ଟ୍ରମ୍ପ ଭାରତ ସମେତ ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ସ୍ଥଗିତ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବିଭିନ୍ନ ଦେଶ ଉପରେ ଲଗାଇଥିବା ପାଲଟା ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେ ଭାରତ ଉପରେ ୨୬ ପ୍ରତିଶତ ଶୁଳ୍କ ଲଗାଇଥିଲେ। ବୁଧବାରଠାରୁ ତାହା ଲାଗୁ ହେବାର ଥିଲ। ବିଶ୍ଵର ୭୫ରୁ ଅଧିକ ଦେଶ ଆମେରିକା ସହ ବାଣିଜ୍ୟ ଆଲୋଚନା କରିବାକୁ ଆଗ୍ରହ ଦେଖାଇଥିବାରୁ ପାଲଟା ଶୁଳ୍କକୁ କିଛି ଦିନ ପାଇଁ ଟାଳି ଦିଆଯାଇଛି । ତେବେ ଏହି ସମୟ ଭିତରେ ସର୍ବନିମ୍ନ ଶୁଳ୍କ ୧୦ ପ୍ରତିଶତ ରହିବା ତାହା ତତ୍କାଳ ଲାଗୁ କରାଯାଇଥିବା ଟ୍ରମ୍ପ କହିଛନ୍ତି। ତେବେ ଚୀନ୍ ଉପରେ ଆମେରିକା ଶୁଳ୍କକୁ ୧୨୫ ପ୍ରତିଶତକୁ ବୃଦ୍ଧି କରିଛି ।
ବିଶ୍ଵ ବଜାର ପ୍ରତି ଚୀନ୍ ସମ୍ମାନ ଦେଖାଉ ନ ଥିବା ଦର୍ଶାଇ ଆମେରିକା ଏହା ବିରୋଧରେ ଶୁଳ୍କ ଆହୁରି ବଢ଼ାଇ ଚୀନ୍ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛି। ନିଜ ସୋସିଆଲ୍ ମିଡିଆ ‘ଟ୍ରୁଥ୍’ ଜରିଆରେ ଟ୍ରମ୍ପ ଏହି ସୂଚନା ଦେଇଛନ୍ତି। ବୁଧବାର ଚୀନ୍ ଉପରେ ଆମେରିକା ଏହାର ଶୁଳ୍କକୁ ୧୦୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବା ପରେ ଆମେରିକା ଉପରେ ଚୀନ୍ ଶୁଳ୍କକୁ ୮୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଥିଲା। ଶେଷରେ ଚୀନ୍ ଉପରେ ଆମେରିକାର ଶୁଳ୍କ ୧୨୫ ପ୍ରତିଶତକୁ ବୃଦ୍ଧି କରାଯାଇଥିବାରୁ ଆଗାମୀ ଦିନରେ ଚୀନ୍ର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।