Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପାକିସ୍ତାନରେ ହିନ୍ଦୁ-ଶିଖ୍‌ଙ୍କ ଉପରେ ହେଉଛି ଅତ୍ୟାଚାର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପାକିସ୍ତାନରେ ହିନ୍ଦୁ-ଶିଖ୍‌ଙ୍କ ଉପରେ ହେଉଛି ଅତ୍ୟାଚାର !

ପାକିସ୍ତାନ ଉପରେ ନଜର ରଖିଛି ଭାରତ । କ'ଣ କରୁଛି କ'ଣ ନାଇଁ ଟିକିନିଖି ଦେଖୁଛି ଭାରତ । ଆଜ୍ଞା ହଁ, ବିଭିନ୍ନ ଧର୍ମର ଲୋକଙ୍କୁ ନେଇ ପାକିସ୍ତାନ ପକ୍ଷରୁ କାରାଯାଉଥିବା ପାତରଅନ୍ତର ଉପରେ ଭାରତ ପକ୍ଷରୁ କଡ଼ା ନଜର ରଖାଯାଇଛି । ପାକିସ୍ତାନରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହେଉଥିବା ଅପରାଧ ଏବଂ ଅତ୍ୟାଚାର ଉପରେ ଭାରତର କଡ଼ା ନଜର ରହିଛି । ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ବହୁତ ନିକଟରୁ ଭାରତ ସରକାରଙ୍କ ତରଫରୁ ଟ୍ରାକ୍ କରାଯାଉଛି । ଆଜି ପାକିସ୍ତାନରେ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ସମ୍ପର୍କିତ ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ।

ସେ କହିଛନ୍ତି ଆମେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ବ୍ୟବହାରକୁ ବହୁତ ନିକଟରୁ ଅନୁସରଣ କରୁଛୁ । ଫେବୃଆରୀ ୨୦୨୫ ରେ, ହିନ୍ଦୁ ସମ୍ପ୍ରଦାୟ ବିରୁଦ୍ଧରେ ୧୦ଟି ଅତ୍ୟାଚାର ଏବଂ ଶିଖ ସମ୍ପ୍ରଦାୟ ସହିତ ଜଡିତ ତିନୋଟି ଘଟଣା ଘଟିଥିଲା। ଅହମ୍ମଦିଆ ସମ୍ପ୍ରଦାୟ ସହିତ ଜଡିତ ଦୁଇଟି ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସହିତ ଜଡିତ ଗୋଟିଏ ମାମଲା ଥିଲା। ଏହି ମାମଲାଗୁଡ଼ିକୁ ଅନ୍ତର୍ଜାତୀୟ ସ୍ତରରେ ଭାରତ ତରଫରୁ ଜାତିସଂଘରେ ଆଲୋଚନା କରାଯିବ ।


ପାକିସ୍ତାନ ଏପରି ଏକ ଦେଶ ଯେଉଁଠାରେ ମାନବାଧିକାର ଉଲ୍ଲଂଘନ, ସଂଖ୍ୟାଲଘୁଙ୍କ ପ୍ରତି ନିର୍ଯାତନା ଜାରି ରହିଛି ଏବଂ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ତରଫରୁ ଅପିଲ କରାଯିବ ବୋଲି ଆଜି ଲୋକସଭାରେ ବିବୃତ୍ତି ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର।

ଅନ୍ୟପଟେ ହିନ୍ଦୁଙ୍କ ପ୍ରତି ହିଂସା ବଢ଼ିବାକୁ ନେଇ ବାଂଲାଦେଶ ସହ ଭାରତର ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀର ପ୍ରତିଶ୍ରୁତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋହରାଇଛନ୍ତି। ବାଂଲାଦେଶ ସ୍ବାଧୀନତା ଦିବସ ଅବସରରେ ମୋଦି ଏହାର ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍‌ଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ବାଂଲାଦେଶର ଜାତୀୟ ଦିବସ ଆମ ମିଳିତ ଇତିହାସ ଏବଂ ବଳିଦାନର ପ୍ରତୀକ, ଯାହା ଆମ ସ୍ଥାୟୀ ଦ୍ୱିପାକ୍ଷିକ ସମ୍ପର୍କର ମୂଳଦୁଆ ପକାଇଥିଲା। ବାଂଲାଦେଶ ମୁକ୍ତି ଯୁଦ୍ଧର ଭାବନା ବିଭିନ୍ନ କ୍ଷେତ୍ରରେ ଆମ ସମ୍ପର୍କକୁ ପ୍ରେରଣା ଏବଂ ମାର୍ଗଦର୍ଶନ ଦେଇଚାଲିଛି ଓ ଉଭୟ ଦେଶର ଲୋକଙ୍କ ପାଇଁ ବାସ୍ତବରେ ଲାଭଦାୟକ ହୋଇଛି । ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ଦିଗରେ ଏହି ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଆମେ ସଂକଳ୍ପବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
‘We follow very closely’: Jaishankar calls out Pakistan for minority atrocities | Argus News