Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିବାହ ପାଇଁ କାହିଁକି ଅମଙ୍ଗ ଚୀନର ଯୁବପିଢ଼ି ? ସରକାର ଆଣିଲେ ନୂଆ ନିୟମ...

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବିବାହ ପାଇଁ କାହିଁକି ଅମଙ୍ଗ ଚୀନର ଯୁବପିଢ଼ି ? ସରକାର ଆଣିଲେ ନୂଆ ନିୟମ...

Key Points

ଦେଶର ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ବେଶ୍ ବଢ଼ି ଯାଇଥିବା ବେଳେ ବିବାହ କରିବାକୁ ଅମଙ୍ଗ ଯୁବବର୍ଗ । ଯାହାକୁ ନେଇ ଭବିଷ୍ୟତରେ ଗମ୍ଭୀର ସଂକଟ ଆସିବା ଆଶଙ୍କା କରାଯାଉଛି ।

ଅର୍ଗସ ବ୍ୟୁରୋ: ଦୁନିଆର ଦ୍ଵିତୀୟ ବୃହତ ଅର୍ଥବ୍ୟବସ୍ଥା ଚୀନ ଏବେ ଚିନ୍ତାରେ । ବୟସ୍କଙ୍କ ସଂଖ୍ୟା ବଢ଼ିବା, ଦେଶର ଯୁବପିଢ଼ି ବିବାହ ନ କରିବା ଏବଂ ଜନ୍ମହାର ହ୍ରାସ ପାଇବା ଚୀନର ଭବିଷ୍ୟତକୁ ଆଶଙ୍କା ଆଡ଼କୁ ଠେଲି ନେଉଛି । ଏକଦା ଏକକ ସନ୍ତାନ ନୀତିକୁ ପ୍ରୋତ୍ସାହନ ଦେଉଥିବା ଚୀନ ଏବେ ନୀତି ବଦଳାଇଛି । ଜନସଂଖ୍ୟା ବଢ଼ାଇବା ଲାଗି ବିବାହ ନ କରି ବି ଚୀନର ଯୁବପିଢ଼ି ସନ୍ତାନ ଜନ୍ମ କରି ପାରିବେ । ଏନେଇ ଚୀନର ଏକାଧିକ ରାଜ୍ୟରେ ନିୟମରେ ଆସିଛି ପରିବର୍ତ୍ତନ ।


ଚୀନରେ କମୁଛି ବିବାହ ସଂଖ୍ୟା । ଗୋଟିଏ ପଟେ ଦେଶର ଜନସଂଖ୍ୟାରେ ବୟସ୍କଙ୍କ ସଂଖ୍ୟା ବେଶ୍ ବଢ଼ି ଯାଇଥିବା ବେଳେ ବିବାହ କରିବାକୁ ଅମଙ୍ଗ ଯୁବବର୍ଗ । ଯାହାକୁ ନେଇ ଭବିଷ୍ୟତରେ ଗମ୍ଭୀର ସଂକଟ ଆସିବା ଆଶଙ୍କା କରାଯାଉଛି । ଚୀନ ସରକାର ଚାହୁଁଛନ୍ତି, ଯୁବଗୋଷ୍ଠୀ ସମୟରେ ବିବାହ କରିବା ସହ ସନ୍ତାନ ଜନ୍ମ ଦିଅନ୍ତୁ । କିନ୍ତୁ ସରକାରଙ୍କ ଏହି ପ୍ରୟାସ ଅସଫଳ ହେଉଛି । ଯାହା କି ଦୁନିଆର ଦ୍ଵିତୀୟ ବଡ଼ ଅର୍ଥବ୍ୟବସ୍ଥାକୁ ବ୍ୟତିବ୍ୟସ୍ତ କରୁଛି ।


୨୦୨୪ରେ ଚୀନରେ ୬୧ ଲକ୍ଷ ବିବାହ ପଞ୍ଜିକରଣ ହୋଇଛି । ଯେତେବେଳେ କି ୨୦୨୩ରେ ୭୭ ଲକ୍ଷ ବିବାହ କରିଥିଲେ । ୧୯୮୬ରେ ଚୀନରେ ଆରମ୍ଭ ହୋଇଥିଲା ସାର୍ବଜନୀନ ବିବାହ ପଞ୍ଜିକରଣ । ତଥ୍ୟ କହୁଛି, ସେବେଠାରୁ ୨୦୨୪ରେ ସବୁଠୁ କମ୍ ବିବାହ ହୋଇଛି । ଏହା ଛଡ଼ା ୨୦୧୩ ତୁଳନାରେ ୨୦୨୪ରେ ବିବାହ ପଞ୍ଜିକରଣ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚୀନରେ ଜନ୍ମହାର ହ୍ରାସ ପାଉଥିବା ବେଳେ ଆଶା ହେଉଛି ଅଧିକ ବିବାହ ଓ ଅଧିକ ଛୁଆ ଜନ୍ମ । ଏଥିପାଇଁ ସରକାର ମଧ୍ୟ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରୁଛନ୍ତି । କିନ୍ତୁ ବିଗତ କିଛି ବର୍ଷ ଏକକ ସନ୍ତାନ ନୀତିକୁ ଆପଣାଇଥିବା ଚୀନ ଏବେ ଜନସଂଖ୍ୟା ଆଦୌ ବଢ଼ାଇ ପାରୁ ନାହିଁ । ଆଉ ଛୁଆ ଜନ୍ମ ପାଇଁ ଚୀନରେ ମାତାପିତାଙ୍କ ବିବାହ ପଞ୍ଜିକରଣ ବାଧ୍ୟତାମୂଳକ ।


ଏବେ ଏହି ଜଟିଳ ପ୍ରକ୍ରିୟାର ଅନ୍ତ ଘଟାଇବାକୁ ଯାଉଛନ୍ତି ଚୀନ ସରକାର । ଏକାଧିକ ରାଜ୍ୟରେ ବିବାହ ପଞ୍ଜିକରଣ ନିୟମକୁ ହଟାଇ ଦିଆ ଯାଇଛି । ଏପରିକି ବିବାହ କରି ନଥିଲେ ମଧ୍ୟ ସନ୍ତାନ ଜନ୍ମ କରିବାକୁ ଅନୁମତି ଦିଆ ଯାଇଛି । ଏଥିସହ ସିଙ୍ଗଲ୍ ପ୍ୟାରେଣ୍ଟସ୍ ମଧ୍ୟ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ ।


ତେବେ ଚୀନର ଯୁବବର୍ଗ ବିବାହ ନ କରିବାର କାରଣ ଦରଦାମ ବୃଦ୍ଧି । ଏହାଛଡ଼ା ପାରମ୍ପରିକ ବିବାହ ପାଇଁ ଯୁବପିଢ଼ି ବି ଅମଙ୍ଗ । ନୂଆ ବିବାହ ହ୍ରାସ ପାଉଥିବା ବେଳେ ପୁରୁଣା ଦାମ୍ପତ୍ୟ ଜୀବନ ବି ତୁଟିବାରେ ଲାଗିଛି । ଯାହା କି ଚୀନ ଲାଗି ଆଉ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Sponsored
Youth Of China Are Not Ready To Marriage | Argus News