ରୁଷ ଉପରେ ସବୁଠାରୁ ବଡ଼ ଆକ୍ରମଣ କଲା ୟୁକ୍ରେନ ସେନା !

Key Points
ୟୁକ୍ରେନର ଏକ ବଡ଼ ଡ୍ରୋନ ଆକ୍ରମଣ ।
ଅନେକ ରୁଷିଆନ ରଣନୈତିକ ବୋମା ବିସ୍ଫୋରଣକାରୀ ବିମାନରେ ନିଆଁ ।
ଆକ୍ରମଣରେ TU-95, TU-22, ଏବଂ A-50 ଗୁଇନ୍ଦା ବିମାନ ନଷ୍ଟ !
ଋଷର ଦୁଇଟି ଏୟାର ବେସ ଉପରେ ବଡ଼ ଆକ୍ରମଣ କରିଛି ୟୁକ୍ରେନ। ୟୁକ୍ରେନର ସିକ୍ୟୁରିଟି ସର୍ଭିସ ପକ୍ଷରୁ ଏନେଇ ଦାବି କରାଯାଇଛି। ୟୁକ୍ରେନ ସିକ୍ୟୁରିଟି ସର୍ଭିସର ଦାବି ଅନୁସାରେ, ଋଷର ଓଲେନ୍ୟା ଓ ବେଲାୟା ଏୟାରବେସକୁ ଟାର୍ଗେଟ୍ କରାଯାଇଛି। ଯେଉଁଥିରେ ଋଷର ପ୍ରାୟ ୪୦ରୁ ଅଧିକ ବୋମା ବର୍ଷକ ଯୁଦ୍ଧ ବିମାନ ନଷ୍ଟ ହୋଇଛି। ଏହି ଆକ୍ରମଣରେ TU-95, TU-22, ଏବଂ A-50 ଗୁଇନ୍ଦା ବିମାନ ନଷ୍ଟ ହୋଇଥିବା କୁହାଯାଉଛି। ଏହାପୂର୍ବରୁ ୟୁକ୍ରେନ ଋଷର ୨ଟି ବ୍ରିଜକୁ ଟାର୍ଗେଟ୍ କରିଥିଲା। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ତେବେ ସାଇବେରିଆର ଏକ ଗାଁ ନିକଟରେ ଥିବା ଏକ ସୈନ୍ୟ ଅଡ୍ଡା ଉପରେ ୟୁକ୍ରେନ ଆକ୍ରମଣ କରିଥିବା ନେଇ ଋଷର ଜଣେ ଅଧିକାରୀ ସ୍ବୀକାର କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ୟୁକ୍ରେନର ଏକ ବଡ଼ ଡ୍ରୋନ ଆକ୍ରମଣ ପରେ, ଓଲେନିଆ ଏୟାରବେସରେ ଅନେକ ରୁଷିଆନ ରଣନୈତିକ ବୋମା ବିସ୍ଫୋରଣକାରୀ ବିମାନରେ ନିଆଁ ଲାଗିଥିବା ଜଣାପଡ଼ିଛି। କୁହାଯାଉଛି ଯେ ୟୁକ୍ରେନ, ଋଷର ଏୟାରବେସ ୦୧୦୬ କୁ ଟାର୍ଗେଟ କରିଛି। ଇରକୁଟସ୍କ ଅଞ୍ଚଳର ରୁଷିଆନ ରାଜ୍ୟପାଳ ଘୋଷଣା କରିଛନ୍ତି ଯେ ୟୁକ୍ରେନୀୟ ରିମୋଟ-ନିୟନ୍ତ୍ରିତ ୟୁଏଭି ସ୍ରେଡନି ଗାଁରେ ଏକ ସାମରିକ ୟୁନିଟ୍ ଉପରେ ଆକ୍ରମଣ କରିଛି ଏବଂ ଏହା ସାଇବେରିଆରେ ପ୍ରଥମ ଏପରି ଆକ୍ରମଣ। ତିନି ବର୍ଷର ଯୁଦ୍ଧରେ, ରୁଷ ବିରୋଧରେ ସର୍ବାଧିକ ସଂଖ୍ୟକ ଡ୍ରୋନ ଆକ୍ରମଣ ହୋଇଛି । ରବିବାର ଦିନ ୟୁକ୍ରେନ ସେନା ରୁଷ ଉପରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଆକ୍ରମଣ କରିଥିବା ଦାବି କରିଛି।