Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଜୋରଦାର କଳି, କେହି କାହାରିକୁ ଛାଡ଼ିବାକୁ ନାରାଜ ! ମୁଁ ନଥିଲେ ଟ୍ରମ୍ପ ହାରିଥାନ୍ତେ କହିଲେ ଏଲନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଜୋରଦାର କଳି, କେହି କାହାରିକୁ ଛାଡ଼ିବାକୁ ନାରାଜ ! ମୁଁ ନଥିଲେ ଟ୍ରମ୍ପ ହାରିଥାନ୍ତେ କହିଲେ ଏଲନ

Key Points

ଇଭି ଗାଡି କ୍ଷେତ୍ରରେ ଆମେରିକା ସରକାର ଦେଉଥିବା ସବ୍‌ସିଡି ହ୍ରାସ କରିବାକୁ ନେଇ ଟ୍ରମ୍ପ-ଏଲନ ମୁହାଁମୁହିଁ ।

ଟେସଲା ସେୟାରରେ ୧୭ ପ୍ରତିଶତ ହ୍ରାସ ।

ଏଲନ ମସ୍କଙ୍କୁ ୧୦୦ ବିଲିୟଲ ଡଲାର ହରାଇବାକୁ ପଡ଼ିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲାଗଶିପ୍ ପଲିସି ତଥା ଟିକସ ବିଲ୍‌କୁ ଶିଳ୍ପପତି ଏଲନ ମସ୍କ କଡ଼ା ସମାଲୋଚନା କରିବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ଟ୍ରମ୍ପ । ଦୁଇ ବନ୍ଧୁ ଏବେ ଦୁଇ ଶତ୍ରୁ ପାଲଟି ଯାଇଥିବା କୁହାଯାଉଛି। ମସ୍କଙ୍କ ସମାଲୋଚନାକୁ ଟ୍ରମ୍ପ ସହ୍ୟ କରିପାରୁ ନାହାନ୍ତି । ମସ୍କଙ୍କ ମନ୍ତବ୍ୟ ତାଙ୍କୁ ଅତ୍ୟନ୍ତ ନିରାଶ କରିଛି ବୋଲି ଟ୍ରମ୍ପ ସର୍ବସମ୍ମୁଖରେ ସ୍ଵୀକାର ମଧ୍ୟ କରିଛନ୍ତି । ଟ୍ରମ୍ପ ପ୍ରଶାସନ ଦ୍ୱାରା ଆଗତ ଟିକସ ବିଲ୍‌କୁ ମସ୍କ ତୀବ୍ର ସମାଲୋଚନା କରିଛନ୍ତି । ମସ୍କ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ପଦରୁ ଇସ୍ତଫା ଦେବା ପରେ ଟ୍ରମ୍ପଙ୍କ ସହିତ ତାଙ୍କର ମତାନ୍ତର ହୋଇଥିବା ଚର୍ଚ୍ଚା ବଢ଼ିଥିଲା। ଏହା ପରେ ଟ୍ରମ୍ପଙ୍କ ଟିକସ ବିଲକୁ ବିରୋଧ କରିଥିଲେ ମସ୍କ, ଯାହା ଦୁଇ ଜଣଙ୍କ ମଧ୍ୟରେ ଥିବା ସମ୍ପର୍କରେ ଫାଟକୁ ଦର୍ଶାଇଥିଲା।

ଏହାପରେ ଦୁହେଁ ଖୋଲାଖୋଲି ପରସ୍ପର ବିରୋଧରେ ବୟାନବାଜି କରିବା ଆରମ୍ଭ କରିଦେଇଥିଲେ । ସେ ନଥିଲେ ଟ୍ରମ୍ପ୍ ନିର୍ବାଚନ ହାରିଯାଇଥାନ୍ତେ ବୋଲି ଖୋଲାଖୋଲି ଭାବେ କହିଛନ୍ତି ଟେସ୍‌ଲା ମାଲିକ ଏଲନ୍ ମସ୍କ । ଇଭି ଗାଡି କ୍ଷେତ୍ରରେ ଆମେରିକା ସରକାର ଦେଉଥିବା ସବ୍‌ସିଡି ହ୍ରାସ କରିବାକୁ ନେଇ ଟ୍ରମ୍ପ-ଏଲନ ମୁହାଁମୁହିଁ ହୋଇଛନ୍ତି । ଏହାରି ଭିତରେ ଟେସଲା ସେୟାରରେ ୧୭ ପ୍ରତିଶତ ହ୍ରାସ ଘଟିଛି । ଏଲନ ମସ୍କଙ୍କୁ ୧୦୦ ବିଲିୟଲ ଡଲାର ଅର୍ଥାତ୍ ପ୍ରାୟ ୮୬ ଲକ୍ଷ କୋଟି ଟଙ୍କା ହରାଇବାକୁ ପଡ଼ିଛି ।

ତେବେ ଟ୍ରମ୍ପ କହିଛନ୍ତି, 'ଇଲେକ୍ଟ୍ରିକ୍ ଯାନ (ଇଭି) କ୍ରୟ ମାଣ୍ଡେଟ୍ ହ୍ରାସ କରିବାକୁ ପଡ଼ିବ ବୋଲି ଜାଣିବା ପରେ ଅଚାନକ ମସ୍କଙ୍କୁ ଏହି ବିଲ୍‌କୁ ନେଇ ଅସୁବିଧା ହୋଇଥିଲା । ସବୁକିଛି ଜାଣି ଏବେ ବିଲ୍‌କୁ ବିରୋଧ କରି ମସ୍କ ବେଶ୍ ନିରାଶ କରିଛନ୍ତି । ମୁଁ ମସ୍କଙ୍କୁ ବହୁତ ସାହାଯ୍ୟ କରିଛି । ମୁଁ ସବୁବେଳେ ମସ୍କଙ୍କୁ ପସନ୍ଦ କରୁଥୁଲି । ସେ ପୂର୍ବରୁ ମୋ ବିଷୟରେ ବହୁତ ଭଲ କଥା କହିଛନ୍ତି । କିନ୍ତୁ ଏବେ ମସ୍କଙ୍କ ସହ ମୋର ସମ୍ପର୍କ ପୂର୍ବ ଭଳି ରହିବ କି ତାହା ଜଣାନାହିଁ । ମସ୍କ ଚାହୁଁଛନ୍ତି ସବ୍‌ସିଡି ମାଧ୍ୟମରେ ଆମେ କୋଟି କୋଟି ଡଲାର୍ ଦେଉ’ ।

ଟ୍ରମ୍ପଙ୍କ ଏଭଳି ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଏଲନ ମସ୍କ । ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ସେ ନଥିଲେ ଟ୍ରମ୍ପ ନିର୍ବାଚନରେ ହାରିଥାନ୍ତେ । ଡେମୋକ୍ରାଟ୍‌ସ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସକୁ କବ୍‌ଜା କରିନେଇଥାନ୍ତେ ଏବଂ ସିନେଟରେ ରିପବ୍ଲିକାନ୍‌ ୫୧-୪୯ ବ୍ୟବଧାନରେ ଜିତିଥାନ୍ତେ । ଏଥିପ୍ରତି ଟ୍ରମ୍ପ କୃତଜ୍ଞ ରହିବା କଥା । ସରକାର ଇଭି ଏବଂ ସୌରଶକ୍ତିରେ ସବ୍‌ସିଡି ତ କମ୍ କରିଦେଲେ କିନ୍ତୁ ତେଲ, ଗ୍ୟାସ୍‌ କମ୍ପାନି ଗୁଡ଼ିକୁ ମିଳୁଥିବା ଛାଡ଼ ପୂର୍ବଭଳି ରଖିଲେ । ଏହା ଆଦୌ ଉଚିତ ନୁହେଁ। ବିଲ୍‌ରେ ବହୁତ ଅଯଥା ଖର୍ଚ୍ଚ ଯୋଡ଼ାଗଲା ଯାହାକୁ ହଟାଯିବା କଥା ବୋଲି କହିଛନ୍ତି ଏଲନ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump-Musk relationship implodes with insults and threats | Argus News