Trump-Putin Meet: ୩ ଘଣ୍ଟାର ମିଟିଂ, ଫଳ ଶୂନ ! ପୁଟିନଙ୍କ ଆଗରେ ଫିକା ପଡ଼ିଲେ ଟ୍ରମ୍ପ୍

Key Points
ଦୁଇ ମହାଶକ୍ତିଙ୍କ ଭିତରେ ମହା ଆଲୋଚନା
ଆଲୋଚନାରୁ ବାହାରିଲା ନାହିଁ କୌଣସି ନିଷ୍କର୍ସ
ବନ୍ଦ ହେବ କି ଋଷ-ୟୁକ୍ରେନ୍ ଯୁଦ୍ଧ, ମିଳିଲାନି ସ୍ପଷ୍ଟ ଚିତ୍ର
ଡୋନାଲ୍ଡ ଟ୍ରମ୍ପ ଓ ଭ୍ଲାଦିମୀର ପୁଟିନ। ବିଶ୍ବର ଦୁଇ ମହାଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ । ସାଙ୍ଗରେ ଫଟୋ ଉତ୍ତୋଳନ, ୩ ଘଣ୍ଟାର ମିଟିଂ, ତା ପରେ ଗଣମାଧ୍ୟମକୁ ସମ୍ବୋଧନ ଆଉ ଗରମାଗରମ କରମର୍ଦ୍ଦନ । ୟୁକ୍ରେନ୍-ଋଷ ଯୁଦ୍ଧ ଭିତରେ ବିଶ୍ବର ଦୁଇ ଶକ୍ତିଶାଳୀ ବ୍ୟକ୍ତିଙ୍କ ଏମିତି ସାକ୍ଷାତ ଅନେକ କିଛି ବୟାନ କରେ । କିନ୍ତୁ ଆଲାସ୍କାରେ ଟ୍ରମ୍ପ ଓ ପୁଟିନଙ୍କ ଏହି ୩ ଘଣ୍ଟାର ଆଲୋଚନାରୁ ବାହାରିଲାନି କୌଣସି ନିଷ୍କର୍ସ । ନା ଯୁଦ୍ଧ ବିରାମ ଉପରେ କୌଣସି ସହମତି ହେଲା ନା ସ୍ବାକ୍ଷରିତ ହେଲା କୌଣସି ଚୁକ୍ତି ।
ବିଶ୍ବର ୨ ବଡ଼ ଦେଶର ନେତା ସାକ୍ଷାତ କଲେ, ଏହି ମିଟିଂ ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା । ପ୍ରସଙ୍ଗ ଖାସ୍ ଥିଲା। କିନ୍ତୁ ଯୁଦ୍ଧ ବିରାମ ପ୍ରଶ୍ନରେ ଜାରି ରହିଲା ନିରବତା। ବୈଠକ ପରେ ମିଳିତ ବୟାନ ଜାରି କଲେ ଦୁଇ ରାଷ୍ଟ୍ରପତି। କିନ୍ତୁ ଟ୍ରମ୍ପ ଓ ପୁଟିନ୍ ସାମ୍ବାଦିକଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଲେନାହିଁ।
ପ୍ରଶ୍ନ - ଆପଣ ଯୁଦ୍ଧ ବିରାମ ପାଇଁ ରାଜି କି ?
ମିଷ୍ଟର ପୁଟିନ୍ ଆପଣ ପ୍ରତିଶ୍ରୁତି ଦେବେ କି ଆପଣ ଆଉ ସାଧାରଣ ଲୋକଙ୍କୁ ମାରିବେ ନାହିଁ ?
ଆମେରିକା ଆଲାସ୍କା ପ୍ରଦେଶର ସବୁଠାରୁ ବଡ଼ ସହର ଆଙ୍କରୋଜ । ଏହିଠାରେ ମିଟିଂ କରିବାକୁ ସ୍ଥିର କରିଥିଲେ ଟ୍ରମ୍ପ୍ ଓ ପୁଟିନ୍। ଭାରତୀୟ ସମୟ ଗୁରୁବାର ରାତି ପ୍ରାୟ ୧୨.୦୩ ଏଲମେନଡ୍ରଫ୍ ଏୟାରବେସରେ ପୁଟିନଙ୍କୁ ସ୍ବାଗତ କରିବାକୁ ନିଜେ ପହଞ୍ଚି ଯାଇଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ପ୍ରାୟ ଅଧା ଘଣ୍ଟା ଯାଏଁ ଋଷ ରାଷ୍ଟ୍ରପତିଙ୍କ ଅପେକ୍ଷା କଲେ । ରାତି ୧୨.୩୬ । ଦୀର୍ଘ ୧୦ ବର୍ଷ ପରେ ପହଞ୍ଚିଲା ପୁଟିନଙ୍କ ବିମାନ। ସେଠାରେ ତାଙ୍କର ରେଡ୍ କାର୍ପେଟ୍ ୱେଲକମ୍ କରାଗଲା । ରାତି ପ୍ରାୟ ୧୨.୪୨ରେ ହେଲା ଦୁଇ ନେତାଙ୍କ ସାକ୍ଷାତ। ହାଲୁକା ସ୍ମିତହାସ୍ୟ ସହ ପୁଟିନଙ୍କ ସ୍ବାଗତ କଲେ ଟ୍ରମ୍ପ ।
ରେଡ୍ କାର୍ପେଟ୍ ୱେଲକମ୍ ସମୟରେ ଟ୍ରମ୍ପ ଓ ପୁଟିନ୍ ହାତ ମିଳାଇଲେ, ଦୁହେଁ ସାଙ୍ଗରେ ଆଗକୁ ବଢ଼ିଲେ। ଆଲାସ୍କା ୨୦୨୫ ଲେଖାଥିବା ଏହି ପୋଡିୟମ ଉପରକୁ ଦୁଇ ନେତା ଏକାସାଙ୍ଗରେ ଆସିଲେ। ଆଉ ବାର୍ତ୍ତା ଦେବାକୁ ଚେଷ୍ଟା କଲେ ଯେ ପରବର୍ତ୍ତୀ କିଛି ସମୟରେ ଯାହା ହେବାକୁ ଯାଉଛି ତାହା ଖୁବ୍ ଖାସ୍।
ଫେବ୍ରୁଆରୀ ୨୦୨୨ରେ ୟୁକ୍ରେନ୍ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ଋଷ ଉପରେ ତମାମ କଟକଣା ପରେ ଏହା ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ପୁଟିନଙ୍କର ଗୁରୁତ୍ବପୂର୍ଣ୍ଣ ମିଟିଂ ଥିଲା । ଏଲମେନଡ୍ରଫ୍ ଏୟାରବେସରେ ପୁଟିନଙ୍କୁ ସ୍ବାଗତ ସମୟରେ B2 ବମ୍ବର ଓ F-22 ରେଫ୍ଟର ଫାଇଟର ଜେଟ୍ ଲଗତାର ଆକାଶ ମାର୍ଗରେ ପଇଁତରା ମାରୁଥିଲେ। ଲଢୁଆ ବିମାନ ଉଡ଼ାଣ ଭରିଲେ ତ ଶବ୍ଦ ଶୁଣି ପୁଟିନ୍ ଆକାଶ ଆଡ଼କୁ ନଜର ଉଠାଇଲେ, ଟ୍ରମ୍ପ୍ ବି ଉପରକୁ ଦେଖିଲେ, ଦୁହେଁ କିଛି ସେକେଣ୍ଡ ଅଟକିଲେ, ଟ୍ରମ୍ପ ପୁଟିନଙ୍କୁ କିଛି କହିଲେ, ଆଉ ପରେ ଦୁହେଁ ଆଗକୁ ବଢ଼ିଲେ।
ଟ୍ରମ୍ପ ପୁଟିନଙ୍କୁ ନିଜ କାରରେ ବସାଇଲେ। ଦୁହେଁ ଏୟାରବେସରୁ ମିଟିଂ ସ୍ଥଳକୁ ଗୋଟିଏ କାରରେ ଯାତ୍ରା କଲେ। କାରରେ ବସିଥିବା ପୁଟିନ୍ ଓ ଟ୍ରମ୍ପଙ୍କ ଅନ୍ଦାଜ ବଦଳୁଥିବା ଦେଖାଯାଉଥିଲା । ଉଭୟ ଏକ ସାର୍ଥକ ଆଲୋଚନା ଆଡ଼କୁ ଆଗକୁ ବଢ଼ିସାରିଥିଲେ। କିଛି ସମୟରେ ଦୁହେଁ ସେହି ସ୍ଥାନରେ ପହଞ୍ଚିଗଲେ ଯେଉଁଠି ସେମାନଙ୍କ ପ୍ରତିନିଧିମଣ୍ଡଳର ଉପସ୍ଥିତିରେ ବିଧିବଦ୍ଧ ମିଟିଂ ହେଲା।
ଆଲୋଚନା ୱାନ୍ ଅନ୍ ୱାନ୍, ଅର୍ଥାତ୍ କେବଳ ଦୁଇ ନେତାଙ୍କଠାରୁ ଆଗକୁ ବଢ଼ି ଥ୍ରି ଅନ୍ ଥ୍ରି ବା ଦୁଇ ନେତାଙ୍କ ସହ ଆସିଥିବା ଦୁଇ ଦୁଇ ଜଣ ପରାମର୍ଶଦାତାଙ୍କ ଭିତରେ ହେଲା। ଆମେରିକା ପକ୍ଷରୁ ବିଦେଶ ମନ୍ତ୍ରୀ ମାର୍କୋ ରୁବି ଓ ବିଶେଷ ରାଷ୍ଟ୍ରଦୂତ ଷ୍ଟିଭ୍ ବିଟକଫ୍ ସାମିଲ ଥିଲେ। ଯେତେବେଳେ କି ଋଷ ପକ୍ଷରୁ ବିଦେଶ ମନ୍ତ୍ରୀ ସର୍ଗଇ ଲାବରୋବ ଓ ବିଦେଶ ନୀତିଙ୍କ ପରାମର୍ଶଦାତା ୟୁରି ଉଷାକୋବ୍ ଉପସ୍ଥିତ ଥିଲେ । ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ୟୁକ୍ରେନ ଯୁଦ୍ଧ। କିନ୍ତୁ ଏହି ଆଲୋଚନାରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍କି ବା ତାଙ୍କର କେହି ପ୍ରତିନିଧି ସାମିଲ ନ ଥିଲେ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଦାବି କଲେ ଯେ ଦୁହିଁଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ସହମତି ହୋଇଛି। କିନ୍ତୁ କିଛି ପ୍ରସଙ୍ଗ ଏବେ ବି ରହିଛି। ସେ କହିଛନ୍ତି ଆମ ଆଲୋଚନା ଖୁବ୍ ଉତ୍ପାଦକ ରହିଲା, ଅନେକ ପ୍ରସଙ୍ଗରେ ସହମତି ହେଲା । ତେବେ କେତେକ ବଡ଼ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସହମତି ହୋଇପାରିଲା ନାହିଁ, କିନ୍ତୁ ଆମେ ସେ ଦିଗରେ ଆଗକୁ ବଢ଼ୁଛୁ। ଯେବେ ଯାଏଁ ପ୍ରକୃତରେ କୌଣସି ସହମତି ନହେବ, ସେବେ ଯାଏଁ ଚୁକ୍ତି ହେବ ନାହିଁ। ମୁଁ କିଛି ସମୟ ଭିତରେ ନାଟୋ ସହ କଥା ହେବି । ସେ ସମସ୍ତ ଲୋକଙ୍କୁ ମୁଁ କଲ୍ କରିବି ଯାହାଙ୍କୁ ମୁଁ ଏ ସମ୍ପର୍କରେ ଉଚିତ ମନେ କରୁଛି। ନିଶ୍ଚିତ ଭାବେ ମୁଁ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ବି ଏହି ମିଟିଂ ବାବଦରେ ଜଣାଇବି। ଶେଷରେ ନିଷ୍ପତ୍ତି ତାଙ୍କରି ହାତରେ ହିଁ ଅଛି।
ସେପଟେ ଭ୍ଲାଦିମୀର ପୁଟିନ ବି ଏହି ବୈଠକକୁ ଭଲ ବୋଲି କହିଲେ ଓ ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲେ। ସେ କହିଛନ୍ତି, ମୁଁ ଟ୍ରମ୍ପଙ୍କୁ ଆମର ମିଳିତ କାମ, ଆଲୋଚନା ଦିଗରେ ବନ୍ଧୁତ୍ବପୂର୍ଣ୍ଣ ଓ ଭରସାପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ଧନ୍ୟବାଦ ଦେଉଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଦୁଇ ପକ୍ଷ ନିଷ୍ପତ୍ତିରେ ପହଞ୍ଚିବା ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲେ।
ପୁଟିନ ଟ୍ରମ୍ପଙ୍କୁ ମସ୍କୋ ଆସିବାର ନିମନ୍ତ୍ରଣ ଦେଲେ । ଟ୍ରମ୍ପ ବି କହିଲେ ସେ ଜେନେସ୍କି ଓ ପୁଟିନଙ୍କ ସହ ମିଟିଂର ଆଶା କରୁଛନ୍ତି। ଆଶା କରାଯାଉଛି ଆଗାମୀ କିଛି ଦିନ ଭିତରେ ଏହି ମିଟିଂର କିଛି ଫଳ ସାମ୍ନାକୁ ଆସିପାରେ।
ଟ୍ରମ୍ପ ଓ ପୁଟିନଙ୍କ ମିଟିଂକୁ ସକାରାତ୍ମକ ବୋଲି କୁହାଯାଉଛି । ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ବୟାନରୁ ଏହା ସ୍ପଷ୍ଟ । ଯୁଦ୍ଧ ରୋକିବା ଉପରେ କଥା ଆଗକୁ ବଢ଼ିଛି । କିନ୍ତୁ ସତରେ ଏହି ଯୁଦ୍ଧ ଆଗକୁ ବନ୍ଦ ହେବ କି ନାହିଁ ସେନେଇ ସ୍ପଷ୍ଟ ଚିତ୍ର ମିଳିନାହିଁ।