US Iran Conflict / ମାଦୁରୋଙ୍କ ପରେ US ଟାର୍ଗେଟରେ ଇରାନ ସୁପ୍ରିମ ଲିଡର

Key Points
ହୁତୁହୁତୁ ଜଳୁଛି ଇରାନ
ଟ୍ରମ୍ପଙ୍କ ସାମ୍ରାଜ୍ୟବାଦ ନୀତିକୁ ନେଇ ବିଶ୍ବରେ ଘମାସାନ
ମାଦୁରୋଙ୍କ ପରେ ୟୁଏସ ଟାର୍ଗେଟରେ ଇରାନ ସୁପ୍ରିମ ଲିଡର
ଭେନେଜୁଏଲା ପରେ କ୍ୟୁବାରେ ବି ଶାସନ ପରିବର୍ତ୍ତନର ସ୍ପଷ୍ଟ ସଂକେତ
ଟ୍ରମ୍ପଙ୍କ ଟାର୍ଗେଟରେ ଭେନେଜୁଏଲା, ଗ୍ରୀନଲ୍ୟାଣ୍ଡ ନା ତେହେରାନ ?
ହୁତୁହୁତୁ ଜଳୁଛି ଇରାନ । ଟ୍ରମ୍ପଙ୍କ ସାମ୍ରାଜ୍ୟବାଦ ନୀତିକୁ ନେଇ ବିଶ୍ଵରେ ଘମାସାନ । ମାଦୁରୋଙ୍କ ପରେ ୟୁଏସ ଟାର୍ଗେଟରେ ଇରାନ ସୁପ୍ରିମ ଲିଡର ଖାମେନେଇ । ଭେନେଜୁଏଲା ପରେ କ୍ୟୁବାରେ ବି ଶାସନ ପରିବର୍ତ୍ତନର ସ୍ପଷ୍ଟ ସଂକେତ । ଏବେ ଟ୍ରମ୍ପଙ୍କ ଟାର୍ଗେଟରେ ଗ୍ରୀନଲ୍ୟାଣ୍ଡ ଓ ତେହେରାନ ।
ଜଳୁଛି ଇରାନ... ରାଜରାସ୍ତାରେ ଉଗ୍ର ହେଉଛି ଉତ୍ୟକ୍ତ ଯୁବପିଢ଼ିଙ୍କ ଆକ୍ରୋଶ । ଏପଟେ ଇରାନୀ ଯୁବକଙ୍କୁ ପ୍ରଦର୍ଶନରେ ସାମିଲ ହେବାକୁ ଅପିଲ କରିଛନ୍ତି ନିର୍ବାସିତ କ୍ରାଉନ ପ୍ରିନ୍ସ ରଜା ପହଲବୀ । ଗତବର୍ଷ ଡିସେମ୍ବର ୨୮ରୁ ଆରମ୍ଭ ହଇଥିବା ହିଂସାତ୍ମକ ପ୍ରଦର୍ଶନରେ ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଅଧିକ ମୃତ୍ୟୁ ହୋଇଥିବାବେଳେ ପରିସ୍ଥିତିକୁ ନେଇ ନୂଆ ଚକ୍ରବ୍ୟୁହ ରଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ପରି ଇରାନ ସୁପ୍ରିମଲିଡର ଆୟାତୋଲା ଅଲି ଖାମେନେଇଙ୍କୁ ଉଠାଇ ନେବାକୁ ଯୋଜନା ପ୍ରସ୍ତୁତ ହୋଇସାରିଥିବା ବିଶ୍ଵବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଟ୍ରମ୍ପଙ୍କ ବୟାନରୁ ମଧ୍ୟ ଏହାର ସଂକେତ ମିଳିସାରିଛି । ଟ୍ରମ୍ପ ଗୋଟିଏ ପଟେ ନାଗରିକ ଅଧିକାର ନେଇ ଇରାନୀ ଯୁବକଙ୍କୁ ଉତ୍ତେଜିତ କରିବାସହ ନିଜ ଦୂତଙ୍କ ସହାୟତାରେ କ୍ରାଉନ ପ୍ରିନ୍ସଙ୍କ ସହ ବଢ଼ାଉଛନ୍ତି ସମ୍ପର୍କ ।
ଭେନେଜୁଏଲାରେ ମିଲିଟାରୀ ଷ୍ଟ୍ରାଇକ...ମାତ୍ର କିଛି ଦିନ ପରେ ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ କରିବାକୁ ପ୍ଲାନ । ପୁଣି ହଠାତ ଇରାନକୁ ମୁଖ୍ୟ ଟାର୍ଗେଟ୍ କାହିଁକି ବନାଇଲେ ଟ୍ରମ୍ପ ? ଏହି ପ୍ରଶ୍ନ ଟ୍ରମ୍ପଙ୍କ ବିସ୍ତାରବାଦୀ ଓ ସାମ୍ରାଜ୍ୟବାଦୀ ନୀତି ଉପରୁ ପରଦା ହଟାଇଛି । ନିଜକୁ ସୁପର ପାୱାର ପ୍ରମାଣିତ କରିବାକୁ ଟ୍ରମ୍ପ, ଆନ୍ତର୍ଜାତିକ ଆଇନର ଶକ୍ତ ଶିକୁଳିକୁ ମୁହୂର୍ତ୍ତକରେ ଛିଣ୍ଡାଇ ପାରନ୍ତି । ନିଜ ସ୍ବାର୍ଥ ପୂରଣ ପାଇଁ କୌଣସି ବି ରାଷ୍ଟ୍ରକୁ ଅଧିକାର କରିପାରନ୍ତି । ୟୁରୋପୀୟ ରାଷ୍ଟ୍ରକୁ ଖୋଲାଖୋଲି ଧମକ ଦେବାସହ ନାଟୋ ଓ ଜାତିସଂଘ ଆଇନକୁ ଉଲ୍ଲଂଘନ କରିଛନ୍ତି ଟ୍ରମ୍ପ । ଡେନମାର୍କ ଅଧିନସ୍ଥ ଗ୍ରୀନଲ୍ୟାଣ୍ଡରେ ଆମେରିକୀୟ ଏୟାର ବେସ୍ ପ୍ରତିଷ୍ଠା ସହ ୟୁରାନିୟମ ପରି ରେୟାର ମିନେରାନ୍ସ ହାତେଇବାକୁ ଆମେରିକା ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇସାରିଛି । ଏବେ ଟ୍ରମ୍ପଙ୍କ ବଡ଼ ଲକ୍ଷ୍ୟ ମଧ୍ୟରେ ରହିଛି -
1 ଇରାନର ଆଣବିକ ଶକ୍ତି କେନ୍ଦ୍ର ଓ ପରମାଣୁ ଅସ୍ତ୍ର ହାସଲ
2 ଚୀନ ଓ ରୁଷିଆକୁ ଚେକ୍ ଦେବାକୁ ଗ୍ରୀନଲ୍ୟାଣ୍ଡ ଉପରେ କବଜା
3 ଭେନଜୁଏଲାରେ ଶାସନ ତନ୍ତ୍ରକୁ ପରୋକ୍ଷରେ ନିୟନ୍ତ୍ରଣ
ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ବିଶ୍ବରେ ଶାନ୍ତି ପ୍ରତିଷ୍ଠା, ୮ରୁ ଅଧିକ ଯୁଦ୍ଧ ବନ୍ଦ କରିଥିବା ଦାବି କରୁଥିବା ଟ୍ରମ୍ପଙ୍କ ଅସଲ ଲକ୍ଷ୍ୟ ଆଉ ବିଶ୍ବବାସୀଙ୍କୁ ଅଛପା ନାହିଁ । ଭେନେଜୁଆଲା, ସିରିଆ, ଇରାନରେ ସାମରିକ ଅପରେସନ ଆମେରିକା ପାଇଁ ବିଲକୁଲ ଅପ୍ରତ୍ୟାଶିତ ନୁହେଁ ବରଂ ବିପୁଳ ତୈଳ ଭଣ୍ଡାର ଓ ପ୍ରାକୃତିକ ସମ୍ପଦ ଲୁଟିବା ପାଇଁ ବିଧିବଦ୍ଧ ଯୋଜନା । ଆଗାମୀ ଦିନରେ ମେକ୍ସିକୋ, କଲମ୍ବିଆ ସମେତ କ୍ୟୁବାରେ ମଧ୍ୟ ନିଜର ସପକ୍ଷବାଦୀ ଶକ୍ତିଙ୍କୁ ଶାସନ ଗାଦିରେ ବସାଇବାକୁ ଟ୍ରମ୍ପ ଯୋଜନା କରୁଥିବା ଚର୍ଚ୍ଚା ହେଉଛି ।
📱 Get Argus News App
✨Related Topics
Explore more stories