ଲୋକଙ୍କ ଠାରୁ ନିଅନ୍ତିନି ଟଙ୍କାଟିଏ ଟିକସ, ତଥାପି ଏ ସବୁ ଦେଶ ଧନୀ

ଅର୍ଗସ ବ୍ୟୁରୋ: ସରକାର ବା ଦେଶ ଚଳାଇବା ଲାଗି ଟଙ୍କାର ଆବଶ୍ୟକତା ହୁଏ । ଆଉ ସରକାରଙ୍କ ଲାଗି ପାଣ୍ଠିର ମୂଳ ଉତ୍ସ ହେଉଛି ଟିକସ । ଭାରତରେ ଲୋକଙ୍କ ଆୟ ଅନୁସାରେ ସରକାର ଟିକସ ଲଗାଇ ଥାଆନ୍ତି । ଅର୍ଥାତ୍ ଯେଉଁ ଲୋକଙ୍କ ଆୟ କମ ସେ କମ ଟିକସ ଦିଅନ୍ତି । ଆୟ ଅଧିକ ଥିଲେ ଟିକସ ବି ଅଧିକ ଦେବାକୁ ପଡ଼େ ।
କିନ୍ତୁ ଆପଣ କ'ଣ ଜାଣନ୍ତି ଦୁନିଆରେ ଏଭଳି କେତକ ଦେଶ ଅଛନ୍ତି, ଯେଉଁଠି ଭାରତ ଠାରୁ ଅଧିକ ଆୟକର ନିଆ ଯାଏ । ସେହିଭଳି ଅନେକ ଦେଶ ଅଛନ୍ତି ଯେଉଁଠି ଲୋକଙ୍କ ଠାରୁ ଟିକସ ବାବଦକୁ ଟଙ୍କାଟିଏ ବି ନିଆଯାଏ ନାହିଁ । ତେବେ, ସରକାର ଟଙ୍କାଟିଏ ବି ଟିକସ ନ ନେଇ କେମିତି ଦେଶ ଚଳାନ୍ତି ? ସେ ସବୁ ଦେଶର ଅର୍ଥନୀତି କେତେ ଶକ୍ତ ? ଆସନ୍ତୁ ନଜର ପକାଇବା ଦୁନିଆର ପ୍ରତ୍ୟକ୍ଷ ଟିକସ ମୁକ୍ତ ଅର୍ଥନୀତି ଦେଶ ଉପରେ...
ୟୁଏଇ
ଏହି ତାଲିକାରେ ପ୍ରଥମେ ଆସେ ୟୁଏଇ । ଦେଶର ନାଗରିକଙ୍କୁ କୌଣସି ପ୍ରକାର ବ୍ୟକ୍ତିଗତ ଟିକସ ଦେବାକୁ ପଡ଼େନି । ସରକାର ଅପ୍ରତ୍ୟକ୍ଷ କର ଏବଂ ଭାଟ୍ ଭଳି ଅନ୍ୟ ଶୁଳ୍କ ଉପରେ ନିର୍ଭର କରି ଥାଆନ୍ତି । ୟୁଏଇ ଅର୍ଥନୀତି ତେଲ ଓ ପର୍ଯ୍ୟଟନ ପାଇଁ ବେଶ ମଜଭୁତ । ଏଥିପାଇଁ ଏଠାକାର ଲୋକଙ୍କୁ ଆୟକରରୁ ଆଶ୍ଵସ୍ତି ମିଳେ ।
ବହରିନ୍
ଟିକସ ମୁକ୍ତ ତାଲିକାରେ ବହରିନ୍ ବି ରହିଛି । ଏହି ଦେଶର ନାଗରିକଙ୍କୁ କୌଣସି ଟିକସ ଦେବାକୁ ପଡ଼େନି । ଏଠାକାର ସରକାର ବି ଦୁବାଇ ଭଳି ଅପ୍ରତ୍ୟକ୍ଷ କର ଅନ୍ୟ ଶୁଳ୍କ ଉପରେ ନିର୍ଭରଶୀଳ । କୁହାଯାଏ ଏହି ତରିକା ଦେଶର କ୍ଷୁଦ୍ର ବ୍ୟବସାୟୀ ଓ ଷ୍ଟାର୍ଟଅପ୍ ଲାଗି ବେଶ ଲାଭଦାୟୀ । ଏହାଦ୍ଵାରା ଅର୍ଥନୀତି ବି ଶକ୍ତ ହୁଏ ।
କୁଏତ
କୁଏତରେ ବି ବ୍ୟକ୍ତିଗତ ଆୟକର ନାହିଁ । ଏହି ଦେଶ ସମ୍ପୂର୍ଣ୍ଣ ଭାବେ ତୈଳ ଉପରେ ନିର୍ଭରଶୀଳ । ଲୋକଙ୍କ ଠାରୁ ଟଙ୍କାଟିଏ କର ନ ନେଇ ସରକାର ଚାଲେ । ଏହାର କାରଣ, କୁଏତ ଅର୍ଥନୀତିର ସିଂହଭାଗ ତେଲ ରପ୍ତାନୀରୁ ମିଳିଥାଏ । ଫଳରେ ସରକାର ପ୍ରତ୍ୟକ୍ଷ କର ନିଅନ୍ତି ନାହିଁ । ଟିକସ ମୁକ୍ତ ଦେଶ ହୋଇଥିବା ସତ୍ତ୍ଵେ କୁଏତ ଏକ ସମୃଦ୍ଧ ଅର୍ଥ ବ୍ୟବସ୍ଥା ରାଷ୍ଟ୍ର ଭାବେ ଉଭା ହୋଇଛି ।
ସାଉଦି ଅରବ
ନାଗରିକଙ୍କ ଠାରୁ ଟିକସ ନେଉ ନଥିବା ଅନ୍ୟତମ ଦେଶ ହେଉଛି ସାଉଦି ଅରବ । ଏଠାରେ ବି ଲୋକ ସେମାନଙ୍କ ଆୟ ଉପରେ କୌଣସି କର ଦିଅନ୍ତି ନାହିଁ । ତେବେ ଏଠାରେ ଅପ୍ରତ୍ୟକ୍ଷ କର ବ୍ୟବସ୍ଥା ପ୍ରଚଳିତ । ଏହି ଅପ୍ରତ୍ୟକ୍ଷ କରରୁ ଦେଶର ଅର୍ଥନୀତି ସଶକ୍ତ । ଏବଂ ସାଉଦି ଅରବର ଗଣତି ସମୃଦ୍ଧଶାଳୀ ଅର୍ଥ ବ୍ୟବସ୍ଥା ରାଷ୍ଟ୍ର ସହ ହୁଏ ।
📱 Get Argus News App
✨ଦ ବାହମାସ
ପର୍ଯ୍ୟଟକଙ୍କ ଲାଗି ସ୍ଵର୍ଗ କୁହା ଯାଉଥିବା ଦ୍ଵୀପ ଦେଶ ହେଉଛି ଦ ବାହମାସ । ଏଠାରେ ରହୁଥିବା ଲୋକଙ୍କୁ ଟିକସ ଦେବାକୁ ପଡ଼େନି । ବାହରିନ, କୁଏତ ସହ ମଧ୍ୟପ୍ରାଚ୍ୟର ଓମାନ ବି ଏଥିରେ ସାମିଲ୍ । ଓମାନ ନାଗରିକ ଟିକସ ମୁକ୍ତ । ଓମାନର ଅର୍ଥନୀତି ତୈଳ ଓ ଗ୍ୟାସକୁ ନେଇ ବେଶ ମଜଭୁତ । ସେହିଭଳି କତାର ଏକ ଛୋଟ ଦେଶ ହୋଇଥିଲେ ବି ଏଠାକାର ଲୋକ ବେଶ ଧନୀ । ଏଠାରେ ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼େନି ।
ଏବେ ଆସନ୍ତୁ ନଜର ପକାଇବା କେଉଁ ଦେଶ ଆଦାୟ କରନ୍ତି ସବୁଠୁ ଅଧିକ ଆୟକର ?
ଫିନଲାଣ୍ଡ
ଫିନଲାଣ୍ଡ ସରକାର ୫୭.୩ ପ୍ରତିଶତ ଟିକସ ଆଦାୟ କରନ୍ତି । ଏହାଦ୍ଵାରା ସେଠାକାର ନାଗରିକଙ୍କୁ ଉଚ୍ଚମାନର ଜୀବନ ଧାରଣ ସୁଯୋଗ ମିଳେ । ଏହାଦ୍ଵାରା ଦେଶର ଗରିବ, ଧନୀ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ମିଳେ । ଏହାଛଡ଼ା ଫିନଲାଣ୍ଡ ସରକାର ସେଠାକାର ନାଗରିକଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଦିଅନ୍ତି । ଏହି ଭତ୍ତା ୧୬ ବର୍ଷରୁ ଅଧିକ ସମସ୍ତଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ମିଳେ । ଏହାଛଡ଼ା ସରକାର ସମସ୍ତଙ୍କୁ ସ୍ଵାସ୍ଥବୀମା ଦିଅନ୍ତି । ଲୋକଙ୍କୁ ବେରୋଜଗାର ବୀମା ମିଳିଥାଏ । ରୋଜଗାର ହରାଇଲେ ମିଳେ ଏହାର ଫାଇଦା ।
ଜାପାନ
ବିଶ୍ଵରେ ଅଧିକ ଆୟକର ଆଦାୟ କରୁଥିବା ଅନ୍ୟତମ ଦେଶ ହେଉଛି ଜାପାନ । ଏଠାରେ ଲୋକଙ୍କୁ ୫୫.୯ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଆକାରରେ ଦେବାକୁ ପଡ଼େ । ଏଠି ଭାରତ ଭଳି ଅଧିକ ଆୟ କରୁଥିବା ଲୋକେ ଅଧିକ ଟିକସ ଦେଇଥାଆନ୍ତି । କିନ୍ତୁ ଏହା ଭାରତ ତୁଳନାରେ ବେଶ୍ ଅଧିକ ।
ଡେନମାର୍କ
ଜାପାନ ଭଳି ଡେନମାର୍କ ବି ଉଚ୍ଚ ଟିକସ ଆଦାୟ କରେ । ଆପଣଙ୍କ ଆୟ ଯେତେ ଅଧିକ ଆପଣଙ୍କୁ ସେତେ ଅଧିକ ଆୟକର ଦେବାକୁ ପଡ଼ି ଥାଏ । ଏଠାରେ ବ୍ୟକ୍ତିଗତ ଆୟକର ୫୫.୯ ପ୍ରତିଶତ ଅଟେ ।
ଅଷ୍ଟ୍ରିଆ
ଉଚ୍ଚ ଆୟକର ଆଦାୟ କରୁଥିବା ଅନ୍ୟତମ ଦେଶ ଅଷ୍ଟିଆ । ଏଠାରେ ଆୟ ଉପରେ ୫୫ ପ୍ରତିଶତ ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼େ । ଯାହା ସ୍ଵାସ୍ଥ୍ୟ ସେବା, ଶିକ୍ଷା, ସାମାଜିକ ସୁରକ୍ଷା ଓ ବିକାଶମୂଳକ କାର୍ଯ୍ୟ ସହ ଅନ୍ୟ ସାର୍ବଜନୀନ ସେବାରେ ଲାଗେ ।