Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Gaza / ଗାଜାରେ ଶାନ୍ତି ଚୁକ୍ତି ପାଇଁ ପୁଣିଥରେ ଆମେରିକାର ପ୍ରୟାସ

Rashmita Mishra
Browse all articles by Rashmita Mishra
·9 months ago·3 min read
ଗାଜାରେ ଶାନ୍ତି ଚୁକ୍ତି ପାଇଁ ପୁଣିଥରେ ଆମେରିକାର ପ୍ରୟାସ

Key Points

ଗାଜାରେ ଶାନ୍ତି ଚୁକ୍ତି ପାଇଁ ପୁଣିଥରେ ଆମେରିକାର ପ୍ରୟାସ
ୱାଶିଂଟନରେ ଟ୍ରମ୍ପ- ନେତାନ୍ୟାହୁ ଆଲୋଚନା
ଶାନ୍ତି ପାଇଁ ଆରବ ରାଷ୍ଟ୍ରଙ୍କ ସମର୍ଥନ
୨ ବର୍ଷ ଧରି ଗାଜାରେ ଯୁଦ୍ଧ ଜାରି ରହିଛି

ଗାଜାରେ ଶାନ୍ତି ଚୁକ୍ତି ପାଇଁ ପୁଣିଥରେ ଆମେରିକାର ପ୍ରୟାସ। ଗାଜାରେ ଯୁଦ୍ଧ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇବାକୁ ନେଇ ପୁଣି ଥରେ ଆଲୋଚନା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇସ୍ରାଏଲ୍ ପିଏମ୍ ନେତାନ୍ୟାହୁ। ତେବେ ଗାଜା ଶାନ୍ତି ଚୁକ୍ତି ପ୍ରସ୍ତୁତିରେ ଟ୍ରମ୍ପ ଦୁଇ ପକ୍ଷ ପାଇଁ ୨୧ଟି ଗୁରୁତ୍ବପୂର୍ଣ୍ଣ ସର୍ତ୍ତ ରଖିଛନ୍ତି।


ସେହିପରି ହମାସର ଗାଜା ଖାଲି କରିବା ଏବଂ ଇସ୍ରାଏଲର ଯୁଦ୍ଧ ବନ୍ଦୀ ମୁକ୍ତିକୁ ନେଇ ସର୍ତ୍ତ ରଖିଛନ୍ତି ନେତାନ୍ୟାହୁ। ଏଥର ଗାଜା ଶାନ୍ତି ଚୁକ୍ତି ପାଇଁ ଆରବ ରାଷ୍ଟ୍ରମାନଙ୍କ ସମେତ ମିଡିଲ୍ ଇଷ୍ଟର ପ୍ରାୟ ସମସ୍ତ ଦେଶମାନେ ଆଗ୍ରହୀ ଅଛନ୍ତି। ତେଣୁ ଏହି ଶାନ୍ତି ପ୍ରୟାସ ସଫଳ ହେବ ବୋଲି ଟ୍ରମ୍ପ ଆଶା କରିଛନ୍ତି। ୨ ବର୍ଷ ଧରି ଗାଜାରେ ଯୁଦ୍ଧ ଜାରି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୬୬ ହଜାର ଅତିକ୍ରମ କରିଛି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଆଲୋଚନା ପାଇଁ ଓ୍ବାଶିଂଟନ ଗସ୍ତ କରିଛନ୍ତି।

ସୂଚନାନୁଯାଯୀ ଟ୍ରମ୍ପ୍‌ କହିଛନ୍ତି, ଆମ ପ୍ରସ୍ତାବରେ ନେତନ୍ୟାହୁ ସହମତି ପ୍ରକାଶ କରିଛନ୍ତି । ଯୁଦ୍ଧ ବନ୍ଦ ହେବା ସମ୍ଭାବନା ରହିଛି । କିନ୍ତୁ ହମାସ୍‌ ଯଦି ଏହାକୁ ଖାରଜ କରେ, ତେବେ ଇସ୍ରାଏଲ୍‌ ନିଜ କାମ ତମାମ କରିଦେବ । ଯୁଦ୍ଧ ସହଜରେ ବନ୍ଦ ହେବା ନେଇ ଆମେ ଚାହୁଁଛୁ । ହମାସ୍‌ ରାଜି ନ ହେଲେ ମଧ୍ୟ ଯୁଦ୍ଧ ବନ୍ଦ ହେବ । ଏଥିପାଇଁ କଠୋର ରାସ୍ତା ବାଛିବାକୁ ପଡ଼ିବ । ଆମେରିକାର ୨୦-ସୂତ୍ରୀ ଯୋଜନା ଅନୁସାରେ, ଏକ ‘ବୋର୍ଡ ଅଫ୍‌ ପିସ୍‌’ ଗଠନ ହେବ ।

ଟ୍ରମ୍ପ୍‌ ଏହାର ନେତୃତ୍ୱ ନେବେ ଏବଂ ଏଥିରେ ଉଚ୍ଚ ଯୋଗ୍ୟତାସମ୍ପନ୍ନ ବିଶେଷଜ୍ଞମାନେ ସଦସ୍ୟ ରହିବେ । ଏମାନଙ୍କ ମଧ୍ୟରେ ପାଲେଷ୍ଟିନୀୟ ପ୍ରତିନିଧି ଓ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ରହିବେ । କିନ୍ତୁ ବୋର୍ଡରେ ହମାସ୍‌ କିମ୍ବା ଅନ୍ୟ ଆତଙ୍କବାଦୀଙ୍କର କୌଣସି ଭୂମିକା ରହିବ ନାହିଁ । ପରୋକ୍ଷ କିମ୍ବା ପ୍ରତ୍ୟକ୍ଷରେ ଗାଜା ଗଭର୍ଣ୍ଣାନ୍ସରେ ସେମାନେ କୌଣସି ଭୂମିକା ନିର୍ବାହ କରିବେ ନାହିଁ । ଗାଜାରେ ଅସ୍ଥାୟୀ ସରକାର ଚାଲିବ ଏବଂ ଇସ୍ରାଏଲ୍‌ ଗାଜାକୁ ଦଖଲ କରିବ ନାହିଁ ।

କାହାକୁ ଗାଜା ଛାଡ଼ିବା ପାଇଁ ବାଧ୍ୟ କରାଯିବ ନାହିଁ । ଗାଜା ଷ୍ଟ୍ରିପ୍‌କୁ ପୁନର୍ବାର ନିର୍ମାଣ କରାଯିବ । ଉଭୟ ପକ୍ଷ ଏହି ପ୍ରସ୍ତାବକୁ ସ୍ୱୀକାର କଲେ ଯୁଦ୍ଧ ତତ୍‌କ୍ଷଣାତ ବନ୍ଦ ହୋଇଯିବ । ୭୨ ଘଣ୍ଟାରେ ପଣବନ୍ଦୀ ମୁକ୍ତ ହେବେ । ଇସ୍ରାଏଲ୍‌ ୨୫୦ ଆଜୀବନ କଏଦୀଙ୍କୁ ମୁକ୍ତ କରିବ । ଗାଜାରେ ବନ୍ଦୀ ଥିବା ୧,୭୦୦ ପାଲେଷ୍ଟିନୀୟ ବି ମୁକୁଳିବେ । ଏହି ପ୍ରକ୍ରିୟାରେ ସମସ୍ତ ସାମରିକ ଅଭିଯାନ ବନ୍ଦ ରହିବ । ଏହାପରେ ଇସ୍ରାଏଲୀ ସେନାର ସମ୍ପୂର୍ଣ୍ଣ ଅପସାରଣ ହେବ ।

ଯୋଜନା ଅନୁସାରେ, ଶାନ୍ତି ପ୍ରସ୍ତାବକୁ ସ୍ୱୀକାର କରିବାକୁ ଥିବା ହମାସ୍‌ ସଦସ୍ୟଙ୍କୁ ସର୍ବକ୍ଷମା ମିଳିବ । ଯେଉଁ ଦେଶ ସେମାନଙ୍କୁ ଗ୍ରହଣ କରିବାକୁ ଚାହିଁବେ, ସେଠାକୁ ସେମାନଙ୍କୁ ସହଜ ଉପାୟରେ ପଠାଇବାର ବ୍ୟବସ୍ଥା କରାଯିବ । ଏହାପରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବାହିନୀ ଗାଜାକୁ ସୁରକ୍ଷା ଯୋଗାଇବ ଏବଂ ପାଲେଷ୍ଟିନୀୟ ପୁଲିସକୁ ତାଲିମ ପ୍ରଦାନ କରିବ । ତତ୍‌ସହିତ ଗାଜାକୁ ସହାୟତାର ସୁଅ ଛୁଟିବ । ପାଲେଷ୍ଟିନୀୟ ଓ ଇସ୍ରାଏଲୀଙ୍କ ମଧ୍ୟରେ ଆପୋସ ଆଲୋଚନା ପାଇଁ ଆମେରିକା ସବୁ ପ୍ରକାର ବ୍ୟବସ୍ଥା କରିବ ।

ସାମ୍ବାଦିକ ସମ୍ମିଳନୀରେ ୨୦-ସୂତ୍ରୀ ଯୋଜନା ବାବଦରେ କୁହାଯିବା ପରେ କିଛି ପ୍ରଶ୍ନ ଉଠିଥିଲା । କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ୍‌ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ । ଯୋଜନାକୁ ଅନୁମୋଦନ ଓ ଏଥିରେ ଦସ୍ତଖତ କରାଯିବାକୁ ଥିବାରୁ ଆଉ ସମୟ ନାହିଁ କହି ପଳାଇଥିଲେ । ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି, ହମାସ୍‌କୁ ସମ୍ପୂର୍ଣ୍ଣ ନିରସ୍ତ୍ର କରିବା ଲାଗି ଅନ୍ତର୍ଜାତୀୟ ସଂସ୍ଥା କାର୍ଯ୍ୟ କରିବ । ଯଦି ସଂସ୍ଥା ଏଥିରେ ସଫଳ ହୁଏ, ତେବେ ଯୁଦ୍ଧ ସବୁଦିନ ପାଇଁ ବନ୍ଦ ହେବ ।

ଏହାପରେ ଇସ୍ରାଏଲ୍‌ ମଧ୍ୟ ଏହାର ସେନାକୁ ଅପସାରଣ କରିନେବ । କିନ୍ତୁ ଭବିଷ୍ୟତର ସମ୍ଭାବ୍ୟ ଘଟଣାକୁ ଦୃଷ୍ଟିରେ ରଖି ସେନା ସତର୍କତା ଅବଲମ୍ବନ କରିବ । ତେବେ ସେ ଟ୍ରମ୍ପ୍‌ଙ୍କର ଯୋଜନାକୁ ସମର୍ଥନ କରିଥିବା ନେତନ୍ୟାହୁ କହିଛନ୍ତି । ସେପଟେ ଟ୍ରମ୍ପ୍‌ଙ୍କ ସହ ହ୍ୱାଇଟ୍‌ହାଉସ୍‌ରେ ଆଲୋଚନା ବେଳେ ନେତନ୍ୟାହୁ ଆଜି କତାର୍‌ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍‌ ଅବ୍‌ଦୁଲରହମାନ ଅଲ୍‌-ଥାନୀଙ୍କୁ ଫୋନ୍‌ କରି ଦୋହା ଆକ୍ରମଣ ଲାଗି କ୍ଷମା ପ୍ରାର୍ଥନା କରିଛନ୍ତି ।

ଟ୍ରମ୍ପ୍‌ଙ୍କ କହିବା ପରେ ହିଁ ନେତନ୍ୟାହୁ କ୍ଷମା ମାଗିଥିବା ରିପୋର୍ଟରୁ ଜଣାପଡ଼ିଛି । ୨୦ ଦିନ ପୂର୍ବେ ଅର୍ଥାତ୍‌ ଚଳିତମାସ ୯ ତାରିଖରେ ଇସ୍ରାଏଲୀ ସେନା ଦୋହାରେ ହମାସ୍‌ ମୁଖ୍ୟ ଖଲିଲ ଅଲ୍‌-ହୟାଙ୍କୁ ଟାର୍ଗେଟ୍‌ କରି ହମ୍‌ଲା କରିଥିଲା । ଏଥିରେ ଅଲ୍‌-ହୟା ବଞ୍ଚିଯାଇଥିଲେ । କିନ୍ତୁ ଅନ୍ୟ ୬ ଜଣ ପ୍ରାଣ ହରାଇଥିଲେ । ଏହାକୁ ନେଇ ଟ୍ରମ୍ପ୍‌ ଅସନ୍ତୋଷ ବ୍ୟକ୍ତ କରିଥିଲେ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gaza | US Pushes Again for Peace Deal in Gaza | Argus News | Argus News