ବେଆଇନ ଶରଣାର୍ଥୀଙ୍କ ବିରୋଧରେ ଟ୍ରମ୍ପଙ୍କ କଡ଼ା ପଦକ୍ଷେପ

ବିନା ତଥ୍ୟ ପ୍ରମାଣରେ ଆମେରିକାରେ ରହୁଥିବା ପ୍ରବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ବେଆଇନ ଭାବେ ସେଠାରେ ଶରଣାର୍ଥୀ ଭାବେ ରହୁଥିବା ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଟ୍ରମ୍ପ ଏବେ ବେଆଇନ ଶରଣାର୍ଥୀଙ୍କୁ ଖୋଜି ଖୋଜି ବାହାର କରିବା ସହ ସେମାନଙ୍କୁ ଆମେରିକାରୁ ବିଦା କରିବାରେ ଲାଗିଛନ୍ତି। ପ୍ରଥମ ଦଫାରେ ଟ୍ରମ୍ପ ପ୍ରଶାସନ ଆମେରିକାରେ ବେଆଇନ ଭାବେ ରହୁଥିବା ୨୦୫ ଜଣ ଭାରତୀୟଙ୍କୁ ବିଦା କରିଛନ୍ତି। ସେମାନଙ୍କୁ ଚିହ୍ନଟ କରି ଟ୍ରମ୍ପ ପ୍ରଶାସନ ସାମରିକ ବିମାନରେ ପଞ୍ଜାବର ଅମୃତସର ପଠାଇ ଦେଇଛନ୍ତି। ପ୍ରାଥମିକ ଭାବେ ପ୍ରସ୍ତୁତ ହୋଇଥିବା ତାଲିକାରେ ୧୫ ଲକ୍ଷ ଲୋକଙ୍କ ନାଁ ରହିଛି। ଏହି ୧୫ ଲକ୍ଷ ଲୋକଙ୍କ ମଧ୍ୟରେ ୧୮ ହଜାର ବେଆଇନ ଭାରତୀୟ ଶରଣାର୍ଥୀଙ୍କ ନାଁ ବି ଅଛି।
ସେମାନଙ୍କୁ ପର୍ଯ୍ୟାୟକ୍ରମେ ଟ୍ରମ୍ପ ନିଜ ନିଜ ଦେଶକୁ ବିମାନ ଯୋଗେ ବିଦା କରିବେ। ଆମେରିକାରେ ପ୍ରାୟ ଏକ କୋଟିରୁ ଅଧିକ ଲୋକ ବେଆଇନ ଭାବେ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲାଟିନ ଆମେରିକୀୟ ଦେଶରୁ ଆସିଛନ୍ତି। ଏପର୍ଯ୍ୟନ୍ତ, ବେଆଇନ ପ୍ରବାସୀମାନଙ୍କୁ ସାମରିକ ବିମାନ ମାଧ୍ୟମରେ ଗୁଆଟେମାଲା, ପେରୁ ଏବଂ ହଣ୍ଡୁରାସ ପଠାଯାଇଛି। ଏହା ସହିତ ଚୀନ, ପାକିସ୍ତାନ ଓ ବାଂଲାଦେଶ ପରି ଦେଶରୁ ମଧ୍ୟ ବହୁ ପ୍ରବାସୀ ଆମେରିକାରେ ବେଆଇନ ଭାବେ ରହୁଛନ୍ତି। ଟ୍ରମ୍ପ ଗତ ମାସରେ କହିଥିଲେ, ଇତିହାସରେ ପ୍ରଥମ ଥର ପାଇଁ, ଆମେ ଅବୈଧ ବିଦେଶୀଙ୍କୁ ଠାବ କରୁଛୁ ଏବଂ ସେମାନଙ୍କୁ ସାମରିକ ବିମାନରେ ସେମାନଙ୍କ ଦେଶକୁ ଫେରାଇ ଦେଉଛୁ। ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇପାରନ୍ତି। ୧୩ ତାରିଖରେ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା। ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଶପଥ ନେବା ପରେ ଏହା ମୋଦିଙ୍କ ପ୍ରଥମ ଗସ୍ତ ହେବ। ଫେବୃଆରୀ ପ୍ରତ୍ୟାର୍ପଣ, ବାଣିଜ୍ୟ, ଆତଙ୍କବାଦ ପ୍ରସଙ୍ଗରେ ହୋଇପାରେ ଆଲୋଚନା। ପେବ୍ରୁଆରୀ ୧୦ରୁ ପ୍ୟାରିସରେ ହେବାକୁ ଥିବା ଦୁଇ ଦିନିଆ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆକ୍ସନ ସମିଟରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏହାପରେ ପ୍ରଧାନମନ୍ତ୍ରୀ ଆମେରିକା ଗସ୍ତରେ ଯିବେ।
