Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭାସମାନ ଗାଁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଭାସମାନ ଗାଁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

Key Points

ଭାସୁଛି ଗାଁ
ବାସ କରନ୍ତି ୨୦ ହଜାର ଲୋକ
ଏହି ଗାଁକୁ ଲାଗେ ପର୍ଯ୍ୟଟକଙ୍କ ଲମ୍ୱା ଲାଇନ

ଭାସମାନ ଗାଁ। ଆପଣ ଆଗରୁ ଅନେକ ଗାଁ ଦେଖିଥିବେ ଯେଉଁଠି ଲୋକମାନେ ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଶୁଣିଥିବେ। କିନ୍ତୁ କେବେ ଶୁଣିଛନ୍ତି କି ଏମିତି ଏକ ଗାଁ ରହିଛି ଯେଉଁଠି ଲୋକେ ପାଣି ଭିତରେ ରହୁଛନ୍ତି। ଆଉ ଗାଁ ଭାସୁଛି। କଥାଟା ହୁଏତ ଆପଣଙ୍କୁ ବିଶ୍ୱାସ ହେଉନଥିବ, ହେଲେ ଏହା ସତ। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏଭଳି ଏକ ଗାଁ ରହିଛି ଯେଉଁ ଗାଁ ଭାସୁଛି। ଏହି ଗାଁକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମେ।

ପଶ୍ଚିମ ଆଫ୍ରିକୀୟ ଦେଶ ବେନିନ୍‌ରେ ରହିଛି ଏହି ଗାଁ। ଯାହା ନିଜର ଅନନ୍ୟ ଗଠନ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଦକ୍ଷିଣ ବେନିନ୍‌ର ବନ୍ଦର ସହର କୋଟୋନୁ ନିକଟରେ ଥିବା ନୋକୋଉ ହ୍ରଦର ମଧ୍ୟଭାଗରେ ଏହି ଗ୍ରାମ ଅବସ୍ଥିତ। ଉକ୍ତ ଗ୍ରାମର ନାମ ଗାନ୍‌ଭି ହୋଇଥିବା ବେଳେ ଏହାକୁ ଭାସମାନ ଗ୍ରାମ ବୋଲି ମଧ୍ୟ କୁହାଯାଇଥାଏ।ଗାନ୍‌ଭି ଗ୍ରାମର ଅଧିକାଂଶ ଲୋକ ନିଜର ଆୟ ପାଇଁ ମାଛ ଧରିବା ଏବଂ ପର୍ଯ୍ୟଟନ ଉପରେ ନିର୍ଭର କରିଥାନ୍ତି। ମତ୍ସ୍ୟଜୀବୀମାନେ ବାଉଁଶ ଏବଂ ଜାଲ ସାହାଯ୍ୟରେ ପାଣି ତଳେ ବାଡ଼ ତିଆରି କରି ମାଛ ଧରି ନିଜ ଜୀବିକା ନିର୍ବାହ କରନ୍ତି।

ଗାଁରେ କେତେଜଣ ଲୋକ ପୋଷା ପ୍ରାଣୀ ମଧ୍ୟ ରଖିଛନ୍ତି। ପାଣିରେ ବଢ଼ିଥିବା ଛୋଟ ଘାସ ଖଣ୍ଡ ଉପରେ ଏହି ପୋଷା ପ୍ରାଣୀଗୁଡ଼ିକୁ ରଖାଯାଇଥାଏ। ପର୍ଯ୍ୟଟକଙ୍କ ପାଇଁ ଗାନ୍‌ଭି ଗ୍ରାମରେ କେତେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ମଧ୍ୟ ରହିଛି, ଯେଉଁଠାରେ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ତାଜା ମାଛ ଖାଇବାକୁ ମିଳିଥାଏ। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ। ଏହି ଗାଁର ଇତିହାସ ଅତ୍ୟନ୍ତ ଯନ୍ତ୍ରଣାଦାୟକ। ସପ୍ତଦଶ ଶତାବ୍ଦୀରେ ଟୋଫିନୁ ଜନଜାତିର ଲୋକମାନେ ଏହି ସ୍ଥାନରେ ବସତି ସ୍ଥାପନ କରିବା ଆରମ୍ଭ କରିଥିଲେ।

ଫୋନ୍‌ ଜନଜାତିର ଲୋକଙ୍କ ଆକ୍ରମଣ ଭୟରେ ସେମାନେ ନୋକୋଉ ହ୍ରଦର ମଧ୍ୟଭାଗରେ ବସବାସ କରିବାକୁ ନିଷ୍ପତ୍ତି ନେଇଥିଲେ। ଫୋନ୍‌ ଜନଜାତିର ଲୋକଙ୍କ ଧର୍ମ ସେମାନଙ୍କୁ ପାଣି ଭିତରକୁ ଯିବାପାଇଁ ଅନୁମତି ଦେଉ ନ ଥିଲା। ଏହି କାରଣରୁ ଟୋଫିନୁ ଜନଜାତିର ଲୋକେ ନୋକୋଉ ହ୍ରଦକୁ ନିଜର ନିରାପଦ ସ୍ଥାନ ବୋଲି ବିବେଚନା କରିଥିଲେ ଏବଂ ସେଠାରେ ଘର ତିଆରି କରି ଜନବସତି ଆରମ୍ଭ କରିଥିଲେ।ଗତ ପ୍ରାୟ ୫୦୦ ବର୍ଷ ଧରି ଗାନ୍‌ଭି ଗ୍ରାମରେ ଟୋଫିନୁ ଜନଜାତିର ଲୋକମାନେ ଏକ ସମୃଦ୍ଧ ସଂସ୍କୃତି ଏବଂ ଜୀବନଶୈଳୀକୁ ବିକଶିତ କରିଛନ୍ତି।

ଗାଁରେ ନିର୍ମିତ ସମସ୍ତ ଘର, ଦୋକାନ ଏବଂ ହୋଟେଲ ହ୍ରଦର ପାଣିଠାରୁ କିଛି ଫୁଟ ଉଚ୍ଚରେ କାଠ ସ୍ତମ୍ଭରେ ନିର୍ମିତ। ଗାନ୍‌ଭି ଗ୍ରାମରେ ଏକ ଭାସମାନ ବଜାର ମଧ୍ୟ ରହିଛି, ଯେଉଁଠାରେ ଗାଁର ମହିଳାମାନେ ସେମାନଙ୍କର ବିଭିନ୍ନ ଜିନିଷପତ୍ରଗୁଡିକୁ ବିକ୍ରି କରିଥାନ୍ତି। ତେବେ ପୂରା ଗାଁରେ କେବଳ ଗୋଟିଏ ମାତ୍ର ଜମି ରହିଛି, ଯେଉଁଠାରେ ଗ୍ରାମର ପିଲାମାନଙ୍କ ପାଇଁ ସ୍କୁଲ ନିର୍ମାଣ କରାଯାଇଛି। ଗାଁର ଲୋକେ ଡଙ୍ଗା ସାହାଯ୍ୟରେ ହ୍ରଦ କୂଳକୁ ଯାଇ ସେଠାରୁ ମାଟି ଆଣି ଏହି ଜମିକୁ ନିର୍ମାଣ କରିଥିଲେ। ଏହି ଗାଁକୁ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ଼ ଜମେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored