ସପରିବାର ଭାରତର ଐତିହ ସ୍ଥଳ ବୁଲିବେ ଜେଡି ଭାନ୍ସ

ଭାରତୀୟ ବଂଶୋଦ୍ଭବ ପତ୍ନୀ ଓ ତିନି ସନ୍ତାନଙ୍କ ସହ ଭାରତ ଆସୁଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ଆମେରିକା ଉପରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ସୋମବାରଠୁ ଭାନ୍ସଙ୍କ ୪ ଦିନିଆ ଭାରତ ଗସ୍ତ ନେଇ ଆମେରିକା ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଗସ୍ତକାଳରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଭାରତ-ଆମେରିକା ମଧ୍ୟରେ ସାମରିକ, ଅର୍ଥନୈତିକ ସହଭାଗିତା ସହ କୁଟନୈତିକ ସ୍ତରରେ ପାରସ୍ପରିକ ସହଯୋଗ ପ୍ରସଙ୍ଗରେ ମୋଦି-ଭାନ୍ସ ଙ୍କ ଆଲୋଚନାରେ ସ୍ଥାନ ପାଇପାରେ । ରାଷ୍ଟ୍ରପତିଙ୍କ ଭାରତ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ବୃଦ୍ଧି ପ୍ରସଙ୍ଗ ସହ ବିଶ୍ଵସ୍ତରରେ ଦେଖାଦେଉଥିବା ଭୂରାଜନୈତିକ ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।ପିଏମ ମୋଦିଙ୍କ ସହ ଭାନ୍ସ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିବା କାର୍ଯ୍ୟକ୍ରମ ରହିଛି ।
ପତ୍ନୀ ଉଷା ଭାନ୍ସ ଓ ତିନି ସନ୍ତାନ- ଇୱାନ, ବିବେକ ଏବଂ ଝିଅ ମୀରାବେଲଙ୍କ ସହ ଜେଡି ଭାନ୍ସ ଦିଲ୍ଲୀ, ଜୟପୁର ଏବଂ ଆଗ୍ରା ସହିତ ବିଭିନ୍ନ ଐତିହ୍ୟ ସ୍ଥଳ ପରିଦର୍ଶନ କରିବେ । ଗସ୍ତକାଳରେ ଉଷା ଭାନ୍ସ ନିଜ ପୈତୃକ ଗାଁ ଆନ୍ଧ୍ର ପ୍ରଦେଶର ବେଦଲୁରୁ ଗସ୍ତ କରିପାରନ୍ତି । ସେକେଣ୍ଡ ଲେଡି ଉଷା ଭାନ୍ସ ୨୦୧୪ରେ ଜେଡି ଭାନ୍ସଙ୍କୁ ଭାରତୀୟ ରୀତିନୀତିରେ ବିବାହ କରି ହିନ୍ଦୁ ଜୀବନଶୈଳୀକୁ ଆପଣାଇଥିଲେ । ଦୁଇ ପୁଅ ଓ ଗୋଟିଏ ଝିଅଙ୍କୁ ନେଇ ଉଷା ଭାନ୍ସଙ୍କ ଭାରତ ଗସ୍ତକୁ ନେଇ ପୈତୃକ ଗାଁରେ ଖେଳିଯାଇଛି ଖୁସିର ଲହରୀ । ଜେଡି ଭାନ୍ସ ଆମେରିକା ଉପରାଷ୍ଟ୍ରପତି ନିର୍ବାଚିତ ହେବାପରେ ଉଷାଙ୍କ ଗାଁଲୋକେ ବାଣ ଫୁଟାଇ ଖୁସି ମନାଇ ଥିଲେ । ଜେଡି ଭାନ୍ସଙ୍କୁ ଆଶୀର୍ବାଦ ଦେଇଥିଲେ ଉଷାଙ୍କ ଜେଜେ ମାଆ ।
📱 Get Argus News App
✨ଆମେରିକା ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ଭାରତୀୟ ସୁରକ୍ଷା ଏଜେନ୍ସି ସହ ଆମେରିକୀୟ ଦୂତାବାସ ଓ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଓ୍ଵାରକୁ ନେଇ ସାରା ବିଶ୍ଵ ଚିନ୍ତାରେ ରହିଥିବାବେଳେ ଉପରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଓ ମୋଦିଙ୍କ ସହ ଆଲୋଚନା ଉପରେ ବିଶ୍ବବାସୀଙ୍କ ନଜର ରହିଛି ।
