Iran US Conflict / ଥମୁନି ମଧ୍ୟପ୍ରାଚ୍ୟ ଯୁଦ୍ଧ: ୧୬ଟି ଇରାନୀ 'ମାଇନ-ଲେଇଙ୍ଗ୍' ଜାହାଜକୁ ନଷ୍ଟ କଲା ଆମେରିକା

Key Points
ଥମିବା ବଦଳରେ ଜୋର ଧରୁଛି ମଧ୍ୟପ୍ରାଚ୍ୟ ଯୁଦ୍ଧ
୧୬ଟି ଇରାନୀ 'ମାଇନ-ଲେଇଙ୍ଗ୍' ଜାହାଜକୁ ନଷ୍ଟ କଲା ଆମେରିକା
"ଟୋପାଏ ତେଲ" ରପ୍ତାନି ହେବାକୁ ଦେବେ ନାହିଁ କହିଲା ଇରାନ
ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି
ଥମିବା ବଦଳରେ ମଧ୍ୟପ୍ରାଚ୍ୟରେ ଦିନକୁ ଦିନ ସାଂଘାତିକ ହେଉଛି ଯୁଦ୍ଧ ସ୍ଥିତି । ଆମେରିକା ୧୬ଟି ଇରାନୀ 'ମାଇନ-ଲେଇଙ୍ଗ୍' ବା ସମୁଦ୍ରରେ ବୋମା ବିଛାଉଥିବା ଜାହାଜକୁ ନଷ୍ଟ କରିଦେଇଥିବା ଦାବି କରିଛି । ଅନ୍ୟପଟେ ଇରାନ ଓଲଟା ଧମକ ଦେଇ କହିଛି ଯେ, ସେମାନେ ନିଜର ଶତ୍ରୁମାନଙ୍କ ପାଇଁ ଏହି ଅଞ୍ଚଳରୁ "ଟୋପାଏ ତେଲ" ମଧ୍ୟ ରପ୍ତାନି ହେବାକୁ ଦେବେ ନାହିଁ। ଯୁଦ୍ଧ ୧୨ତମ ଦିନରେ ପ୍ରବେଶ କରିଥିବା ବେଳେ ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ସେପଟେ ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ଦେଖାଦେଇଛି ।
ବିଶ୍ୱର ୨୦ ପ୍ରତିଶତ ତେଲ ପରିବହନ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ଇରାନ ବୋମା ଖଞ୍ଜିଥିବା ନେଇ ଆମେରିକା ସନ୍ଦେହ କରୁଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କେବେ ନଦେଖିଥିବା ଭଳି ଆକ୍ରମଣର ଧମକ ଦେଇଛନ୍ତି। ପେଣ୍ଟାଗନ୍ ସୂଚନା ଅନୁଯାୟୀ, ଏହି ଯୁଦ୍ଧରେ ପ୍ରାୟ ୧୪୦ ଆମେରିକୀୟ ସେବା ସଦସ୍ୟ ଆହତ ହୋଇଛନ୍ତି ଏବଂ ୭ ଜଣ ପ୍ରାଣ ହରାଇଛନ୍ତି । ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ର ଅଧ୍ୟକ୍ଷ ଜେନେରାଲ୍ ଡାନ କେନ୍ କହିଛନ୍ତି ଯେ ଆମେରିକୀୟ ସେନା ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିସାରିଛି ।
ସେପଟେ ଇରାନରେ ଅତିକମରେ ୧୨୩୦ ଜଣ ଏବଂ ଲେବାନନରେ ୪୮୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଇସ୍ରାଏଲର ଆକ୍ରମଣରେ ଲେବାନନର ଦକ୍ଷିଣାଞ୍ଚଳରେ ଅନେକ ସାଧାରଣ ନାଗରିକ ଏବଂ ଉଦ୍ଧାରକାରୀ ଦଳର ସଦସ୍ୟ ମୃତ୍ୟୁବରଣ କରିଛନ୍ତି ।
ସେପଟେ ଯୁଦ୍ଧ ବେଳେ ଭାରତ ସହ କଥା ହୋଇଛନ୍ତି ଇରାନ ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଆରାଘଚି । ଏହି ଆଲୋଚନାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ଆଞ୍ଚଳିକ ସ୍ଥିତି ସ୍ଥାନ ପାଇଥିଲା । ଇରାନ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଏବଂ ପରିବହନର ସୁରକ୍ଷା ଉପରେ ଆଲୋଚନା କରିଛନ୍ତି ।
ଜାହାଜ ଚଳାଚଳ ସୁରକ୍ଷାକୁ ରକ୍ଷା କରିବା ପାଇଁ ଇରାନର ନୀତିଗତ ଆଭିମୁଖ୍ୟ ବିଷୟରେ ଇରାନ ସ୍ପଷ୍ଟ କରିଛି । ଇରାନ ବୈଦେଶିକ ମନ୍ତ୍ରୀ କହିଛନ୍ତି ଜାହାଜ ଚଳାଚଳ ପାଇଁ ସୃଷ୍ଟି ହୋଇଥିବା ଅସୁରକ୍ଷିତ ପରିସ୍ଥିତି ଏବଂ ସମସ୍ୟାଗୁଡ଼ିକ ଆମେରିକାର ଆକ୍ରମଣାତ୍ମକ ତଥା ଅସ୍ଥିର କାର୍ଯ୍ୟକଳାପର ପରିଣାମ । ଏହି ପରିସ୍ଥିତି ପାଇଁ ଆନ୍ତର୍ଜାତୀୟ ସମୁଦାୟ ଆମେରିକାକୁ ଦାୟୀ କରିବା ଉଚିତ ।
ଏଥିସହ ପଢ଼ନ୍ତୁ: ଭୟଙ୍କର ଯୁଦ୍ଧ ସ୍ଥିତି: ଗ୍ୟାସ୍ ମୂଲ୍ୟ ବୃଦ୍ଧିରେ ଯୋଗୁଁ ଇଣ୍ଡକ୍ସନ୍ କୁକରର ଦାମ ତିନିଗୁଣା ବଢିଲା
📱 Get Argus News App
✨Related Topics
Explore more stories