Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭାରତ - ଆମେରିକା ସମ୍ପର୍କକୁ ନେଇ ବଦଳିଲା ଟ୍ରମ୍ପଙ୍କ ସ୍ୱର

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଭାରତ - ଆମେରିକା ସମ୍ପର୍କକୁ ନେଇ ବଦଳିଲା ଟ୍ରମ୍ପଙ୍କ ସ୍ୱର

Key Points

ଟାରିଫ୍ ବିବାଦ ମଧ୍ୟରେ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ
ଭାରତ - ଆମେରିକା ସମ୍ପର୍କକୁ ନେଇ ବଦଳିଲା ଟ୍ରମ୍ପଙ୍କ ସ୍ବର
କହିଲେ, ଭାରତ ଆମେରିକା ମଧ୍ୟରେ ରହିଛି ସକରାତ୍ମକ ସମ୍ପର୍କ
ଟ୍ରମ୍ପଙ୍କ ଭାବନାକୁ ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆ ଭାରତର ଶକ୍ତି କଳି ନେଲେ ଟ୍ରମ୍ପ । ଭାରତ-ଆମେରିକା ବାଣିଜ୍ୟିକ ସମ୍ପର୍କକୁ ନେଇ ଦେଲେ ବଡ଼ ବୟାନ । ରୁଷିଆଠାରୁ ତୈଳ ଆମଦାନୀ ବାହାନାରେ ଭାରତ ଉପରେ ଟାରିଫ ବୃଦ୍ଧି କରି କଡ଼ା ଆଭିମୁଖ୍ୟ ଦେଖାଇବାର କିଛି ଦିନ ପରେ ପଲଟିଛନ୍ତି ଟ୍ରମ୍ପ । ପିଏମ ମୋଦିଙ୍କ ସହିତ ସମ୍ପର୍କକୁ ନେଇ ଦେଇଛନ୍ତି ସକାରାତ୍ମକ ବୟାନ । ପିଏମ ମୋଦି ଓ ସେ ଭଲ ବନ୍ଧୁ ହୋଇ ରହିବେ ବୋଲି ଓଭାଲ ଅଫିସରେ କହିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛନ୍ତି ଉଚ୍ଚ ପ୍ରଶଂସା । ପ୍ରତିକ୍ରିୟାରେ ଟ୍ରମ୍ପଙ୍କ ଭାବନାକୁ ଆମେ ସମ୍ମାନ ଜଣାଉଛୁ । ଭାରତ- ଆମେରିକା ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପିଏମ ମୋଦି । ଟ୍ରମ୍ପଙ୍କ ଟାରିଫ ୱାର ମଧ୍ୟରେ ନିକଟରେ ଚୀନରେ ଆୟୋଜିତ ଏସସିଓ ସମ୍ମିଳନୀରେ ଭାରତ-ଚୀନ ଓ ରୁଷିଆ ସମ୍ପର୍କରେ ଘନିଷ୍ଠତା, ଟ୍ରମ୍ପଙ୍କ ସ୍ବର ବଦଳାଇବାରେ ସମର୍ଥ ହୋଇଥିବା ଚର୍ଚ୍ଚା ଜୋର ଧରିଛି ।

ଗୋଟିଏ ମାସ ମଧ୍ୟରେ ଟ୍ରମ୍ପ ଟ୍ରୁଥ ପୋଷ୍ଟରେ ଏକାଧିକ ଥର ଭାରତ ସହ ବାଣିଜ୍ୟକୁ ନେଇ ଟିପ୍ପଣୀ ଦେବା ପରେ ବି ବଦଳି ନଥିଲା ଭାରତର ଦୃଢ଼ ଆଭିମୁଖ୍ୟ । କୌଣସି ସ୍ଥିତିରେ ଭାରତ ସାଲିସ କରିବନି ବୋଲି କହିବା ସହ ଦେଶର ଗୋ-ପାଳକ, କୃଷକ, ମତ୍ସଜୀବୀଙ୍କ ଜୀବନଜୀବିକାକୁ ସଂକଟ ମୁହଁକୁ ଠେଲିଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏପରିକି ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ ବୃଦ୍ଧି କରିବା ପରେ ବି ନିଷ୍ପତ୍ତି ପରିବର୍ତ୍ତନ କରିନଥିଲେ ମୋଦି । ସମସ୍ୟାକୁ ସୁଯୋଗରେ ପରିଣତ କରି ରୁଷିଆ ସମେତ ଚୀନ, ଆଫ୍ରିକୀୟ ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି କରିଥିଲା ଭାରତ । ଭାରତ ସହିତ ସମ୍ପର୍କରେ ତିକ୍ତତା ନିଜ ଗୋଡ଼ରେ କୁରାଢ଼ି ଚୋଟ ସଦୃଶ ଜାଣିନେବା ପରେ ଟ୍ରମ୍ପ ସ୍ବର ବଦଳାଇଥିବା କହିଛନ୍ତି ବିଶେଷଜ୍ଞ ।

ଭାରତ ଉପରେ ଟାରିଫ ବୃଦ୍ଧିକୁ ନେଇ ଏକାଧିକ ଥର ଟ୍ରୁଥ ସୋସିଆଲ ମିଡିଆରେ ପୋଷ୍ଟ କରି ବିବାଦ ନିଆଁରେ ଘିଅ ଢାଳିଥିଲେ ଟ୍ରମ୍ପ। ଚୀନରେ ଏସସିଓ ସମ୍ମିଳନୀ ପରେ ଭାରତ ଉପରେ ଚାପ ପ୍ରୟୋଗ କରିବାରେ ବିଫଳ ହେବା ପରେ ଭାରତ ସହ ସମ୍ପର୍କ ମଜବୁତ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଟ୍ରମ୍ପ । ଭାରତ ୟୁକ୍ରେନ ବିରୋଧରେ ରୁଷିଆକୁ ଯୁଦ୍ଧରେ ସାହାଯ୍ୟ କରୁଥିବା ଅଭିଯୋଗ ଦୋହରାଇଛନ୍ତି ଟ୍ରମ୍ପ । ନିଜେ ରୁଷିଆରୁ ତୈଳ ଆମଦାନୀ କରୁଥିଲେ ବି ତୈଳ ଆମଦାନୀକୁ ନେଇ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ବୃଦ୍ଧିକୁ ନେଇ ନିଜ ଦେଶରେ ମଧ୍ୟ ତୀବ୍ର ସମାଲୋଚିତ ହୋଇଥିଲେ ଟ୍ରମ୍ପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump Changes Tone on India-US Relations | Argus News | Argus News