ୟୁକ୍ରେନ୍-ଋଷ ଯୁଦ୍ଧ ଭିତରେ ବଡ଼ ଅଭିଯୋଗ ଆଣିଲେ ଜେଲେନସ୍କି...

ଯୁଦ୍ଧକୁ ନେଇ ଜେଲେନସ୍କି ଆଣିଲେ ବଡ଼ ଅଭିଯୋଗ । ଋଷ ନୁହେଁ ୟୁକ୍ରେନ୍ରେ ଲଢ଼ୁଛି ଚୀନ୍ । ୟୁକ୍ରେନ୍ର ଗୁଇନ୍ଦା ସଂସ୍ଥା ୧୫୫ ଜଣ ଚୀନ ନାଗରିକଙ୍କୁ ଚିହ୍ନଟ କରିଛି । ଯେଉଁମାନେ କି ଋଷ ତରଫରୁ ଯୁଦ୍ଧ ଲଢ଼ୁଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତୁ, ଏ ସଂଖ୍ୟା ଆହୁରି ଅଧିକ ହୋଇପାରେ । ଚିହ୍ନଟ କରାଯାଇଥିବା ସମସ୍ତଙ୍କ ତଥ୍ୟ ଓ ପାସପୋର୍ଟ ତାଙ୍କ ପାଖେ ଥିବା କହିଛନ୍ତି ଜେଲେନସ୍କି ।
ସେ କହିଛନ୍ତି, ସୋସିଆଲ୍ ମିଡିଆ ଜରିଆରେ ଚୀନ ନାଗରିକଙ୍କୁ ଭର୍ତ୍ତି କରୁଛି ଋଷ । ଆଉ ଏ କଥା ଚୀନ ଭଲ ଭାବେ ଅବଗତ ଅଛି । ତେବେ ଋଷ ସେନାରେ ଚୀନ ନାଗରିକଙ୍କୁ ଭର୍ତ୍ତି ନେଇ ବେଜିଂ ତରଫରୁ କୌଣସି ନିର୍ଦ୍ଦେଶ ରହିଛି କି ନାହିଁ ତାର ଯାଞ୍ଚ ୟୁକ୍ରେନ୍ କରୁଥିବା କହିଛି ।
ଏହା ପୂର୍ବରୁ ମଙ୍ଗଳବାର ଜେଲେନସ୍କି ଦାବି କରିଥିଲେ ଯେ, ଋଷ ପକ୍ଷରୁ ଯୁଦ୍ଧ ଲଢ଼ୁଥିବା ୨ ଚୀନ ନାଗରିକ ଧରା ପଡ଼ିଛନ୍ତି । ତା ସହ ଜଡ଼ିତ ଭିଡିଓ ବି ସେୟାର କରିଥିଲେ ଜେନେନସ୍କି । ଯେଉଁଥିରେ ଧରା ପଡ଼ିଥିବା ଲୋକଙ୍କ ହାତଗୋଡ଼ ବାନ୍ଧି ଦିଆଯାଇଛି । ତେବେ ପ୍ରଥମଥର ପାଇଁ ୟୁକ୍ରେନ୍ ଏଭଳି ଦାବି କରିଥିଲା ।
📱 Get Argus News App
✨
ଜେଲେନସ୍କି କହିଛନ୍ତି, ଚୀନକୁ ଯୁଦ୍ଧ ଭିତରକୁ ଋଷ ଟାଣୁଛି । ଏହା ପୁଟିନଙ୍କ ଯୋଜନାର ଅଂଶବିଶେଷ । ପୁଟିନ ଚାହୁଁଛନ୍ତି ଏହି ଯୁଦ୍ଧ ସାରା ୟୁରୋପକୁ ବ୍ୟାପି ଯାଉ । ରିପୋର୍ଟ ଅନୁସାରେ, ଡେନେଟସ୍କରେ ଯୁଦ୍ଧ ଲଢ଼ୁଥିବା ୬ ଚୀନ ନାଗରିକଙ୍କ ମଧ୍ୟରୁ ୨ ଜଣଙ୍କୁ ୟୁକ୍ରେନ୍ ସେନା ଧରିଥିବା ବେଳେ ୪ ଜଣଙ୍କ ବାବଦରେ ସ୍ପଷ୍ଟ ସୂଚନା ନାହିଁ ।
ଏବେ ଜେଲେନସ୍କି କରୁଥିବା ଦାବି ଅନୁସାରେ, ଚୀନ ନାଗରିକଙ୍କ ଠାରୁ ସେମାନଙ୍କ ପରିଚୟପତ୍ର, ବ୍ୟାଙ୍କ କାର୍ଡ ଓ ବ୍ୟକ୍ତିଗତ ତଥ୍ୟ ମିଳିଛି । ଏବେ ସେମାନଙ୍କୁ ୟୁକ୍ରେନ୍ ସୁରକ୍ଷା ସେବା ହେପାଜତରେ ରଖା ଯାଇଛି । ତେବେ ୟୁକ୍ରେନ୍ କରୁଥିବା ଦାବିରେ ସତ୍ୟତା ନ ଥିବା କହିଛି ଚୀନ । ଚୀନର ବିଦେଶ ମନ୍ତ୍ରଣାଳୟ କହିଛି, ଆମ ନାଗରିକଙ୍କୁ ଯୁଦ୍ଧଗ୍ରସ୍ତ ଅଞ୍ଚଳରୁ ଦୂରେଇ ରହିବାକୁ କହିଛୁ ।