Trump at UNGA / ଜାତିସଂଘରେ କଣ କହିଲେ ଟ୍ରମ୍ପ..

Key Points
ଜାତିସଂଘରେ ଟ୍ରମ୍ପଙ୍କ ଅଭିଭାଷଣ
ସମସ୍ତଙ୍କର କଲେ ନିନ୍ଦାନିଜ ପ୍ରଶାସନର ପ୍ରଶଂସା
ଋଷକୁ ଦେଲେ ଟାରିଫ୍ ଚେତାବନୀ
ଜାତିସଂଘ ସାଧାରଣ ଅଧିବେସନରେ ଟ୍ରମ୍ପଙ୍କ ଅଜବ ବିବୃତ୍ତି। ଜାତିସଂକୁ କଲେ କଡ଼ା ସମାଲୋଚନା, ଆମେରିକାକୁ ପ୍ରଶଂସା। ଏଠାରେ ମାଗିଲେ ନୋବେଲ ଶାନ୍ତି ପୁରଷ୍କାର। ବିଶ୍ବର ଶକ୍ତିଶାଳୀ ନେତାଙ୍କ ଏପରି ବୟାନକୁ ନିନ୍ଦା କଲେ ସବୁ ଦେଶ। ଆରମ୍ଭ ହୋଇଛି ଜାତିସଂଘର ସାଧାରଣ ଅଧିବେଶନ। ଏଥିରେ ଆମେରିକା ରାଷ୍ଟ୍ରପତିଙ୍କ ଅଦ୍ଭୁତ ଭାଷଣ ଦେଖି ତାଜୁବ ହୋଇଛନ୍ତି ଅନ୍ୟାନ୍ୟ ଦେଶ।
ଜାତିସଂଘକୁ କଡ଼ାସମାଲୋଚନା ସହ ଋଷକୁ ଦେଲେ ଚେତାବନୀ। ତେବେ ଏତେ ବଡ଼ ମଞ୍ଚରେ ନୋବେଲ ଶାନ୍ତି ପୁରଷ୍କାର ମତେ ମିଳୁ ବୋଲି ବି କହିଲେ ଟ୍ରମ୍ପ। ଏହାଛଡ଼ା ଭାରତ-ପାକ୍ ସହ ୭ଟି ଯୁଦ୍ଧ ବନ୍ଦ କରିଥିବା କଥାକୁ ପୁଣି ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତେବେ ଯୁଦ୍ଧ ବନ୍ଦ କରିବା ପରେ ୭ରାଷ୍ଟ୍ରର ନେତାଙ୍କ ସହ ସେ ଯୋଗାଯୋଗ କରିଛନ୍ତି ହେଲେ ଜାତିସଂଘ ପାଖରୁ ଗୋଟିଏ ବି ଫୋନ୍ କଲ୍ ପାଇନାହାନ୍ତି, ଜାତିସଂଘ ଖାଲି କଡ଼ା ଚିଠି ଲେଖି ଜାଣିଛି ବୋଲି ବି କହି ସମାଲୋଚନା କରିଛନ୍ତି। ଟ୍ରମ୍ପ ନିଜର ଅଜବ ବୟାନ ଦେଇ ଏବେ ସବୁଠି ନିନ୍ଦାର ପାତ୍ର ହୋଇଛନ୍ତି। ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିବା କଥାକୁ ଭାରତ ଖଣ୍ଡନ କରିଥିଲେ ବି ବାରମ୍ବାର ଏହି ଦାବି କରୁଛନ୍ତି ଟ୍ରମ୍ପ।
📱 Get Argus News App
✨ସେହିପରି ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ବି ଏଥିରେ ବିଫଳ ହୋଇଛନ୍ତି ଟ୍ରମ୍ପ। ଆଉ ଏଥିପାଇଁ ଆମେରିକା ୟୁକ୍ରେନକୁ କରୁଥିବା ସାମରିକ ଓ ଆର୍ଥିକ ସାହାଯ୍ୟ କଥା ନ ଉଠାଇ ଭାରତ ଓ ଚୀନକୁ ଦାୟୀ କରିଛନ୍ତି। ଟ୍ରମ୍ପ କହିଛନ୍ତି, ଚୀନ୍ ଓ ଭାରତ ୟୁକ୍ରେନ ଯୁଦ୍ଧରେ ପାଣ୍ଠି ଲଗାଇଛନ୍ତି। କିଛି ନାଟୋ ରାଷ୍ଟ୍ର ମଧ୍ୟ ଏହା କରୁଛନ୍ତି। କିଛି ୟୁରୋପୀୟ ରାଷ୍ଟ୍ର ମଧ୍ୟ ରୁଷ୍ଠାରୁ ତୈଳ କିଣୁଛନ୍ତି ଏବଂ ଏହା ସହ ଲଢ଼ୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ।
ସେହିଭଳି ଋଷ୍କୁ କଡ଼ା ଚେତାବନୀ ଦେଇ ଟ୍ରମ୍ପ କହିଛନ୍ତି ଯଦି ଋଷ୍ ୟୁକ୍ରେନ ଯୁଦ୍ଧ ଶେଷ କରିବାପାଇଁ ଏକ ଚୁକ୍ତି ପ୍ରସ୍ତୁତ ନକରେ ତେବେ ଆମେରିକା ଏହା ଉପରେ ଅତି ଶକ୍ତିଶାଳୀ ଶୁଳ୍କ କଟକଣା ଲଗାଇବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ସେହିପରି ଆମେରିକାରେ ପ୍ରବାସୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ବି ଜାତିସଂଘକୁ ସମାଲୋଚନା କରି ଅନ୍ୟାନ୍ୟ ଦେଶକୁ ନର୍କକୁ ଯାଅ ଭଳି କଡ଼ା ଶବ୍ଦ ବି କହିଛନ୍ତି ଆମେରିକା ରାଷ୍ଟ୍ରପତି..
ସେପଟେ ଆମେରିକାରେ ନିଜ ପ୍ରଶାସନକୁ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ରମ୍ପ। ସେ କହିଛନ୍ତି ଗୋଟିଏ ବର୍ଷ ପୂର୍ବରୁ ଆମ ଦେଶ ବହୁତ ସମସ୍ୟାରେ ଥିଲା। କିନ୍ତୁ ମୋ ଶାସନର ମାତ୍ର ୮ ମାସ ମଧ୍ୟରେ ଆମେ ବିଶ୍ବରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ର। ଆମେରିକାର ଏହା ସ୍ବର୍ଣ୍ଣିମ ଚିତ୍ର ବୋଲି ଟ୍ରମ୍ପ କହିଛନ୍ତି। ତେବେ ଜାତିସଂଘ ପରି ଏତେ ବଡ଼ ମଞ୍ଚରେ ଆମେରିକା ରାଷ୍ଟ୍ରପତିଙ୍କର ଭାଷଣ ନିର୍ବାଚନୀ ରାଲିର ଭାଷଣ ଭଳି ଲାଗୁଥିଲା। ଯେପରିକି ବିରୋଧୀଙ୍କୁ ସମାଲୋଚନା ଓ ନିଜ ଶାସନର ପ୍ରଶଂସା କରାଯାଏ ସେପରି କରୁଥିଲେ ଟ୍ରମ୍ପ। ଯାହାକୁ ଦେଖି ଅନେକ ବିଶେଷଜ୍ଞ ମତ ରଖିଛନ୍ତି ଯେ, ଟ୍ରମ୍ପଙ୍କ ଭାଷଣ ସ୍ପଷ୍ଟ କରୁଛି ଯେ, ବିଶ୍ବ ଏକ ଦୃଢ଼ ନେତୃତ୍ବ ପାଇଁ ଆମେରିକା ଉପରେ ଆଉ ଭରସା ବା ନିର୍ଭର କରିବା ଉଚିତ ନୁହେଁ। ଏବେ ସମୟ ଆମେରିକାର ବିକଳ୍ପ ଖୋଜିବାର..
Related Topics
Explore more stories