାପଙ୍କୁ ଦେଖିଲେ ନମାରି ସ୍ନେକ୍ ହେଲପଲାଇନରେ ସୂଚନା ଦେବା ଉଚିତ। ସାପଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ଜୁଲାଇ ୧୬ ରେ ବିଶ୍ବ ସର୍ପ ଦିବସ ପାଳନ ହେଉଛି।