ଆମେରିକା ଲିକ୍ କଲା ଇସ୍ରାଏଲ ଯୁଦ୍ଧ ପ୍ରସ୍ତୁତି !

Key Points
- ଆମେରିକା ଲିକ୍ କଲା ଇସ୍ରାଏଲ ଯୁଦ୍ଧ ପ୍ରସ୍ତୁତି !
- ଇସ୍ରାଏଲକୁ ଧମକ ଦେଲା ଇରାନ
- ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିସ୍ଫୋରଣ
ଅର୍ଗସ ବ୍ୟୁରୋ: ଗାଜା ଉପରେ ଭୟଙ୍କର ଆକ୍ରମଣ କରୁଛି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସ୍ପଷ୍ଟ କରିଥିଲେ କି ଅସ୍ତ୍ର ଛାଡ଼ିଲେ ଯୁଦ୍ଧ ବନ୍ଦ ହେବ । କିନ୍ତୁ ଏହାରି ଭିତରେ ଆମେରିକା ଇସ୍ରାଏଲର କିଛି ଗୁଇନ୍ଦା ତଥ୍ୟ ଲିକ୍ କରିଥିବା କୁହାଯାଉଛି । ଲିକ୍ ହୋଇଥିବା ତଥ୍ୟରେ ଇସ୍ରାଏଲ କେମିତି ଯୁଦ୍ଧ ପ୍ରସ୍ତୁତି କରୁଛି ? କେମିତି ପ୍ରି-ପ୍ଲାନ କରୁଛି ତାହା ସମସ୍ତ ଫଟୋ ଏବେ ଭାଇରାଲ ହେଲାଣି । ଯାହାକୁ ନେଇ ଚିନ୍ତାରେ ଇସ୍ରାଏଲ ।
ଆମେରିକୀୟ ଗୁପ୍ତଚର ଉପଗ୍ରହଦ୍ୱାରା ସଂଗ୍ରହ କରାଯାଇଥିବା ଫଟୋ ଏବଂ ସୂଚନାର ବିଶ୍ଳେଷଣ କରିଥିବା ନ୍ୟାସନାଲ ଜିଓସ୍ପେସିଆଲ-ଇଣ୍ଟେଲିଜେନ୍ସ ଏଜେନ୍ସିରୁ ମିଳିଥିବା ଦସ୍ତାବିଜଗୁଡ଼ିକ ଇସ୍ରାଏଲର ସାମରିକ ଅଭ୍ୟାସ ଏବଂ ସ୍ଵତନ୍ତ୍ର ଅପରେସନ ପ୍ରସ୍ତୁତିର ଫଟୋ ଏବେ ଲିକ୍ ହୋଇଯାଇଛି । ସୂଚନା ଅନୁସାରେ, ଏହି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସୋସିଆଲ ମିଡିଆର ଟେଲିଗ୍ରାମ ପ୍ଲାଟଫର୍ମରେ ପ୍ରଥମେ ଭାଇରାଲ ହୋଇଥିଲା । ଭାଇରାଲ ହେଉଥିବା ଫଟୋରେ ସ୍ପଷ୍ଟ ଭାବରେ ଦେଖାଯାଉଛି କି, ଇସ୍ରାଏଲ ଇରାନ ଉପରେ ପ୍ରତିଶୋଧମୂଳକ ଆକ୍ରମଣ ପାଇଁ କେମିତି ପ୍ରସ୍ତୁତ ହେଉଛି । ଏମିତିକି କେଉଁଠାରେ ଆକ୍ରମଣ କରାଯିବ ? କେତେ ମାତ୍ରାରେ ସୈନ୍ୟ ରହିବେ ସେ ସବୁର ଫଟୋ ଏବେ ଭାଇରାଲ ହେଉଛି ।
ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ନେଇ ଚର୍ଚ୍ଚା ଥମୁନି । କାରଣ ଗାଜାରେ ଇସ୍ରାଏଲ ପଶିବା ସହିତ ଆତଙ୍କୀ ନସରୁଲ୍ଲାକୁ ଯେଉଁପରି ଭାବରେ ହତ୍ୟା କଲା ଏବଂ ଚେତାଇ ଦେଲା କି ଅସ୍ତ୍ର ନଛାଡିବା ପର୍ଯ୍ୟନ୍ତ ଯୁଦ୍ଧ ହେବ ତାହାକୁ ନେଇ ଇରାନର ଟେନସନ ଡବଲ ହୋଇଥିଲା । କିନ୍ତୁ ଏହାରି ଭିତରେ ଇସ୍ରାଏଲ ବାୟୁସେନାର ପ୍ରସ୍ତୁତିର ଦସ୍ତାବିଜ ଇରାନ ହାତରେ ଲାଗିଛି । ତେଣୁ ଇରାନ ବି ଆକ୍ରମଣକୁ ରୋକିବାକୁ ସବୁ ପ୍ରକାର ପ୍ରସ୍ତୁତି କରିଛି । ସୂଚନା ଅନୁଚସାରେ, ଆକାଶରେ ଇନ୍ଧନ ଭର୍ତ୍ତି , ସନ୍ଧାନ ଓ ଉଦ୍ଧାରକାର୍ଯ୍ୟ, କ୍ଷେପଣାସ୍ତ୍ର ପ୍ରଣାଳୀର ପୁନଃ ଅବସ୍ଥାନ ସହ ଯୁଦ୍ଧାସ୍ତ୍ର ଏବଂ ଅନ୍ୟାନ୍ୟ ସାମରିକ ରଣନୀତିର ଫଟୋ ଭାଇରାଲ ହେଉଛି ।
📱 Get Argus News App
✨କିଛିଦିନ ପୂର୍ବରୁ ଇସ୍ରାଏଲ ଉପରେ ଇରାନ ଭୟଙ୍କର ଆକ୍ରମଣ କରିଥିଲା । କିଛି ମୁହୂର୍ତ୍ତରେ ୪୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା ଇରାନ । ଅବଶ୍ୟ ଆକାଶ ମାର୍ଗରେ ହିଁ ଅନେକ କ୍ଷେପଣାସ୍ତ୍ରକୁ ରୋକିଥିଲା ଇସ୍ରାଏଲ । ଏହି ଆକ୍ରମଣ ଇରାନ ଉପରେ ମହଙ୍ଗା ପଡ଼ିବ ବୋଲି ଆମେରିକା କହିବା ସହିତ ଇସ୍ରାଏଲକୁ ସମର୍ଥନ ଦେଇଥିଲା । ହେଲେ ଏବେ ଇସ୍ରାଏଲର ଗୁପ୍ତ ତଥ୍ୟ ଆମେରିକାରୁ ହିଁ କେମିତି ଲିକ୍ ହେଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଜର୍ମାନୀ ଗସ୍ତ ସମୟରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇରାନ ଉପରେ ଇସ୍ରାଏଲର ଆକ୍ରମଣ ପ୍ରସ୍ତୁତି ବିଷୟରେ ଆପଣ ଅବଗତ ଅଛନ୍ତି କି ବୋଲି ପଚରାଯିବାରୁ ସେ ‘ହଁ’ ବୋଲି ସଂକ୍ଷିପ୍ତ ଉତ୍ତର ଦେଇଥିଲେ ଏବଂ ବିସ୍ତୃତ ଭାବେ କହିବାକୁ ମନା କରିଦେଇଥିଲେ । ଏବେ ତଥ୍ୟ ଲିକ୍ ହେବା ପରେ ଆମେରିକା ତଦନ୍ତ ଆରମ୍ଭ କରିଛି । ଏବେ ଦେଖିବାକୁ ବାକି ରହିଲା ଇସ୍ରାଏଲର ଭୟଙ୍କର ଆକ୍ରମଣକୁ କେମିତି ପ୍ରତିହତ କରୁଛି ଇରାନ ।