Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

America vs China / ଟ୍ରମ୍ପଙ୍କ ଭୁଲ ପାଇଁ ଅଧିକ ଖରାପ ହେଉଛି ଆମେରିକା-ଚୀନ ସମ୍ପର୍କ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଟ୍ରମ୍ପଙ୍କ ଭୁଲ ପାଇଁ ଅଧିକ ଖରାପ ହେଉଛି ଆମେରିକା-ଚୀନ ସମ୍ପର୍କ !

Key Points

ଆଗାମୀ ପାଞ୍ଚ ବର୍ଷ ଚୀନ୍ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମୟ ମଧ୍ୟରେ ଏହା ଏଆଇ କ୍ଷେତ୍ରରେ ଆମେରିକାକୁ ଡେଇଁବାକୁ ପ୍ରସ୍ତୁତ ହେଉଛି।

ଚୀନ୍ "ଲଢ଼ିବାକୁ ଚାହୁଁନାହିଁ, କିନ୍ତୁ ଲଢ଼ିବାକୁ କେବେ ଭୟ କରେ ନାହିଁ"। ଆବଶ୍ୟକ ହେଲେ ପ୍ରତିକାରମୂଳକ ପଦକ୍ଷେପ ନେବ। ଆମେରିକାର ନିଷ୍ପତ୍ତିକୁ "ସ୍ବେଚ୍ଛାଚାରୀ ଦୋମୁହାଁ ନୀତି" ବୋଲି କହିଛି ଚୀନ୍‌। ଖାଲି ସେତିକି ନୁହେଁ, ଚୀନ୍ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ଆମେରିକାର ଏହି ପଦକ୍ଷେପଗୁଡ଼ିକ 'ଚୀନ୍‌ର ସ୍ୱାର୍ଥକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଏ" ଏବଂ "ଦ୍ୱିପାକ୍ଷିକ ଅର୍ଥନୈତିକ ଏବଂ ବାଣିଜ୍ୟ ଆଲୋଚନା ପାଇଁ ସ୍ଥିତିକୁ ଦୁର୍ବଳ କରେ'।

ଚୀନ ଉପରେ ସଦ୍ୟତମ ବାଣିଜ୍ୟ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ମିଳିଛି କଡ଼ା ଜବାବ। ଚୀନ୍ ଏବେ ୱାଶିଂଟନ୍‌ ମନମୁଖୀ କାମ କରୁଛି ବୋଲି ଅଭିଯୋଗ ଆଣିଛି। ଆମେରିକା ନଭେମ୍ବର ୧ ତାରିଖରୁ ସମସ୍ତ ଚୀନ୍ ଆମଦାନୀ ଉପରେ ୧୦୦% ଶୁଳ୍କ ଏବଂ ଗୁରୁତ୍ୱପୂର୍ଣ୍ଣ ଆମେରିକୀୟ ନିର୍ମିତ ସଫ୍ଟୱେର୍ ଉପରେ କଠୋର ରପ୍ତାନି ନିୟନ୍ତ୍ରଣ ଘୋଷଣା କରିବା ପରେ ଏପରି ମତ ରଖିଛି ଚୀନ୍‌।

ସେପଟେ ଏଆଇ କ୍ଷେତ୍ରରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଏକ ପ୍ରତିଯୋଗିତା ଚାଲିଛି। ଚୀନ୍ ନିରନ୍ତର ଆମେରିକାକୁ ପଛରେ ପକାଇବାକୁ ଚେଷ୍ଟା କରୁଛି ଏବଂ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରୁଛି। ଏହାର ୧୫ତମ ପଞ୍ଚବାର୍ଷିକ ଯୋଜନା (୨୦୨୬-୨୦୩୦) ଅନୁଯାୟୀ, ଚୀନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଏକ ବିଶ୍ୱ ଶକ୍ତି ହେବାକୁ ପ୍ରସ୍ତୁତ ହେଉଛି। ଏହି ଯୋଜନା ବିଶେଷ ଭାବରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଧ୍ୟାନ ଦେଉଛି। ଆଗାମୀ ପାଞ୍ଚ ବର୍ଷ ଚୀନ୍ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ସମୟ ମଧ୍ୟରେ ଏହା ଏଆଇ କ୍ଷେତ୍ରରେ ଆମେରିକାକୁ ଡେଇଁବାକୁ ପ୍ରସ୍ତୁତ ହେଉଛି।

ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ କରିଛି ଯେ, ଚୀନ୍ ଏହାର ବର୍ତ୍ତମାନର ୧୪ତମ ପଞ୍ଚବାର୍ଷିକ ଯୋଜନାରେ (୨୦୨୧-୨୦୨୫) ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ୨୦୨୦ ତୁଳନାରେ ଗବେଷଣା ଏବଂ ବିକାଶରେ ନିବେଶ ୪୮% ବୃଦ୍ଧି ପାଇଛି। ଚୀନ୍‌ରେ ବିଶ୍ୱରେ ସର୍ବାଧିକ ସଂଖ୍ୟକ ଗବେଷକ ଅଛନ୍ତି ଏବଂ ଗ୍ଲୋବାଲ୍ ଇନୋଭେସନ୍ ଇଣ୍ଡେକ୍ସରେ ଏହା ୧୦ମ ସ୍ଥାନରେ ପହଞ୍ଚିଛି।

ଚୀନ୍‌ ମହାକାଶ ଗବେଷଣା, ୫-ଜି ଏବଂ ସବୁଜ ଶକ୍ତି ଭଳି କ୍ଷେତ୍ରରେ ପୂର୍ବ ସ୍ତରକୁ ଯଥେଷ୍ଟ ପଛରେ ପକାଇ ଦେଇଛି। ଏବେ, ଚୀନ୍‌ ସେମିକଣ୍ଡକ୍ଟର ଚିପ୍ସ ଏବଂ ଏଆଇ ଉପରେ ଏହାର ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିବାକୁ ଯାଉଛି। ବିଶେଷଜ୍ଞ ଚେନ୍ ସିଆହୋଙ୍ଗଙ୍କ ମତରେ, ଚୀନ୍ ହ୍ୟୁମାନୋଇଡ୍ ରୋବୋଟ୍, ସ୍ମାର୍ଟ ଯାନବାହନ ଏବଂ ସ୍ମାର୍ଟ ପରିବହନ ଭଳି କ୍ଷେତ୍ରରେ ଏଆଇ ବ୍ୟବହାରକୁ ପ୍ରୋତ୍ସାହିତ କରିବ। ସେହିପରି, ସେମିକଣ୍ଡକ୍ଟର ଚିପ୍ କ୍ଷେତ୍ରରେ, ଭାରତର ପଡ଼ୋଶୀ ଚୀନ୍ ଏବେ ଫଟୋନିକ୍ ଚିପ୍ସ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ନୂତନ ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛି।

ତେବେ ଚୀନ୍ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଏଆଇ କାର୍ଯ୍ୟକାରୀ କରିବା ପାଇଁ କାମ କରୁଛି, ଏବଂ ଏହି ପ୍ରଗତିର ଗତି ଏବେ ତ୍ୱରାନ୍ୱିତ ହୋଇପାରିବ। ବିଶ୍ୱର ସରକାରଗୁଡ଼ିକ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ଆଗକୁ ବଢୁଛନ୍ତି ଏବଂ ସମ୍ପର୍କିତ ପ୍ରକଳ୍ପ ଉପରେ କାମ କରୁଛନ୍ତି। ଭାରତରେ ମଧ୍ୟ ଏଆଇ କ୍ଷେତ୍ରରେ ଅପାର ସମ୍ଭାବନା ଅଛି ବୋଲି ସେ ମତପୋଷଣ କରିଥିଲେ।

ଅନ୍ୟପଟେ ଚୀନ୍ ଆମେରିକାକୁ ଚୁପ୍ କରିଦେଇଛି। ଚୀନ୍‌ର ବିରଳ ଧାତୁ ଉପରେ ନିର୍ଭର କରୁଥିବା ଆମେରିକାକୁ ଆଉ ଏକ ବଡ଼ ଝଟକା ଲାଗିଛି। ଚୀନ୍‌ ହଠାତ୍ ଆମେରିକାରୁ ସୋୟାବିନ କିଣିବା ବନ୍ଦ କରିଦେଇଛି। ଏହା ସମଗ୍ର ଆମେରିକାରେ ସଙ୍କଟ ସୃଷ୍ଟି କରିଛି। ସୋୟାବିନର ମୂଲ୍ୟ ବହୁତ ହ୍ରାସ ପାଇଛି ଏବଂ ଆମେରିକୀୟ ଚାଷୀଙ୍କ ମଧ୍ୟରେ ଆର୍ଥିକ କ୍ଷତି ନେଇ ଆତଙ୍କ ଦେଖାଦେଇଛି। ଆମେରିକା ଚୀନ୍‌ର ଚେସ୍ ଖେଳରେ ଫସି ଯାଇଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏବେ ଆମେରିକା ସମଗ୍ର ବିଶ୍ୱରେ ନିଜର ପ୍ରାଧାନ୍ୟ ହରାଇବା ନେଇ ଭୟ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
America vs China | US-China trade war escalates as Trump announces 100% additional tariff on Chinese imports | Argus News