ବିଶ୍ୱର ପ୍ରଥମ AI ମନ୍ତ୍ରୀ; ଦେଶକୁ କରିବ ଦୁର୍ନୀତି ମୁକ୍ତ

Key Points
ରାଜନୀତି କରିବ AI
ନିଯୁକ୍ତ ହେଲା ବିଶ୍ୱର ପ୍ରଥମ AI ମନ୍ତ୍ରୀ
ଦେଶକୁ କରିବ ଦୁର୍ନୀତି ମୁକ୍ତ
ଯେଉଁ ଏଆଇକୁ ମଣିଷ ବନେଇଛି ସେହି ଏଆଇ ଏବେ ମଣିଷ ଉପରେ ଭାରି ପଡିଲାଣି । କେଉଁଠି ଏଆଇ ଚାକିରି ନେଉଛି ତ କେଉଁଠି ଏଆଇ ପାଇଁ ମଣିଷର ଭବିଷ୍ୟତ ପ୍ରଶ୍ନ ଘେରରେ । ଏବେ ସେମିତି ଏକ ଘଟଣା ସାମନାକୁ ଆସିଛି । ଏଆଇ ଏତେ ମାତ୍ରାରେ ସାହାଯ୍ୟ କରୁଛି ଯେ, ଆପଣ ଶୁଣିଥିବେ କେହି କେହି ଏଆଇ ଚାଟବଟ୍ କୁ ନିଜ ସାଙ୍ଗ ଭାବି ନେଇଛନ୍ତି । ହେଲେ AI ଏବେ ଜଣେ ମନ୍ତ୍ରୀଙ୍କ ସ୍ଥାନ ନେଇଛି । ଏହା ଟିକେ ଅଦ୍ଭୁତ ଲାଗୁଛି, କିନ୍ତୁ ଆଲବାନିଆ ନାମକ ଏକ ଛୋଟ ଦେଶ ବିଶ୍ୱରେ ଏହି ଅନନ୍ୟ ପଦକ୍ଷେପ ନେଇଛି । ଏଠାକାର ସରକାର ଜଣେ ନୂତନ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛନ୍ତି, ଯାହାଙ୍କ ନାମ 'ଡାଏଲା'। ବିଶେଷ କଥା ହେଉଛି ଡାଏଲା ଜଣେ ମଣିଷ ନୁହଁନ୍ତି, ବରଂ AI ରେ ତିଆରି ଏକ ଭର୍ଚୁଆଲ୍ ବଟ୍ । ଏହାର କାମ ହେଉଛି ସରକାରୀ ପବ୍ଲିକ୍ ଟେଣ୍ଡର୍ ଗୁଡିକୁ ପରିଚାଳନା କରିବା । ମୂଳ ଉଦ୍ଦେଶ୍ୟ ଦୁର୍ନୀତି ଏବଂ ଲାଞ୍ଚ ହ୍ରାସ କରିବା ।
ଆଲବାନିଆ ପ୍ରଧାନମନ୍ତ୍ରୀ ଏଡି ରାମା ତାଙ୍କର ନୂତନ କ୍ୟାବିନେଟ ଘୋଷଣା କରିବା ସମୟରେ ଡାଏଲାଙ୍କୁ ପରିଚିତ କରାଇଥିଲେ, ଯାହାଙ୍କ ନାମ ଆଲବାନିଆ ଭାଷାରେ 'ସୂର୍ଯ୍ୟ'ର ପ୍ରତୀକ । ରାମା କହିଥିଲେ ଯେ ଡାଏଲାଙ୍କ କାମ ହେଉଛି ସରକାରୀ ଟେଣ୍ଡର ପରିଚାଳନା କରିବା ଏବଂ ଏହା ଘରୋଇ କମ୍ପାନୀଗୁଡ଼ିକୁ ପ୍ରକଳ୍ପ ଦେବା ପାଇଁ ନିଷ୍ପତ୍ତି ନେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଡାଏଲାକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ସେ ଲାଞ୍ଚ, ଧମକ କିମ୍ବା କୌଣସି ପ୍ରକାରର ପକ୍ଷପାତିତା ଦ୍ୱାରା ପ୍ରଭାବିତ ହେବେ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଦାବି ଯେ ଆଲବାନିଆରେ ସରକାରୀ ଟେଣ୍ଡର ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ ହୋଇଯିବ।
📱 Get Argus News App
✨ଆଲବାନିଆ ଦୀର୍ଘ ସମୟ ଧରି ଦୁର୍ନୀତି ସମସ୍ୟା ସହିତ ସଂଘର୍ଷ କରିଆସୁଛି । ବିଶେଷକରି ସରକାରୀ ଟେଣ୍ଡରରେ ଅନିୟମିତତା ଏବଂ ଲାଞ୍ଚ କାରବାରର ରିପୋର୍ଟ ଆସୁଛି । କେବଳ ଏତିକି ନୁହେଁ, ଆଲବାନିଆରେ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଥିବା ଦଳ ସକ୍ରିୟ ଅଛନ୍ତି, ଯେଉଁମାନେ ସେମାନଙ୍କର କଳାଧନକୁ ଆଇନଗତ କରିବା ପାଇଁ ସରକାରୀ ବ୍ୟବସ୍ଥାରେ ପ୍ରବେଶ କରୁଛନ୍ତି । ଏହି ଦୁର୍ନୀତି ଯୋଗୁଁ, ଆଲବାନିଆ ୟୁରୋପୀୟ ସଂଘ (EU) ରେ ଯୋଗଦେବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛି । ପ୍ରଧାନମନ୍ତ୍ରୀ ରାମାଙ୍କ ଲକ୍ଷ୍ୟ ହେଉଛି 2030 ସୁଦ୍ଧା ଆଲବାନିଆକୁ EUର ଏକ ଅଂଶ କରିବା, କିନ୍ତୁ ବିଶେଷଜ୍ଞମାନେ ଏହାକୁ ବହୁତ କଷ୍ଟକର ବୋଲି ଭାବୁଛନ୍ତି । ଏହି ସ୍ୱପ୍ନ ପୂରଣ କରିବା ପାଇଁ ଡାଏଲାଙ୍କୁ ମନ୍ତ୍ରୀ କରାଯାଇଛି ।
ଡାଏଲା ଆଲବାନିଆରେ ଜଣେ ନୂଆ ମୁହଁ ନୁହଁନ୍ତି । ଏହି ବର୍ଷ ଆରମ୍ଭରେ ତାଙ୍କୁ ଇ-ଆଲବାନିଆ ପ୍ଲାଟଫର୍ମରେ ଏକ ଭର୍ଚୁଆଲ୍ ସହାୟକ ଭାବରେ ଲଞ୍ଚ କରାଯାଇଥିଲା । ଯିଏ ବ୍ୟବସାୟୀମାନଙ୍କୁ ସରକାରୀ ଡକ୍ୟୁମେଣ୍ଟ ପାଇବାରେ ସାହାଯ୍ୟ କରୁଥିଲା । ଡାଏଲା ପାରମ୍ପରିକ ଆଲବାନିଆ ପୋଷାକ ପରିଧାନ କରିବା ସହ ସ୍ୱର ମାଧ୍ୟମରେ ନିର୍ଦ୍ଦେଶ ଗ୍ରହଣ କରିବ ।
ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଏହା ହ୍ୟାକ୍ ହୁଏ ତେବେ କଣ ହେବ?
ଯଦି କେହି ଏହି AI ବଟ୍ କୁ ଭୁଲ ଉପାୟରେ ହ୍ୟାକ୍ କରିବାକୁ କିମ୍ବା ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି ତେବେ ଏହା କିପରି ମୁକାବିଲା କରାଯିବ । ଏହି ପରିସ୍ଥିତିକୁ କିପରି ଏଡାଇଦିଆଯିବ ସେ ବିଷୟରେ କିଛି ତଥ୍ୟ ମିଳିପାରିନାହିଁ । ଏଠି କେବଳ ଗୋଟେ କଥା କୁହାଯାଇପାରେ ଯେ, ପ୍ରଯୁକ୍ତିବିଦ୍ୟା ଯେତେ ଉନ୍ନତ ହେଉ ନା କାହିଁକି ଏହା ସେତେ ବିପଦପୂର୍ଣ୍ଣ ହୋଇପାରେ ।